ସୁନାମହି ଗ୍ରାମରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର : ଶତାଧିକ ରୋଗୀ ଉପକୃତ ।

ଆସ୍କା,୧୭/୦୫(ପିପିଟି): ବିଶିଷ୍ଟ ଭେଷଜ ବିଶେଷଜ୍ଞ, ମାନବପ୍ରେମୀ ଓ ପରୋପକାରୀ ସମାଜସେବୀ ସ୍ୱର୍ଗତ ଡାକ୍ତର ମୀହିର କାନ୍ତ ପାଣିଗ୍ରାହୀ ଏବଂ ତାଙ୍କ ଧର୍ମପତ୍ନୀ କ୍ରିଷ୍ଣା ପାଣିଗ୍ରାହୀଙ୍କ ପବିତ୍ର ସ୍ମୃତିକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ “ମିହିର କ୍ରିଷ୍ଣା ଫାଉଣ୍ଡେସନ” ଓ “ଆସ୍କା ଅଫ ଦ ନାଇଣ୍ଟିସ” (ହରିହର ହାଇସ୍କୁଲ ୧୯୯୦-୯୧ ବ୍ୟାଚ) ର ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲାର ସୁନାମହି ଗ୍ରାମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା, ଚିକିତ୍ସା ଓ ସଚେତନତା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ସ୍ୱର୍ଗତ ଡାକ୍ତର ମୀହିର କାନ୍ତ ପାଣିଗ୍ରାହୀଙ୍କ ୭୬ତମ ଜନ୍ମ ଜୟନ୍ତୀ ଅବସରରେ ୧୭ ମେ ୨୦୨୬ ରବିବାର ଆୟୋଜିତ ଏହି ମହତ୍ ସେବାମୂଳକ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ସାଧାରଣ ଓ ଆବଶ୍ୟକତାମନ୍ଦ ଲୋକଙ୍କ ନିକଟକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବାରେ ଏକ ସାର୍ଥକ ପ୍ରୟାସ ଭାବେ ପରିଗଣିତ ହୋଇଛି।

ଏହି ଶିବିରରେ ଭୁବନେଶ୍ୱର ପି.ଜି.ଆଇ.ଏମ୍.ଇ.ଆର ଓ କ୍ୟାପିଟାଲ ହସ୍ପିଟାଲର ପ୍ରଖ୍ୟାତ ଅସ୍ଥିରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱକେଶ ପାଣିଗ୍ରାହୀ ଏବଂ ସାଧାରଣ ଚିକିତ୍ସକ ଡାକ୍ତର ଏନ୍‌. ସନ୍ତୋଷ କୁମାର ଯୋଗଦେଇ ରୋଗୀମାନଙ୍କୁ ନିଶୁଳ୍କ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରିଥିଲେ।

ଶିବିରରେ ବି.ଏମ୍.ଡି ପରୀକ୍ଷା, ବ୍ଲଡ ସୁଗାର ଓ ନ୍ୟୁରୋପାଥି ଟେଷ୍ଟ ସହ ନିଶୁଳ୍କ ଔଷଧ ବିତରଣ କରାଯାଇଥିଲା। ପ୍ରାୟ ୧୦୦ରୁ ଅଧିକ ରୋଗୀ ଏହି ସ୍ୱାସ୍ଥ୍ୟ ଶିବିରରୁ ଉପକୃତ ହୋଇଥିବା ବେଳେ,ବିଶେଷକରି ବୃଦ୍ଧ ଓ ଆର୍ଥିକ ଭାବେ ଅସହାୟ ଲୋକମାନେ ଏପରି ସେବା ପାଇ ଗଭୀର ସନ୍ତୋଷ ଓ କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ କରିବାରେ ସୁନାମହି ଗ୍ରାମର ସଭାପତି ଅଚ୍ୟୁତାନନ୍ଦ ପ୍ରଧାନ, ଯୋଗୀନ୍ଦ୍ର ପ୍ରଧାନ, ଦୟାନିଧି ପ୍ରଧାନ, ଅନନ୍ତ ପ୍ରଧାନ, ଗ୍ରାମର ଯୁବକମାନେ ଏବଂ “ଆସ୍କା ନାଇଣ୍ଟିସ” ର ସୁରେନ୍ଦ୍ର ପାତ୍ର, ନିରଞ୍ଜନ ସାହୁ,ସଞ୍ଜୀବ ମହାରଣା, ବଦ୍ରିନାଥ ପାତ୍ର, ଭାନୁ ପ୍ରତାପ ମହାରଣା,ବିନୋଦ ମିଶ୍ର ଓ ମନୋଜ ମିଶ୍ର ପ୍ରମୁଖଙ୍କ ଅକ୍ଳାନ୍ତ ସହଯୋଗ ଉଲ୍ଲେଖନୀୟ ରହିଥିଲା।

ସମାଜର ନିମ୍ନବର୍ଗ ଓ ଆବଶ୍ୟକତାମନ୍ଦ ଲୋକଙ୍କ ପାଇଁ ଏପରି ମାନବିକ ଓ ସେବାମୂଳକ ପ୍ରୟାସ ନିଶ୍ଚୟ ଭାବେ ଏକ ପ୍ରେରଣାଦାୟକ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଏହି ମହତ୍ କାର୍ଯ୍ୟକ୍ରମକୁ ବ୍ୟାପକ ପ୍ରଶଂସା କରାଯାଇଥିବା ବେଳେ, ଆଗାମୀ ଦିନରେ ମଧ୍ୟ ଏପରି ଜନହିତକର ସେବାକାର୍ଯ୍ୟ ଜାରି ରହିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

Comments (0)
Add Comment