ମାଲକାନଗିରି,ତା:୧୩/୦୫(ପିପିଟି);ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ଲାଲ ତାଣ୍ଡବ ଥମିବାର ନାଁ ନେଉ ନାହିଁ ।ଗୋଟାଏ ପରେ ଗୋଟାଏ ମାଓ ହିଂସା ଜାରି ରହିଛି । ଗତ କାଲି ରାତିରେ ସଶସ୍ତ୍ର ମାଓବାଦୀମାନେ ଜଣେ ଡିଆରଜି ଯବାନ ନିଜ ଘରକୁ ବୁଲିବାକୁ ଯାଇଥିବା ବେଳେ ସୂଚନା ପାଇ ତାଙ୍କୁ ଅପହରଣ କରି ନେବା ପରେ ହତ୍ଯା କରାଯାଇଛି । ଘଟଣାରୁ ପ୍ରକାଶ ଯେ,ସୁକୁମା ଜିଲ୍ଲା ଅନ୍ତର୍ଗତ ଦରନା ପାଲ୍ଲୀ ଥାନା ନିକଟସ୍ଥ ପେଟା ଗ୍ରାମକୁ ବେଟୀ ଭୀମା ବୁଲି ଯାଇଥିବା ବେଳେ ସୂଚନା ପାଇ ୧୫ ଜଣ ସଶସ୍ତ୍ର ମାଓବାଦୀ ରାତି ୧୨ଟାରେ ତାଙ୍କ ଘରେ ପହଞ୍ଚି ମାରପିଟ କରିଥିଲେ । ବନ୍ଧୁକ ମୁନ ଦେଖାଇ ଭୀମାଙ୍କୁ ବଳ ପୂର୍ବକ ଅପହରଣ କରି ନେଇଥିଲେ । ଗ୍ରାମର ଅନତି ଦୂରରେ ଡିଆରଜି ଯବାନ ବେଟୀ ଭୀମାଙ୍କ ମୁଣ୍ଡକୁ ପ୍ରଥମେ ପଥରରେ ଛେଚି ଛେଚି ରକ୍ତାକ୍ତ କଲା ପରେ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ଯା କରିଥିଲେ । ଆଜି ସକାଳେ ପରିବାର ସଦସ୍ଯମାନେ ଭୀମାଙ୍କ ମୃତ ଶରୀରକୁ ଘରକୁ ଆଣିଥିବା ବେଳେ ଦରନା ପାଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣା ପଡିଛି । ମାଓବାଦୀମାନେ ଏକ ଲିଖିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭୀମା ମାଓବାଦୀଙ୍କୁ ଦମନ କରିବାରେ ମୁଖ୍ଯ ଭୂମିକା ନିର୍ବାହ କରୁଥିଲା । ତେଣୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)