ସାହାରା ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକାଠି ହେଲେ ଜମାକାରୀ ଓ ଏଜେଣ୍ଟ ।

ଭଞ୍ଜନଗର,୨୬/୧୦(ପିପିଟି): ଗତ କିଛି ବର୍ଷ ହେଲା ବିଭିନ୍ନ ଲୋଭ ଦେଖାଇ ସାଧାରଣ ଲୋକଙ୍କ ଠାରୁ ସାହାରା ଇଣ୍ଡିଆ ତାର ବିଭିନ୍ନ ସ୍କିମ ଜରିଆରେ କୋଟି କୋଟି ଟଙ୍କା ଜମାକାରୀଙ୍କ ଠାରୁ ଆଦାୟ କରିଥିଲା। ହେଲେ ତାର ସମୟ ଅବଧି ଦୀର୍ଘ ଦିନ ହେଲା ଶେଷ ହୋଇ ପରିପକ୍ଵ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜମାକାରୀଙ୍କ ବକେୟା ଅର୍ଥ ସଂସ୍ଥା ତରଫରୁ ମିଳିନାହିଁ।ସେମାନେ ବାରମ୍ବାର ସାହାରା ଇଣ୍ଡିଆ ଶାଖା କାର୍ଯ୍ୟଳୟକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି।ସେମାନେ ନିଜ ପେଟକୁ କାଟି ଦୁଃଖ କଷ୍ଟରେ ଅର୍ଥ ଜମା କରିଥିବାରୁ ଏବେ ଚିନ୍ତାରେ ଅଛନ୍ତି ଏଜେଣ୍ଟ ଓ ଜମାକାରୀ।ଏସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ସଂସ୍ଥା ଅର୍ଥ ଫେରାଉ ନଥିବାରୁ ଏଜେଣ୍ଟମାନେ ଜମାକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। କର୍ମକର୍ତ୍ତା ମାନେ ବିଭିନ୍ନ ଅସାମାଜିକ ଲୋକଙ୍କ ଦ୍ୱାରା ଜମାକାରୀଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।ଏହାର ସମାଧାନ ପାଇଁ ମଙ୍ଗଳବାର ଭଞ୍ଜନଗର, ବେଲଗୁଣ୍ଠା ଓ ବୁଗୁଡା ଶାଖାର ବହୁ ଜମାକାରୀ ଓ କର୍ମକର୍ତ୍ତା ଏକାଠି ହୋଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏଥିରେ ଭଜରାମ ବାରିକ, ସନ୍ତୋଷ କୁମାର ପ୍ରଧାନ, ପି. ଅନୀଲ କୁମାର ରାଓ, ଅଶୋକ କୁମାର ପାଢୀ, ପ୍ରଦୀପ କୁମାର ପାଢୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment