ସିପିଆଇ ଗଞ୍ଜାମ ଜିଲ୍ଲା ସ୍ତରୀୟ ଶାଖା ସଂପାଦକ ମାନଙ୍କ କର୍ମଶାଳାର ଅନୁଷ୍ଠିତ।

ବ୍ରହ୍ମପୁର,୧୨/୦୯(ପିପିଟି):ଗଂଜାମ ଜିଲ୍ଲାର ସିପିଆଇ ଶାଖା ସଂପାଦକ ମାନଙ୍କର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବ୍ରହ୍ମପୁର ପ୍ରକାଶମ ହଲ୍ ଠାରେ କାମଦେବ ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ ପ୍ରକାଶମ୍ ହଲ୍ ସମ୍ମୁଖରେ ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଷୀ ପତାକା ଉତ୍ତୋଳନ କରିଥିଲେ । ଏହି କର୍ମଶାଳାରେ ପାର୍ଟିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା,ଜାତୀୟ ପରିଷଦ ସଭ୍ୟ ଆାଶିଷ କାନୁନଗୋ ଯୋଗଦେଇ ଦେଶର ଗମ୍ଭୀର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ଏବଂ କମ୍ୟୁନିଷ୍ଟମାନଙ୍କ ସମ୍ମୁଖରେ ଉପସ୍ଥିତି କର୍ତ୍ତବ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ । ଦରବୃଦ୍ଧି,ବେକାରୀ,ଦାରିଦ୍ର୍ୟ ଭଳି ଉତ୍କଟ ସମସ୍ୟାର ସମାଧାନ କରିବାରେ ସଂପୂର୍ଣ୍ଣ ବିଫଳ ବିଜେପି ସରକାର ଲୋକଙ୍କୁ ଭଣ୍ଡାଇବା ପାଇଁ ଦେଶର ଇଣ୍ଡିଆ ନାମ ପରିବର୍ତ୍ତନ କରି ଭାରତ କରାଇବା ପାଇଁ ପ୍ରଚାର ଚଳାଇବା,ମଣିପୁର,ଉତ୍ତର ପ୍ରଦେଶ ଭଳି ଡବଲ ଇଂଜିନ୍ ସରକାର ଥିବା ରାଜ୍ୟରେ ଲୋକଙ୍କ ମଧ୍ୟରେ ଘୃଣା, ବିଦ୍ବେଷ ସୃଷ୍ଟିକରି ବିଭାଜନ ଘଟାଇବା, ଅନୈକ ସୃଷ୍ଟି କରିବା, ଜାତି ଓ ଧର୍ମ ଭିତ୍ତିରେ ଦଙ୍ଗା ଭିଆଇବା ଭଳି ସମ୍ବିଧାନ ବିରୋଧୀ କାର୍ଯ୍ୟ ଚଳାଇଛି । ଆର୍ ଏସ ଏସ୍ ଓ କର୍ପୋରେଟ୍ ନିୟନ୍ତ୍ରିତ ବିଜେପି ସରକାରର ସମସ୍ତ ଜନ ବିରୋଧୀ ନୀତି ଓ କାର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ସମର୍ଥନ କରୁଥିବା ଓଡିଶାର ବିଜେଡି ସରକାରକୁ ଆସନ୍ତା ଦିନରେ ପରାଜିତ କରିବା ପାଇଁ କାର୍ଯ୍ୟ କରିବା ଆଜି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କର୍ତ୍ତବ୍ୟ ହୋଇଥିବାରୁ ପାର୍ଟିର କର୍ମୀମାନେ,ସେ ଦିଗରେ ସଫଳତା ପୂର୍ବକ ଅଗ୍ରସର ହେବାପାଇଁ ସିପିଆଇ ନେତୃବୃନ୍ଦ ଆହ୍ବାନ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀହର୍ଷ ରଥ ପାର୍ଟିର ସାଂଗଠନିକ ନିର୍ଦ୍ଧାରଣ ଏବଂ ଶାଖା ସଂପାଦକ ମାନଙ୍କ ସମ୍ମୁଖରେ ଉପସ୍ଥିତ କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଆଗାମୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । କର୍ମଶାଳାରେ ଯୋଗ ଦେଇଥିବା ଶାଖା ସଂପାଦକମାନେ ଆଲୋଚନାରେ ଅଂଶଗ୍ରହଣ କରି ସର୍ବସମ୍ମତିକ୍ରମେ ନିଷ୍ପତ୍ତିମାନ ଗ୍ରହଣ କରିଥିଲେ । ବିଭିନ୍ନ ନିଷ୍ପତ୍ତି ମଧ୍ୟରେ ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଜୋନ୍ ସ୍ତରୀୟ ବୈଠକ ସଫଳ କରାଇବା, ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୩୦ ସହରାଞ୍ଚଳ ମାନଙ୍କରେ ଗଣପାଣ୍ଠି ସଂଗ୍ରହ ଅଭିଯାନ ଚଳାଇବା,ନଭେମ୍ବର ଡିସେମ୍ବର ମାସରେ ଶାଖା ସମ୍ମିଳନୀମାନ ସମାପନ କରାଇବା ପ୍ରଭୃତି ନିଷ୍ପତ୍ତିମାନ ଗୃହୀତ ହୋଇଥିଲା । ଏହା ସାଙ୍ଗକୁ ନିର୍ବାଚନମଣ୍ଡଳୀ ସ୍ତରୀୟ ପାର୍ଟି ଜେନେରାଲ ବଡ଼ି ସମାବେଶ ଏବଂ ପାର୍ଟିର ପ୍ରତିଷ୍ଠା ବାର୍ଷିକୀ ସଫଳତାର ସହିତ ଆୟୋଜନ କରିବା ପାଇଁ ଆହ୍ବାନ ଦିଆଯାଇଛି ।
କର୍ମଶାଳାରେ ‘ନୂଆ ଦୁନିଆ’ର ସଂପାଦକ ରମେଶ ଚନ୍ଦ୍ର ପାଢୀ, ଜିଲା ସହ ସଂପାଦକ ପ୍ରଦୀପ ସେଠି ଓ ନୀଳକଣ୍ଠ ଦାଶ,ପ୍ରବୀଣ ଦାଶ, ଦଣ୍ଡପାଣୀ ସାମଲ, ଅନନ୍ତ ମହାଙ୍କୁଡ,ପୀତବାସ ମହାପାତ୍ର, ରାଜେନ୍ଦ୍ର ଦାଶ,ଅଳକନାଥ ମିଶ୍ର, ରାଜୀବ ଲୋଚନ ପଣ୍ଡା,ଦୁର୍ଗା ଚାରଣ ପାତ୍ର,ବି.ଦଣ୍ଡପାଣି ପାତ୍ର, ସୁଶାନ୍ତ ସ୍ୱାଇଁ, ଗୋପାଳ ଭୁଆଁ, ସିଏଚ୍ ଜନାର୍ଦନ ରେଡ୍ଡୀ,ବିଦେଶୀ ନାହାକ ବିପ୍ରଚରଣ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments (0)
Add Comment