ଯାଜପୁର,୧୩/୧୧(ପିପିଟି): ଧର୍ମଶାଳା ନିର୍ବାଚନମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ୍ ପରିସରରେ ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ୍ ଟ୍ରଷ୍ଟ ଆନୁକୁଲ୍ୟରେ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୧ତମ ସର୍ବଭାରତୀୟ ସିକୁ କପ୍ କ୍ରିକେଟ ଟୁର୍ଣ୍ଣାମେଂଟ । ଏହି ଟୁର୍ଣ୍ଣାମେଂଟରେ ଆମ ରାଜ୍ୟର ୪ ଗୋଟି ଓ ରାଜ୍ୟ ବାହାରୁ ୪ ଗୋଟି ଦଳ ଅଂଶଗ୍ରହଣ କରିବେ । ଆସନ୍ତା ୨୨ ତାରିଖ ଦିନ ଏହି ଟୁର୍ଣ୍ଣାମେଂଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଧର୍ମଶାଳା ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ଆଜି ସୂଚନା ଦିଆଯାଇଛି । ଉଦଘାଟନୀ ଦିବସରେ ଟାଇକୋଣ୍ଡା କ୍ରକେଟ କ୍ଲବ ଭୁବନେଶ୍ୱର ଓ ବିଲାସପୁର କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଂଟରେ ଓଡ଼ିଶାରୁ ତମାଣ୍ଡେ।। କ୍ରିକେଟ କ୍ଲବ ଭୁବନେଶ୍ୱର,ରାଇଜିଙ୍ଗ ସ୍ଟୁଡେଂଟ କଟକ, ଏମସିସି ସମ୍ବଲପୁର, ରାମେଶ୍ୱର ଫାଇଟର୍ସ କେନ୍ଦୁଝର ସମେତ ବିଲାସପୁର କ୍ରିକେଟ ଏକାଡେମୀ ଛତିଶଗଡ଼,ଲକ୍ଷ୍ମୀ ରତନ ସୁକ୍ଲା କ୍ରିକେଟ ଏକାଡେମୀ କଲିକତା, କେଫ ଏକାଡେମୀ ବିହାର ଏବଂ ଭିଦୃ ଟି୨୦କ୍ରିକେଟ ଆସୋସିଏସନ ମହାରାଷ୍ଟ୍ରର ମୋଟ ୮ଟି ନାମୀଦାମୀ କ୍ରିକେଟ୍ ଦଳ ଅଂଶଗ୍ରହଣ କରିବେ । ରବିବାର ଦିନ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା , କୋରେଇ ବିଧାୟକ ଆକାଶ ଦାସ ନାୟକ , ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ , ଭାଜପା ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଟୁ୍ର୍ଣାମେଂଟକୁ ଉଦଘାଟନ କରିବେ । ଏହି ଅବସରରେ କଂଟାମାଳିଆସ୍ଥିତ ପଳାସବୁଡି ପୀଠରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ମସାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏଥିରେ ଓଡ଼ିଶା କ୍ରିକେଟ ମହିଳା ଦଳର ଅଧିନାୟିକା ସୁଶ୍ରୀ ଦିବ୍ୟଦର୍ଶିନୀ , ଦୌଡ଼ରାଣୀ ଦୂତୀ ଚାନ୍ଦ ଯୋଗଦାନ କରିବେ । ଏଥିସହିତ କାଏମା ଅଂଚଳରୁ ଏକ ବାଇକ ଶୋଭାଯାତ୍ରା ଷ୍ଟାଡିୟମ ପର୍ଯ୍ୟନ୍ତ ଆସିବ ଉଭୟ ମସାଲ ଶୋଭାଯାତ୍ରା ଓ ବାଇକ ଶୋଭାଯାତ୍ରାରେ ଟୁର୍ଣ୍ଣାମେଂଟର ଚମ୍ପିଅନ ଓ ରନର୍ସଅପ କପ ପ୍ରଦର୍ଶିତ କରାଯିବ । ଉଦଘାଟନୀ ଉତ୍ସବରେ ଓଲିଉଡର ଅଭିନେତ୍ରୀ ପୁନମ ମିଶ୍ର, ଶୀତଲ ପାତ୍ର, ଭୂମିକା ଦାଶ ଓ ଜୀନା ସାମଲ ପ୍ରମୁଖ ସାମିଲ ହେବେ । ୨୧ ତାରିଖ ଶନିବାର ଦିନ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମ୍ୟାଚ୍ର ଅୟୋଜନ କରାଯାଇଛି । ୨୨ ନଭେମ୍ବର ରବିବାର ଦିନ ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଥିବା ବେଳେ ତାଙ୍କ ସହିତ ଦିଲକ ଜେନା,ବିଶ୍ୱଜିତ ସାମଲ, ସୁବ୍ରତ ଜେନା,ପ୍ରକାଶ ସାମଲ, ନେତ୍ରାନନ୍ଦ ପାତ୍ର,ମକରଧ୍ୱଜ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକୁ ଯୁବ ସଙ୍ଗଠକ ରାଜେଶ କୁମାର ପାଳ ଓ ଅଭିଶେକ ରାଉତ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ଭାଗ ନେଉଥିବା ଦଳଗୁଡ଼ିକ ମଧ୍ୟରେ ଜୋରଦାର ମୁକାବିଲା ହେବା ସହ ଦର୍ଶକମାନେ ଦମଦାର ଖେଳ ଦେଖିବାର ସୁଯୋଗ ପାଇବେ ।