ଜଗତସିଂହପୁର,୧୦/୦୧(ପିପିଟି);ଆଜି ପୂର୍ବାହ୍ନରେ ଶ୍ରୀ ହଟକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଜଗତସିଂହପୁର ସାହିତ୍ୟ ପରିଷଦର ପୌଷ ଆସର ଓ ସାଙ୍ଗଠନିକ ସଭା ପରିଷଦର ସ୍ଥାୟୀ ସଭାପତି କବି ଅଜୟ ବେହେରାଙ୍କ ପୌରହିତ୍ୟରେ ହୋଇଯାଇଛି । ଏହି ସଭାରେ ସମ୍ମାନନୀୟ ଅତିଥି ଭାବେ ଗାଳ୍ପିକ ବିଷ୍ଣୁ ସାହୁ,ନଵକାକଳି ର ସଂପାଦକ ଅଧ୍ୟାପକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ,ନାଇଜରର କୁଳସଚିବ ଡଃ. ଅଭୟ କୁମାର ନାୟକ ମଞ୍ଚାସୀନ ରହି ସାହିତ୍ୟକୁ ଲୋକାଭିମୁଖୀ କରିବା ସହ ସ୍ରଷ୍ଟାମାନେ ସୃଷ୍ଟି ପୂର୍ବରୁ ପର୍ଯ୍ୟାପ୍ତ ପୁସ୍ତକ ପାଠ କରିବାକୁ ମତ ଦେଇ ବନାନ ତ୍ରୁଟି ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ପରିଷଦର ସଂପାଦକ କବି ଉମାକାନ୍ତ ନାୟକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ନଵକାକଳି ର ମକର ସଂଖ୍ୟା ଓ ନଵକାକଳି କବିତା କ୍ୟାଲେଣ୍ଡର ୨୦୨୧ କୁ ମଞ୍ଚାସୀନ ଅତିଥି ମାନେ ଲୋକାର୍ପଣ କରିଥିଲେ । ନାଟ୍ୟକାର ଡଃ. କୈଳାସ ମଲ୍ଲିକ, ଔପନ୍ୟାସିକ ଭାଗିରଥୀ ଦାସ ବକ୍ତବ୍ୟ ଦେବା ପରେ ଡ. ସଙ୍ଗୀତା ପଣ୍ଡାଙ୍କ ସଂଯୋଜନାରେ ୧୫ ଜଣ କଵି ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ପରିଷଦର କୋଷାଧ୍ୟକ୍ଷ ପୂର୍ଣ୍ଣ ମିଶ୍ର ଧନ୍ୟବାଦ ପ୍ରଦାନ କରିବା ପରେ ସଭା ଶେଷ ହୋଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)