***ସାହିତ୍ୟ ସଭା***

ସାହିତ୍ୟ ସଭାରେ ଶ୍ରୋତା କାଁ ଭାଁ
ଚେୟାର ପଡ଼ିଛି ଖାଲି….
ଅତିଥି ଚେୟାର ଜମା ଫାଙ୍କା ନାହିଁ
ଡାକି ହାକି ଥକି ଗଲି…!!
ସମୟଟା ଦେଖ ଗଡି ଗଡ଼ି ଯାଏ
ଅତିଥିଙ୍କ ମନ ପିତା….
କବି କବୟିତ୍ରୀ ଗଲେ କାହିଁ ଦୂରେ
ମିଳୁନି କାହାର ପତା…..!!
ପାଞ୍ଚ ଦଶ ଜଣ କଷ୍ଟେ ମଷ୍ଟେ ଆସି
ମୁହଁକୁ ଆମ୍ବଳ କରି….
ନୈରାଶ ବଦନେ କାନେ କୁହାକୁହି
ଖାଇବା ଅଛି କି କରି….!!
ଆଳୁ ଚପ୍ ଆଉ ସିଙ୍ଗଡ଼ା ବରାକୁ
ଠୁଙ୍ଗାରେ ପୁରାଇ ଧୀରେ….
ଖାଅ ଭାଇ ଟିକେ ଚାହା ଜଳଖିଆ
ପାଣିଟା ପିଇବ ପରେ….!!
ଛେଳି କୁକୁଡ଼ା କି ମାଛ ମାଂସ ନାହିଁ
ପଲାଉ ନାହିଁ କି ଭାତ….
ଶୁଖିଲା ସାହିତ୍ୟେ ପେଟ କି ପୂରିବ
ଚଞ୍ଚଳ ଚଞ୍ଚଳ ଉଠ….!!
କବି କବୟିତ୍ରୀ ଯଦି ଯୋଗ ଦେବେ
ମାନପତ୍ରେ ତାଙ୍କ ମନ…..
ମାଗଣାରେ କିଏ ଗାଇବ କବିତା
ସରୁନି କି ଆମ ଦିନ….!!
ଓଡ଼ିଆ ସାହିତ୍ୟ ଚାଲେ ଭାରି କଷ୍ଟେ
କାହାର ଆଗ୍ରହ ନାହିଁ….
ଓଡ଼ିଆ ଭାଷା ଟା ବଡ ହତାଦର
କାହାକୁ କହିବ ଯାଇ….!!
ସରକାରୀ ସଭା ବଡ ଚକାଚକ୍
ଅର୍ଥର ଅଭାବ ନାହିଁ….
ନଡାକିଆଲା ଲୋକ ଯିବା କୁ ତୟାର
ମାଗଣା ଗେଫିବା ପାଇଁ….!!
ଭିଡଟା ସେଠାରେ ଭାରି ଖଚାଖଚ୍
ଆଖି ହୋଇ ଯିବ ଟେରା…
ସାହିତ୍ୟ ସଭାଟା ଭାରି ହଟହଟା
କିଏ ବା ନଦିଏ ଧରା….!!
ରାଜନୀତି ଦଳ ସଭା କଲେ ଭିଡ
ପୋଲିସ ଜଗୁଆ ହୁଏ….
ଖାଇବା ପିଇବା ସବୁତ ମାଗଣା
ଦକ୍ଷିଣା ଟା ମିଳି ଯାଏ….!!
ଗମନାଗମନ ଚିନ୍ତା ନାହିଁ କିଛି
ଗାଡିରେ ହୁଅଇ ବୁହା….
ଭଡ଼ାରେ ଯିବାକୁ ଅଛନ୍ତି ଜନତା
ଟଙ୍କା ର କମାଲ ଯାହା….!!
ଅଶ୍ଳୀଳ ନୃତ୍ୟକୁ ଦେଖିବାକୁ ଭିଡ
ଡାକ ହାକ କିଛି ନାହିଁ….
ଶୁଙ୍ଘା ମାରି ମାରି ଆସନ୍ତି ଯୁବକ
ଠିକଣା କେ ଭୁଲେ ନାହିଁ….!!
ମଧୁବାବୁ ଡାକେ ଆସୁଥିଲେ ଲୋକେ
ଭାଷା ପ୍ରୀତି ଥିଲା ଚିତ୍ତେ…
ଉତ୍କଳ ମାଟିର ଦାୟଦ ହୋଇଣ
ନାହିଁ ସ୍ବାଭିମାନ ରକ୍ତେ….!!
ଓଡ଼ିଆ ଭାଷାଟି ଏତେ ଅବହେଳା
ମାତୃଭାଷା ହତଶୀରି….
ଇଂରାଜୀ ଭାଷାକୁ ହୃଦୟେ ସାଉଁଟି
ଆମେ ତ ପଣ୍ଡିତ ଭାରି…..!!

(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment