ସୁକିନ୍ଦାରେ ଅଟକିଛି ଉନ୍ନୟନର ଗତି ।

ଯାଜପୁର,୦୪/୦୯(ପିପିଟି):ସୁକିନ୍ଦା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ଗତି ଧିମେଇ ଯାଇଥିବା ନେଇ ଅଭିଯୋଗ ହେଉଛି। ଦୀର୍ଘ ୩୫ବର୍ଷ ପରେ ଶାସନ ବଦଳିଥିଲେ ମଧ୍ୟ ବହୁ ପ୍ରକଳ୍ପ ଦୀର୍ଘଦିନ ଧରି ବ୍ଲକ୍ କାର୍ଯ୍ୟାଳୟରେ ଫାଇଲ୍ ଅବସ୍ଥାରେ ପଡ଼ିରହିଥିବା ଓ କେତେକ ସ୍ଥାନରେ କାର୍ଯ୍ୟ ଆରମ୍ଭ ହୋଇ ଅଧପନ୍ତରିଆ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ଅନେକ ପ୍ରକଳ୍ପ ସମାପ୍ତ ହୋଇଥିବା ବେଳେ ପ୍ରକଳ୍ପର ବିଲ୍ ମଧ୍ୟ ଦୀର୍ଘମାସ ଧରି ପଡ଼ିରହିଥିବା ନେଇ ସ୍ଥାନୀୟ ଜନପ୍ରତିନିଧି ଓ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଛନ୍ତି।ଦୀର୍ଘ ୩୫ ବର୍ଷ ପରେ ରାଜ୍ୟରେ ଶାସନ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସୁକିନ୍ଦାରେ ବିକାଶର ଚିତ୍ରରେ ଆଶାନୁରୂପ ପରିବର୍ତ୍ତନ ଆସିନଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ମାସକ ମଧ୍ୟରେ ସରିବାକୁ ଥିବା ସାଧାରଣ କାର୍ଯ୍ୟ ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ପୂର୍ବରୁ ଜିଲ୍ଲାସ୍ତରରୁ ଅନୁମୋଦନ ପାଇ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିବା କେତେକ ଉନ୍ନୟନମୂଳକ ପ୍ରକଳ୍ପ ଏବେବି କାର୍ଯ୍ୟାନ୍ୱୟନ ଅପେକ୍ଷାରେ ରହିଛି। କେତେକ ପ୍ରକଳ୍ପକୁ ବିଭିନ୍ନ କାରଣ ଦର୍ଶାଇ ଆଗକୁ ନେବାରେ ବିଳମ୍ବ ହେଉଥିବା ଅଭିଯୋଗ ମଧ୍ୟ ରହିଛି। ଫଳରେ ଲୋକଙ୍କ ହିତରେ ଆସିବାକୁ ଥିବା ପ୍ରକଳ୍ପଗୁଡ଼ିକ ବ୍ଲକ୍ କାର୍ଯ୍ୟାଳୟର ନାଲିଫିତା ତଳେ ଅଟକି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି।ବିଶେଷକରି ଡୁବୁରୀ ପଞ୍ଚାୟତରେ ୬ରୁ ଅଧିକ ପ୍ରକଳ୍ପର ଫାଇଲ୍ ବିଭିନ୍ନ କାରଣରୁ ଅଟକିଥିବା ଅଭିଯୋଗ ହୋଇଛି। ଏହି ପ୍ରକଳ୍ପଗୁଡ଼ିକର କେତେକରେ ପୂର୍ବରୁ ବ୍ଲକ୍ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହୋଇସାରିଥିବା ବେଳେ ଏବେ କାର୍ଯ୍ୟ ଆଗକୁ ବଢ଼ୁନଥିବା କୁହାଯାଉଛି। ପୂର୍ବରୁ ଅନୁମୋଦିତ ଓ ଆଇନସମ୍ମତ ବୋଲି ଧରାଯାଇଥିବା ପ୍ରକଳ୍ପଗୁଡ଼ିକୁ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣ ଦର୍ଶାଇ ବିଡିଓ ଅଟକାଇବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।କେବଳ ଡୁବୁରୀ ନୁହେଁ, ବର୍ତ୍ତଣ୍ଡା, ମଙ୍ଗରାଜପୁର, ଖରଡ଼ି, କୁହିକା, ପିମ୍ପୁଡ଼ିଆ, ଲେମ୍ବୋ, ସୁକିନ୍ଦା, ରାସୋଳ, କାଙ୍କଡ଼ପାଳ ଓ ସାରଙ୍ଗପୁର ପଞ୍ଚାୟତରେ ମଧ୍ୟ ବିଭିନ୍ନ କାରଣରୁ ଅନେକ ପ୍ରକଳ୍ପ ଅଟକିଥିବା ଅଭିଯୋଗ ରହିଛି। ଏପରିକି କାମ ସମ୍ପୂର୍ଣ୍ଣ ହୋଇଥିବା କେତେକ ପ୍ରକଳ୍ପର ବିଲ୍ ପ୍ରାୟ ୬ ମାସ ଧରି ପଡ଼ିରହିଥିବା ଅଭିଯୋଗ ହୋଇଛି।ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ସମ୍ପାଦିତ ବିଭାଗୀୟ କାର୍ଯ୍ୟ ସମାପ୍ତ ହେବା ପରେ ମଧ୍ୟ ବିଲ୍ ପ୍ରକ୍ରିୟାରେ ଅସ୍ୱାଭାବିକ ବିଳମ୍ବ ହେଉଛି। ସାଧାରଣତଃ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବାର କିଛିଦିନ ମଧ୍ୟରେ ବିଲ୍ ପ୍ରକ୍ରିୟା ଶେଷ ହେବା କଥା କିନ୍ତୁ ଏଠାରେ ମାସମାସ ଧରି ତାହା ଅଟକି ରହିଥିବା ଓ ଆବଶ୍ୟକତା ଠାରୁ ଯଥେଷ୍ଟ କମ୍ ଟଙ୍କାର ବିଲ୍ ହେଉଥିବା ଅଭିଯୋଗ ହେଉଛି।ଅନ୍ୟପକ୍ଷରେ, ମନରେଗା ଯୋଜନାରେ ମାଟେରିଆଲ୍ ପେମେଣ୍ଟ ସମ୍ପର୍କିତ ଫାଇଲ୍ ମଧ୍ୟ ଦୀର୍ଘଦିନ ଧରି ଅଟକିଥିବା କେତେକ ସରପଞ୍ଚ ଅଭିଯୋଗ କରିଛନ୍ତି। ଆଡଭାନ୍ସ ବୁକିଂରେ ବିଳମ୍ବ ଯୋଗୁଁ ବିଭିନ୍ନ ପଞ୍ଚାୟତରେ ଅନେକ ମନରେଗା ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ରହିଥିବା ସେମାନେ କହିଛନ୍ତି।ଗତ ଦୁଇବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି, ଜିଲ୍ଲା ଖଣିଜ ପାଣ୍ଠି, ଓମ୍ବାଡ୍‌ସି, ୧୪ତମ ଓ ୧୫ତମ ସିଏଫ୍‌ସି ସମେତ ବିଭିନ୍ନ ଯୋଜନାରେ ନୂତନ ପ୍ରକଳ୍ପ ପାଇଁ ଜମିଜମା ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତିରେ ମଧ୍ୟ ବିଳମ୍ବ ହେଉଥିବା ଅଭିଯୋଗ ରହିଛି। ଏହା ଫଳରେ ନୂତନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ମଧ୍ୟ ପ୍ରଭାବିତ ହେଉଥିବା କୁହାଯାଉଛି।ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନରେ ମଧ୍ୟ ବିଳମ୍ବ ହେଉଥିବା ଅଭିଯୋଗ ଉଠିଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମାସର ୧୫ ତାରିଖରେ ଭତ୍ତା ପ୍ରଦାନ କରାଯିବା କଥା। ୧୫ ତାରିଖ ଛୁଟି ହେଲେ ପୂର୍ବଦିନ ଭତ୍ତା ଦେବାର ବ୍ୟବସ୍ଥା ରହିଛି। ମାତ୍ର ସୁକିନ୍ଦା ବ୍ଲକ୍‌ରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ରହିଛି। ଫଳରେ ବୟସ୍କ, ଦିବ୍ୟାଙ୍ଗ ଓ ବିଧବା ହିତାଧିକାରୀମାନଙ୍କୁ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିବା କୁହାଯାଇଛି। ତେଣୁ ଏହି ସମସ୍ତ ଅଭିଯୋଗର ତଦନ୍ତ କରି ସୁକିନ୍ଦାରେ ଅଟକିଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରିତ ଗତିରେ କାର୍ଯ୍ୟକ୍ଷମ କରିବା ସହ କାମ ସମାପ୍ତ ପ୍ରକଳ୍ପର ବିଲ୍ ପ୍ରଦାନ ଓ ହିତାଧିକାରୀଙ୍କୁ ସମୟରେ ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments (0)
Add Comment