ବ୍ରହ୍ମପୁର,୧୭/୦୪(ପିପିଟି): ରାୟଗଡା–କଳାହାଣ୍ଡି ଜିଲ୍ଲାର ସିଜିମାଳି ପର୍ବତ ଅଞ୍ଚଳରେ ବେଦାନ୍ତର ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପର ବାତିଲ ଦାବିରେ ଓ ତା’କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ପୋଲିସର ଦମନ ବିରୁଦ୍ଧରେ ତଥା ଅନ୍ୟାନ୍ୟ ଦାବି ନେଇ ଆଜି ରାଜ୍ୟବ୍ୟାପି ପ୍ରତିବାଦ ଦିବସର ପାଳିତ ହୋଇଯାଇଛି ।
ଏସ୍ୟୁସିଆଇ(କମ୍ୟୁନିଷ୍ଟ), ସିପିଆଇ(ଏମଏଲ) ରେଡ଼ଷ୍ଟାର, ସିପିଆଇ(ଏମଏଲ) ଓ ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପରି ରାଜ୍ୟର ୪ଟି ବାମପନ୍ଥୀ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଏହି ପ୍ରତିବାଦ ଦିବସ ଡାକରା ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଷୀ,ମୂଲିଆ ଓ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପାର୍ଟି ପକ୍ଷରୁ ଆଜି ସକାଳେ ସ୍ଥାନୀୟ କଲେଜ ଛକ ଠାରୁ ଏକ ବିଶାଳ ପଟୁଆର ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସିର ଜିଲ୍ଲା ମୁଖପାତ୍ର କେଦାର ଶବର, ସମ୍ଵୁରା ଶବର, କାଡୁକା ଶବର, ଜୁନେଶ ମେଦି, ସୁଙ୍କା ଶବର,ଗଣେଶ୍ଵରୀ ଶବର ଓ ଗୌରୀ ଶବରଙ୍କ ନେତୣତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶହ ଶହ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।
ବିକ୍ଷୋଭରେ ବକ୍ତାମାନେ ନିଜର ବକ୍ତବ୍ୟ ରଖି ରାଜ୍ୟରେ ମୋହନ ମାଝୀଙ୍କ ନେତୣତ୍ଵରେ ବିଜେପିର ଡବଲ ଇଂଜିନ ସରକାର ଦେଶୀ ବିଦେଶୀ ବୣହତ୍ତ କର୍ପୋରେଟମାନଙ୍କ ଏଜେଣ୍ଟ ସାଜି ଜମି, ଜଙ୍ଗଲ ଓ ପାଣିକୁ ସେମାନଙ୍କୁ ଟେକିଦେବାରେ ଲାଗିଛି ବୋଲି କହିଥିଲେ । କମ୍ପାନୀ କବଳରୁ ନିଜର ଜମି, ଜଙ୍ଗଲ ଓ ପାହାଡକୁ ରକ୍ଷା କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକେ ବିଶେଷ କରି ଆଦିବାସୀମାନେ ଗଣତାନ୍ତ୍ରିକ ପଦ୍ଧତିରେ ସଂଘର୍ଷ କରୁଛନ୍ତି । କିନ୍ତୁ ଦୁଃଖର କଥା ସରକାର କମ୍ପାନୀର ବୋଲକରା ହୋଇ ଲୋକଙ୍କ ଉପରେ ଆକ୍ରମଣ କରୁଛି । ରାୟଗଡାର ସିଜିମାଳି, ସୁନ୍ଦରଗଡ଼ର ଲାଞ୍ଜିବେର୍ଣ୍ଣା ଓ କେନ୍ଦୁଝର ଜିଲ୍ଲାର ପାଟଣା ସମେତ ଅନୁସୂଚୀତ ଅଞ୍ଚଳରେ ଥିବା ପେସା ଆଇନ, -୧୯୯୬, ଜଙ୍ଗଲ ଅଧିକାର ଆଇନ -୨୦୦୬ ତଥା ନକରି ସାଧାରଣ ଲୋକ ବିଶେଷ କରି ଆଦିବାସୀମାନଙ୍କ ସାମ୍ଵିଧାନିକ ଓ ଆଇନଗଦ ଅଧିକାରକୁ ଛଡେଇ ନେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।
ନିକଟରେ କାଶିଞଗର ବ୍ଳକର ମଧୂସୁଦନପୁର ଠାରେ ଏକ ସରକାରୀ ଜମିରେ ଘର କରିଥିବା ଆଦିବାସୀମାନଙ୍କୁ ବଳପୂର୍ବକ ଉଚ୍ଛେଦ କରିବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଗାଁର ଆଦିବାସୀ ମହିଳାଙ୍କ ଉପରେ ଯେଉଁଭଳି ମରଣାତ୍ମକ ଆକ୍ରମଣ କରିଥିଲ, ସେହି ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ମଧ୍ୟ ଦାବି କରାଯାଇଥିଲା ।
ଶେଷରେ ଆଠ ଦଫା ଦାଵି ସମ୍ଵଳିତ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେରଣ କରାଯାଇଥିଲା ।