ସିଆରିମାଳରେ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଗାଙ୍ଗପୁର ପୋଲିସ୍ ।

ବେଲଗୁଣ୍ଠା,୨୩/୦୮(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରିମାଳ ଗ୍ରାମରେ ଗତ ଶନିବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭରତ ତାରିଣୀକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ । ସୂଚନା ଥାଉକି ଗତ ରବିବାର ସନ୍ଧ୍ୟାରେ ସିଆରିମାଳ ଗ୍ରାମର ନଗରୀ ସ୍ୱାଇଁ (୪୫) ତାଙ୍କ ସ୍ୱାମୀ ଦିଲ୍ଲୀପ ସ୍ଵାଇଁଙ୍କୁ ସେହି ଗ୍ରାମର ଭରତ ତାରିଣୀ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଥିଲେ । ନଗରୀଙ୍କ ଅଭିଯୋଗ ପ୍ରକାରେ ଦିଲ୍ଲୀପ ମାଛ ଧରିବା ପାଇଁ
ନିଜ ଜମିରେ ଏକ ବେନ୍ଦା ପକାଇଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କ ବେନ୍ଦାରୁ ମାଛ ଚୋରି କରୁ୍ଥିବା ନେଇ ଭରତ ସହିତ ତାଙ୍କର ବଚସା ହୋଇଥିଲା ଏବଂ ଭରତ ତାଙ୍କୁ ମାରି ଦେବା ପାଇଁ ଧମକ ଦେଇଥିଲେ । ଦିଲ୍ଲୀପ୍ ଘରକୁ ଫେରି ଆସି ରାତ୍ରି ଭୋଜନ ପରେ ପୁଣି ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ । ରବିବାର ସକାଳୁ ନଗରୀ ଦିଲ୍ଲୀପଙ୍କୁ ଖୋଜାଖୋଜି କରି ପାଇନଥିବା ବେଳେ ଅପରାହ୍ଣ ଚାରି ଘଣ୍ଟା ସମୟରେ ଏକ ଧାନ ବିଲରେ ଦିଲ୍ଲୀପଙ୍କ ମୃତ ଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ନଗରୀ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭରତ ଦିଲ୍ଲୀପଙ୍କୁ ହତ୍ୟା ପାଇଁ ଧମକ ଦେଇଥିବାରୁ ଭରତ ହିଁ ଦିଲୀପଙ୍କୁ କାତିରେ ହାଣି ହତ୍ୟା କରିଥିବା ନଗରୀ ଅଭିଯୋଗ କରିଥିଲେ । ନଗରୀଙ୍କ ଅଭିଯୋଗ ପରେ ପୋଲିସ୍ କେଶ୍ ନମ୍ବର୍ 348/22,ୟୁ/ଏସ୍ -302/201 ଆଇପିସିରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା I ଆଜି ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ୍ ସମୟରେ ଗାଙ୍ଗପୁର ପୋଲିସ୍ ଭରତର ଘରେ ଚଢ଼ାଉ କରି ଭରତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାତି ଟିକୁ ମଧ୍ୟ ଜବତ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment