ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ସମେତ ବିଭିନ୍ନ ସ୍ଥାନରେ ଦୋଳ ମହୋତ୍ସବ ଅନୁଷ୍ଠିତ ।

ଉଲୁଣ୍ଡା,୧୮/୦୩(ପିପିଟି): ରଂଗ ଓ ଅବିରର ପର୍ବ ଫାଲଗୁନ ପୂର୍ଣ୍ଣିମାରେ ସଂସ୍କୃତି ଓ ପରମ୍ପରାର ମାଟି ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବମୁଖର ହୋଇଉଠିଛି । ଜିଲ୍ଲାର ଅନେକ ସ୍ଥାନରେ ତ୍ରିଦିବସୀୟ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ବୈଷ୍ଣବୀୟ ମଠ ଓ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ପାରମ୍ପରିକ ଦୋଳ ମହୋତ୍ସବରେରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ଦେଖିବାକୁ ମିଳିଛି । ବିଶେଷକରି,ପାତାଳି ଶ୍ରୀକ୍ଷେତ୍ର, ବଡଖମାର ଶ୍ୟାମ ସୁନ୍ଦର କୁଞ କୁଟିର,ଚମ୍ପାମାଲର ଚମ୍ପେଶ୍ୱର ମନ୍ଦିର,ଚନ୍ଦ୍ରମଣି ଦାସ ମଠ ସମେତ ଶ୍ରୀଗୋପାଳଜୀ ମଠ ପରି ଦେବସ୍ଥଳିରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସବୁ ପୂଜା ପାଉଛନ୍ତି । ଏହି ଅବସରରେ ଜିଲ୍ଲାର ବୀରମହାରାଜପୁର ଠାରେ ପ୍ରସିଦ୍ଧ ଦୋଳଯାତ୍ରା ଚାଲିଥିବାବେଳେ ହରିହର ଭେଟ ପାଇଁ ମେଳଣ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଥିବାବେଳେ ଆଜି ୪ ଟା ବେଳେ ଠାକୁରମାନଙ୍କୁ ସୁସଜ୍ଜିତ ବିମାନରେ ଅଣାଯାଇ ଅବିର ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେଉଁ ରାଜାରାଜୁଡା ଅମଳରୁ ଚାଲିଆସିଥିବା ସୁବର୍ଣ୍ଣପୁର ର ବଡ଼ ଗୋପାଳଜୀ ମନ୍ଦିର ରେ ଆଜି ଦୋଳ ଉତ୍ସବ ପାଇଁ ଅନେକ ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ଛିନଛାନ ଡୁଂଗୁରୀ, ଟିକିରିପଡା ଓ ଅନେକ ସ୍ଥାନରେ ଅଷ୍ଟପ୍ରହରୀ ନାମଯଜ୍ଞ ମାନ ଆୟୋଜିତ ହୋଇଛି ।ଦୋଳ ପୂର୍ଣ୍ଣିମା ପୂର୍ବରୁ ଗତକାଲି ରାତି ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦରର ଉମାଦେବୀ ପୀଠ ସମେତ ବିଭିନ୍ନ ଗାଁମାନଙ୍କରେ “ହୁଲ୍-ପୁଡା ପରବ୍” ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯୋଗ୍ୟ ଯେ ଗତ ୨ବର୍ଷ ହେଲା କରୋନା କଟକଣା ଯୋଗୁଁ  କେବଳ ନୀତିକାନ୍ତିରେ ସୀମିତ ଥିବା ଏହିସମସ୍ତ ପର୍ବ ଚଳିତ ବର୍ଷ ଟିକିଏ କୋହଳ ହେତୁ ଶ୍ରଦ୍ଧାଳୁଙ୍କ ଭିତରେ ଅପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment