ସିଲେରୁ ନଦୀରେ ନୌକା ଦୁର୍ଘଟଣା:୮ ମୃତ ଦେହ ଉଦ୍ଧାର;ପ୍ରତ୍ଯେକଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ।

ମାଲକାନଗିରି,୨୭/୦୫(ପିପିଟି); ଗତ ୨୪ ତାରିଖ ସୋମବାର ଦିନ ଥିଲା ଏକ କାଳ ରାତି । କିଏ ଜାଣିଥିଲା କାହା ଜୀବନ ପ୍ରଦୀପ କେତେ ବେଳେ ନିର୍ବାପିତ ହୋଇଯିବ । ପେଟ ପୋଷିବାକୁ ଦାଦନ ଖଟିବାକୁ ଯାଇଥିବା ପରିବାରଙ୍କ ଭାଗ୍ଯ ବଦଳି ଯିବ ଏକ ହୃଦୟ ବିଦାରକ କରୁଣ ଦୃଶ୍ୟପଟ୍ଟରେ । ସେ ଦିନ ସିଲେରୁ ନଦୀରେ ଘଟିଥିଲା ଏକ ଲୋମ ହର୍ଷକାରୀ ନୌକା ଦୁର୍ଘଟଣା । ଏଥିରେ ୮ ଜଣଙ୍କର ହୋଇଥିଲା ସଲିଳ ସମାଧି । କାଳି ଅନ୍ଧର ରାତି । ସମୟ ରାତି ୧୦ଟା ୩୦ ମିନିଟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ବୁଡ଼ିଯିବା ଫଳରେ ୨ ଜଣ ମହିଳା ଏବଂ ୬ ଜଣ ପିଲାଙ୍କର ମୃତ୍ୟୁ ଘଟିଥିଲା।ସମସ୍ତ ମୃତ ଦେହକୁ ଅତଳ ନଦୀ ଗର୍ଭରୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଯମରେ ଉଦ୍ଧାର କରାଯାଇଛି । ଏହି ମର୍ମନ୍ତୁଦ ନୌକା ଦୁର୍ଘଟଣା ସ୍ଥଳରେ ୩ ଦିନ ପର୍ଯ୍ଯନ୍ତ ଲାଗିଥିଲା ଗହଳ ଚହଳ ଏବଂ ଶୋକାକୁଳ ପରିସ୍ଥିତି । ପ୍ରାପ୍ତ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବେଡା ଏବଂ କନ୍ଧଗୁଡା ଗାଁରୁ ମୋଟ ୧୧ ଜଣ ବ୍ୟକ୍ତି ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ ବେଳେ କୋଭିଡ୍ -୧୯ ପ୍ରତିବନ୍ଧକ ଯୋଗୁଁ ସେମାନେ ଦୁଇଟି ମାଛ ମରା ଡଙ୍ଗାରେ ସିଲେରୁ ନଦୀ ପାର ହୋଇ ନିଜ ଗ୍ରାମ ଗୁଣ୍ଠାବେଡା ଓ କନ୍ଧଗୁଡାକୁ ଫେରୁଥିଲେ ଗତ ସୋମବାର ରାତି ୧୦ଟା ୩୦ ମିନିଟ ସମୟରେ । ଲୁଚି ଛପି ପୋଲିସର ନାଲି ଆଖିକୁ ଡରି ସେଲୁରୁ ନଦୀ ପାର ହୋଇ ଆସୁଥିବା ବେଳେ ଗୋଟିଏ ଡଙ୍ଗା ନଦୀ ଗର୍ଭରେ ଏକ ଗଛ ଖୁଣ୍ଟ ସହ ଧକ୍କା ହୋଇଥିଲା । ଫଳରେ ଡଙ୍ଗାଟି ଭାରସାମ୍ଯ ହରାଇ ନଦୀ ସ୍ରୋତରେ ବୁଡ଼ି ଯାଇଥିଲା ଏବଂ ସେ ଡଙ୍ଗାଟି ବୁଡି ଯିବା ପରେ ଯାତ୍ରୀମାନେ ପହଁରି ପହଁରି ଆସି ଅନ୍ଯ ଡଙ୍ଗା ଉପରକୁ ପ୍ରାଣ ବିକଳରେ ଚଢି ଯାଇଥିଲେ । ଫଳରେ ସେହି ଦେଶୀ ଡଙ୍ଗାଟି ମଧ୍ଯ ଓଜନ ସମ୍ଭାଳି ନ ପାରି ନଦୀରେ ବୁଡି ଯାଇଥିଲା । ୩ ଜଣ ଲୋକ ସନ୍ତରଣ କରି କନ୍ଧଗୁଡା ଗାଁରେ ପହଞ୍ଚି ଡଙ୍ଗା ବୁଡି ଯାଇଥିବା ଖବର ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ସୂଚନା ପାଇବା ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ରାଜସ୍ବ ନିରିରୀକ୍ଷକ ନାରାୟଣ ମହାରଣା ଏବଂ ଗ୍ରାମବାସୀ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।ପରେ, ଓଡ୍ରାଫ ଟିମ୍ କୁ ସୂଚନା ଦେବା ପରେ ନଦୀରେ ଖୋଜା ଖୋଜି କରି ୮ ଜଣଙ୍କ ମୃତଦେହକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ସେମାନେ ହେଲେ ଲକ୍ଷ୍ମୀ ଖରା (୨୨ବର୍ଷ),ପିଙ୍କି ଖରା(୪ବର୍ଷ),ଅବିର ଖରା(ଏକ ବର୍ଷ),ଅନୁସା ବଡନାଏକ(୨୫ବର୍ଷ),ଗାୟତ୍ରୀ ବଡନାଏକ(୩ ବର୍ଷ ),ଶ୍ଯାମସମ ବେଲଗୁରୁ (୫ବର୍ଷ),ଅନେଶ୍ବରମ ବେଲଗୁରୁ(ଏକ ବର୍ଷ),ରଣୀ ବଡନାଏକ(୬ବର୍ଷ)। ସମସ୍ତ ମୃତକମାନେ
ହେଲେ କନ୍ଧଗୁଡା ଗ୍ରାମର । ସରକାରଙ୍କ ନିୟମ ଅନୁସାରେ ଜଳରେ ବୁଡି କେହି ମୃତ୍ୟୁ ବରଣ କଲେ ତାଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବାର ନିୟମ ରହିଛି । ଏହି ମୃତକଙ୍କ ପରବାରଙ୍କୁ ତିରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନବରଙ୍ଗପୁର ସାଂସଦ ରମେଶ ମାଝି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରାଳାପ କରିଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝି ମୃତକଙ୍କ ପିଛା ୨୦ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଘଟଣା ସ୍ଥଳରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଲାଗି ସମସ୍ତ ବ୍ଯବସ୍ଥା କରିବା ପାଇଁ ନର୍ଭର ପ୍ରତିଶ୍ରୁତି ଦେଇଥିଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment