ଭଞ୍ଜନଗର,୨୨/୦୮(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଉଁଶ ଲୁଣ୍ଡି ଠାରେ ଥିବା ସାହାରା କାର୍ଯ୍ୟାଳୟରେ ଆଜି ବହୁ ସଂଖ୍ୟକ ଜମାକାରୀ ଉପସ୍ଥିତ ହୋଇ ନିଜ ଜମା ଟଙ୍କା ଫେରି ପାଇବା ପାଇଁ କାର୍ଯ୍ୟାଳୟ ଘେରାଉ କରିଥିଲେ।ଯାହାକୁ ନେଇ ସେଠାରେ ବହୁ ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା।ଗତ ୨୦୧୨ମସିହା ଠାରୁ ସଂସ୍ଥା ତରଫରୁ କୌଣସି ଜମାକାରୀଙ୍କୁ ମେଚୁରିଟି ଟଙ୍କା ପ୍ରଦାନ କରାଯାଇ ନାହିଁ। ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଜମାକାରୀମାନେ ନିରାଶ ହେଉଛନ୍ତି। ହେଲେ ସେମାନଙ୍କର ସମସ୍ୟାର ସମାଧାନ ହେଉନାହିଁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜ ପେଟ କାଟି ଅର୍ଥ ସଞ୍ଚିତ କରି ରଖିଥିବା ବହୁ ଗରିବ,ଶ୍ରମିକ ଓ ସାଧାରଣ ବର୍ଗର ଲୋକମାନେ ଆଜି ନିଜ ଜମା ଟଙ୍କା ନପାଇ ହଇରାଣ ହେଉଛନ୍ତି।ଯାହା ଫଳରେ ଅନେକଙ୍କ ଝିଅ ବାହାଘର, ଡାକ୍ତରୀ ଚିକିତ୍ସା, ପିଲାଙ୍କ ପାଠ ପଢା,ଗୃହ ନିର୍ମାଣ, ଋଣ ପରିଶୋଧ କରି ନପାରି ବହୁ ଜରୁରୀ କାର୍ଯ୍ୟ ଅଟକି ରହିଛି। ସେଥି ମଧ୍ୟରେ କେତେକ ଟଙ୍କା ନପାଇ ମୃତ୍ୟୁବରଣ କରି ସାରିଲେଣି। ଭଞ୍ଜନଗର ଶାଖା ଅଧୀନରେ ଜମାକାରୀଙ୍କ ପ୍ରାୟ ୨ଶହ କୋଟି ଟଙ୍କା ବକେୟା ଥିବା ବେଳେ ଅର୍ଥ ଫେରସ୍ତ ନହେବା ଯାଏଁ କାର୍ଯ୍ୟଳୟ ବନ୍ଦ ରଖିବାକୁ ଜମାକାରୀ ମାନେ ଦାବି କରି କର୍ମଚାରୀ ମାନଙ୍କୁ ଅଫିସ ଭିତରକୁ ଛାଡ଼ି ନଥିଲେ।ଏଥିରେ ଭଞ୍ଜନଗର, ଆସ୍କା,ବେଲଗୁଣ୍ଠା,ଜଗନ୍ନାଥ ପ୍ରସାଦ ଓ ସୋରଡ଼ା ଅଞ୍ଚଳର ବହୁ ଜମାକାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )