***ସୀତାକୁଣ୍ଡ***

ମାଲକାନଗିରି,୧୧/୧୨:

ମାଲକାନଗିରି ଜିଲ୍ଲା ର ଖଇରପୁଟ ବ୍ଳକ୍ ଅନ୍ତର୍ଗତ ବଣ୍ଡାଘାଟୀ ସ୍ଥିତ ମୁଦୁଲି ପଡା ଗ୍ରାମରେ ଅବସ୍ଥିତ ସୀତାକୁଣ୍ଡ ଅତି ପବିତ୍ର ବୋଲି ଜନ ମାନସରେ ଆଦୃତ ।ଏହାର ଏକ ରାମାୟଣ ସମ୍ବନ୍ଧିତ କିମ୍ବଦନ୍ତୀ ପିଢ଼ି ପରେ ପିଢ଼ି ପ୍ରଚଳିତ ହୋଇ ଆସୁଛି। କିମ୍ବଦନ୍ତୀ ଅନୁଯାୟୀ
ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟରେ ମାତା ଜାନକୀ ଏହି କୁଣ୍ଡ ରେ ସ୍ନାନ କରିଥିଲେ।ମାତା ଜାନକୀ ଅଙ୍ଗ ରୁ ବସ୍ତ୍ର ପରିହାର କରି ସ୍ନାହ କରିବା ସମୟରେ ମୁଦୁଲି ପଡ଼ାର କିଛି ବଣ୍ଡା ରମଣୀ
ଉକ୍ତ ଦୃଶ୍ୟ କୁ ଅବଲୋକନ କରିଥିଲେ। ସେମାନେ ବିବସ୍ତ୍ରା ମାତା ସୀତାଙ୍କ ଏତାଦୃଶ ଦୃଶ୍ୟ ଦର୍ଶନ କରି ଅଟ୍ଟହାସ କରି ହସି ଥିଲେ । ଫଳରେ ମା ସୀତା କ୍ରୋଧାନ୍ୱିତ ହୋଇ ଅଭିଶାପ ପ୍ରଦାନ କରିଥିଲେ। ସେ କହିଲେ ଯେ, ତୁମେ ନାରୀ ହୋଇ ନାରୀ ର ରୂପ ଦର୍ଶନ କରି ଉପହାସ କରିଥିବାରୁ ସମଗ୍ର ଜୀବନ ଉଲଗ୍ନ ରହିବ ଏବଂ ଲଣ୍ଡିତା ମୁଣ୍ଡ ହୋଇ ରହିବ ।
ସେହି କିମ୍ବଦନ୍ତୀ ଅନୁଯାୟୀ ଆଜି ମଧ୍ୟ ବଣ୍ଡା ରମଣୀ ମାନେ ମୁଣ୍ଡରେ କେଶ ରଖନ୍ତି ନାହିଁ। ଯୁଗ ଯୁଗ ଧରି ବସ୍ତ୍ର ପରିଧାନ କରନ୍ତି ନାହିଁ। ପରବର୍ତ୍ତୀ ସମୟରେ ଛୋଟିଆ ରିଙ୍ଗା ପରିଧାନ କଲେ ବଣ୍ଡା ରମଣୀ ମାନେ। ଏହି ଅତୀତ ସ୍ମୃତି ସ୍ବାକ୍ଷର ସ୍ବରୂପ ଆଜି ବି ସୀତାକୁଣ୍ଡ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅଧିନସ୍ଥ ମୁଦୁଲି ପଡା ଗ୍ରାମରେ ଅବସ୍ଥିତ। ଏହି ଘଟଣାଟି କୌଣସି ରାମାୟଣରେ ବର୍ଣ୍ଣିତ ହୋଇ ନଥିଲେ ମଧ୍ୟ ବଣ୍ଡା ସମ୍ପ୍ରଦାୟରେ ଜନଶ୍ରୁତି ଭାବେ କେଉଁ ପ୍ରାଚୀନ କାଳରୁ ଜୀବିତ ହୋଇ ଆସିଛି। ଏହି ସୀତାକୁଣ୍ଡଟି ବନ୍ୟା ଜଳରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା।ମାତ୍ରେ ଜିଲ୍ଲା ପ୍ରଶାସନ କାଳକ୍ରମେ ଉଦ୍ଧାର କରି ପୁନଃ ନିର୍ମାଣ କରି ଏକ ପର୍ଯ୍ୟଟନସ୍ଥଳୀ ଭାବେ ଲୋକ ଲୋଚନକୁ ଆଣିବା ଦିଗରେ ସକ୍ଷମ ସୋଇଛି ।ଏବେ ଆଉ ନାଲୀ ରଙ୍ଗର ମତ୍ସ୍ୟ ସୀତାକୁଣ୍ଡ ରେ ବିରଳ । ଯେଉଁ ମାଛକୁ ସ୍ନାନ ବେଳେ ମାତା ସୀତା ଦୁଇ ହାତରେ ସ୍ନେହରେ ଆଉଁସି ଦେଇଥିଲେ। ଫଳରେ ଧଳା ବର୍ଣ୍ଣ ମାଛ ଗୁଡିକ ନାଲି ରଙ୍ଗରେ ରୂପାନ୍ତରିତ ହୋଇ ଥିଲା। ଏହି ମାଛକୁ କିଏ ଧରି ଖାଉ ନଥିଲେ । କଥାରେ ଅଛି ଥରେ କେହି ମାଛକୁ ଧରି ଖାଇବା ଯୋଗୁଁ ତା’ର ମୃତ୍ୟୁ ଘଟିଥିଲା। ଫଳରେ ମାଛ ସୀତାକୁଣ୍ଡରୁ ସେହି ସମୟରୁ ଖାଇବା ନିଷେଧ ହୋଇଥିଲା। କିନ୍ତୁ ବନ୍ୟା ଯୋଗୁଁ ସୀତାକୁଣ୍ଡ କ୍ଷତିଗ୍ରସ୍ତ ହୋଇଥିଲା।ଫଳ ସ୍ଵରୂପ ଉକ୍ତ ମାଛ ଗୁଡିକ
ବିଲୁପ୍ତ ହୋଇଯାଇଥିଲେ । ପୂର୍ବରୁ ସୀତାକୁଣ୍ଡକୁ କୌଣସି ପର୍ଯ୍ୟଟକ ଭ୍ରମଣ କରିବାକୁ ଯାଉଥିବା ବେଳେ ମାଛ ଗୁଡିକୁ କିଛି ଖାଦ୍ୟ ପ୍ରଦାନ କରୁଥଲେ । ମାଛ ଗୁଡିକ ଖାଦ୍ୟ ଖାଇବା ପାଇଁ ଜଳ ଉପରକୁ ଆସି ସନ୍ତରଣ କରିବା ସହିତ ପର୍ଯ୍ୟଟକଙ୍କ
ମନକୁ ବିମୋହିତ କରୁଥିଲେ । ଆଜି ସେହି ମନୋରମ ଦୃଶ୍ୟ ନିର୍ବାପିତ ହୋଇଯାଇଛି।
ସୀତାକୁଣ୍ଡ ଜଳରେ ମାତା ସୀତାଙ୍କ ସ୍ନାନ କରିଥିବା ହେତୁ ଉକ୍ତ କୁଣ୍ଡର ଜଳକୁ ଅତି ପବିତ୍ର ମନାଯାଏ। ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସୀତାକୁଣ୍ଡର ପବିତ୍ର ଜଳକୁ ପୂଜାର୍ଚ୍ଚନା ପୂର୍ବ କଳସରେ ଭରି ଅଯୋଧ୍ୟାକୁ ନେଇଥିଲେ ।ବିରାଟ ଶୋଭାଯାତ୍ରାରେ ବଣ୍ଡା ଜନଜାତିର ଆବାଳବୃଦ୍ଧବନିତା ରୁଣ୍ଡ ହୋଇ ଅତୀତର ସ୍ମୃତିକୁ ବଖାଣି ଥିଲେ । ଏବଂ ଏହି ଜନଜାତିଙ୍କ ଗୌରବ ଗାଥା ଅକ୍ଷାତ ଅରଣ୍ୟ ପାହାଡ ବିମଣ୍ଡିତ ମୁଦୁଲି ପଡା ଗାଁ ରୁ ପୂଣ୍ୟ ଭୂମି ଅଯୋଧ୍ୟା ପର୍ଯ୍ୟନ୍ତ ବ୍ୟାପିଥିଲା।
ମାତ୍ର ସ୍ଥାନୀୟ ବଣ୍ଡା ସଂପ୍ରଦାୟର ମହିଳାମାନେ ଉକ୍ତ ଜଳରେ ସ୍ନାନ କରିବା, ଅଇଁଠା ବାସନକୁସନ ମାଜିବା ଯୋଗୁଁ ଜଳ ଦୂଷିତ ହେବାରେ ଲାଗିଛି। ତେଣୁ ଉକ୍ତ ଜଳକୁ ସ୍ବଛ ଓ ପରିମଳ ରଖିବା ଲାଗି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଉଚିତ୍। ସେହି ଅତୀତର କୀର୍ତ୍ତି ରାଜି
ଜନ ମାନସରେ ସଦାସର୍ବଦା ଜାଜୁଲ୍ଯମାନ ରହିବା ପାଇଁଁ ସମସ୍ତ ଙ୍କ ଉଦ୍ୟମ ଏକାନ୍ତ ଆବଶ୍ୟକ।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment