ଏରସମା,୨୬/୧୨(ପିପିଟି): ସିପିଆଇର ୯୭ ତମ ପ୍ରତିଷ୍ଠା ଦିବସ ଅବସରରେ ଏରସମା ସ୍ଥିତ ସୁଭଦ୍ରା ମଣ୍ଡପରେ ଏରସମା ଜୋନର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୋନ ପାର୍ଟି କାର୍ଯ୍ୟାଳୟ ରମାକାନ୍ତ ଭବନ ସମ୍ମୁଖରେ ପାର୍ଟିର ଲାଲ ପତାକାକୁ ଜୋନ ସମ୍ପାଦକ ସାଥି ବଇଁଶୀଧର ବେହେରା ଉତ୍ତୋଳନ କରିଥିଲେ । ଏହାପରେ ଏକ ବର୍ଣ୍ଣାଢ୍ୟ ରାଲି ବଜାର ପରିକ୍ରମା କରିବା ପରେ ଶହୀଦ ବେଦିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ସାଥି ଦାମୋଦର ବେହେରା, ସାଥି ଚିନ୍ମୟ ପାତ୍ର, ସାଥି ବିଦ୍ୟୁଲତା ବେଉରାଙ୍କ ସଭାପତିତ୍ୱରେ ପ୍ରତିନିଧି ଅଧିବେଶନ ଆରମ୍ଭ ହୋଇଥିଲା । ସମ୍ମିଳନୀ ପ୍ରାରମ୍ଭରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ସିପିଆଇର ଜାତୀୟ ପରିଷଦ ସଦସ୍ୟ ସାଥି ରାମକୃଷ୍ଣ ପଣ୍ଡା ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଅନୁଷ୍ଠାନିକ ଉଦଘାଟନ କରିଥିଲେ । ସାଥି ପଣ୍ଡା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସହିତ ସାଧାରଣ ଜନତାଙ୍କ ଲଢ଼େଇକୁ ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟି ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ରାଜ୍ୟ ମହିଳା ନେତ୍ରୀ ଜିନ୍ମୟୀ ସାହାଣୀ, ରାଜ୍ୟ ପରିଷଦ ସଭ୍ୟ ସାଥି ସୁମନ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ବାଲିତୁଠ ଜୋନ ସମ୍ପାଦକ ସାଥି ପ୍ରଫୁଲ୍ଲ ଦାସ ଓ କୁଜଙ୍ଗ ଜୋନ ସମ୍ପାଦକ ସାଥି ଶରତ ବେହେରା ସମ୍ମିଳନୀକୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଜୋନ ସହ ସମ୍ପାଦକ ସାଥି ସର୍ବେଶ୍ୱର ବେଉରା ପାର୍ଟିର ରାଜନୈତିକ ଓ ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ । ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନା ପରେ ଜିଲ୍ଲା ସମ୍ପାଦକ ସାଥି ଅଭିଜିତ ସାହୁ ବକ୍ତବ୍ୟ ରଖି ଜିନ୍ଦଲ ପାଇଁ ରାଜ୍ୟ ସରକାରଙ୍କ ଦମନକୁ ସମାଲୋଚନା କରିବା ସହିତ ଆନ୍ଦୋଳନକୁ ପାର୍ଟି ନେତୃତ୍ୱ ଦେବା ପାଇଁ ଆହ୍ୱାନ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ପଞ୍ଚାୟତରେ ପାର୍ଟି ପ୍ରାର୍ଥୀ ଦେବା ସହିତ ପାର୍ଟିକୁ ଭୋଟ ରାଜନୀତିରେ ଏରସମାରେ ୧ ନମ୍ବର ପାର୍ଟି ଭାବେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ସାଥିମାନେ ରିପୋର୍ଟ ଉପରେ ଆଲୋଚନା କରିବା ପରେ ରିପୋର୍ଟ ଗୃହୀତ ହୋଇଥିଲା । ସାଥି ଦେବାଶିଷ ପରିଜା ପାର୍ଟି ସମ୍ମିଳନୀରେ ପ୍ରସ୍ତାବ ଆଗତ କରିଥିଲେ । ସମ୍ମିଳନୀ ଶେଷରେ ଏକ ଜଣିଆ ଜୋନାଲ କମିଟି ନିର୍ବାଚିତ ହେବା ସହିତ ସାଥି ସର୍ବେଶ୍ୱର ବେଉରା ଜୋନ ସମ୍ପାଦକ ଓ ସାଥି ଦାମୋଦର ବେହେରା, ସାଥି ଶିବ ଚରଣ ବେହେରା ଜୋନ ସହ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ପଞ୍ଚାୟତ ନିର୍ବାଚନରେ ବ୍ଲକର ସମସ୍ତ ପଞ୍ଚାୟତରେ ପାର୍ଟି ପ୍ରାର୍ଥୀ ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସମ୍ମିଳନୀରେ ଜିନ୍ଦଲ ବିରୋଧୀ ଆନ୍ଦୋଳନର ନେତୃତ୍ୱ ପାର୍ଟି ନେବା ସହିତ ଜିନ୍ଦଲ ହଟିବା ପର୍ଯ୍ୟନ୍ତ ଯେକୌଣସି ମୂଲ୍ୟ ଦେଇ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସମାନଭାବରେ ଏରସମାରେ ତୁରନ୍ତ ସବରେଜିଷ୍ଟ୍ରି ଅଫିସ ପ୍ରତିଷ୍ଠା, ଏରସମାକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଓ ଚାଷୀକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଲଢ଼େଇକୁ ଓ ବିଦ୍ୟୁତ ବୋର୍ଡର ଘରୋଇକରଣକୁ ବିରୋଧ କରି ଓ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ସର୍ବଶେଷରେ ଜାତୀୟ ନେତା ସାଥି ରାମକୃଷ୍ଣ ପଣ୍ଡା, ସାଥି ଜିନ୍ମୟୀ ସାହାଣୀ, ସାଥି ଶରତ ବେହେରା, ସାଥି ସୁମନ୍ତ ଦାସ, ସାଥି ପରି ଗୋଛାୟତ, ସାଥି ପୂର୍ଣ୍ଣଚନ୍ଦ୍ର ହାତୀ, ସାଥି ଗୁରୁବାରୀ ଦାସ, ସାଥି ନଟ ମହାପାତ୍ର, ସାଥି ମାଗୁଣି ଦାସ, ସାଥି ନିକୁଞ୍ଜ ବେରା,ସାଥି ଲକ୍ଷ୍ମୀଧର ମହାପାତ୍ର, ସାଥି ଭଗତ ମଳିକ, ସାଥି ଧନୁ ମାଝୀ,ସାଥି ନଟବର ବେହେରା ପ୍ରମୁଖ ବରିଷ୍ଠ ପାର୍ଟି ସାଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଆନ୍ତର୍ଜାତିକ ସଂଗୀତ ଗାନ କରାଯିବା ପରେ ସମ୍ମିଳନୀ ଉଦଯାପିତ ହୋଇଥିଲା ।