ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ମାଲକାନଗିରି,୧୨/୦୬(ପିପିଟି): ମାଲକାନଗିରି ନାଗରିକ ସମାଜ ତରଫରୁ ମାଲକାନଗିରି ସୀମା ସୁରକ୍ଷା କାର୍ଯ୍ୟାଳୟ ଠାରେ ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ନେହେରୁ ଯୁବକେନ୍ଦ୍ରର ସଂଯୋଜକ ହରିଶ ରୂପାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସୀମା ସୁରକ୍ଷା ବଳ ଡି.ଆଇ .ଜି ଶୈଳେନ୍ଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦାୟୀ କମାଣ୍ଡାଣ୍ଟ ତୀର୍ଥ ଆଚର୍ଯ୍ୟଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଦାୟୀ କମାଣ୍ଡାଣ୍ଟ ୨୦୧୮ ମସିହାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ରୂପେ ସୁନାମ ଅର୍ଜନ କରିଥିଲେ।ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଉନ୍ନତି କଳ୍ପେ ସେ ସର୍ବଦା ଚେଷ୍ଟିତ ଥିଲେ । ତାଙ୍କର କାର୍ଯ୍ୟ କାଳ ସମୟରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଭାରତର ଗୌହାଟୀ,ଗୁଜରାଟ, ଆଗ୍ରା ପ୍ରଭୃତି ସ୍ଥାନ ପରିଭ୍ରମଣ କରିବାର ବ୍ୟବସ୍ଥା କରାଇଥିଲେ । ବୃକ୍ଷରୋପଣ, ସମାଜସେବା, ଗରିବ ଆଦିବାସୀ ଛାତ୍ରଛାତ୍ରୀ,ବୃଦ୍ଧ, ବୃଦ୍ଧାମାନଙ୍କୁ ପଠନ ସାମଗ୍ରୀ, ବସ୍ତ୍ର ,କମ୍ବଳ ବଣ୍ଟନ ପ୍ରଭୃତି ଅନେକ ଜନ ହିତକର କାର୍ଯ୍ୟରେ ସେ ସର୍ବଦା ପ୍ରଶଂସନୀୟ କାର୍ଯ୍ୟ ନିର୍ବାହ କରୁଥିଲେ। ମାଲକାନଗିରି ରୁ ସୁଦୂର ପଞ୍ଜାବର ଅବହର ଜିଲ୍ଲାକୁ ବଦଳି ହୋଇଥିବାରୁ ତାଙ୍କୁ ଜିଲ୍ଲା ନାଗରିକ ସମାଜ ତରଫରୁ ଉଛ୍ୱସିତ ସମ୍ବର୍ଦ୍ଧନା ସହ ବିଦାୟ ଦିଆଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment