କବିସୂର୍ଯ୍ଯ ନଗର,୦୭/୦୯(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ପଞ୍ଚାୟତରେ ସାର କଳାବଜାରୀକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ମହାମାରୀର ପ୍ରଭାବରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସାର ଚଢା ଦରରେ ବିକ୍ରି ଏବେ ବୋଝ ଉପରେ ଲଳିତା ବିଡା ଭଳି ଘଟଣା ଘଟିଛି। ସରକାରୀ ମୂଲ୍ୟ ଅନୁସାରେ ସାର ୨୬୬.୫୦ ଟଙ୍କା ଥିବାବେଳେ, କଳାବଜାର ରେ ସାର ବସ୍ତା ପିଛା ୪୮୦ ଟଙ୍କା ଏବଂ ବଜାରରେ ୬୦୦ ଟଙ୍କାରେ ବିକ୍ରି ହେଉଥିବାରୁ ଚାଷୀଙ୍କୁ ଶୋଷଣ କରାଯାଉଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାପାଳଙ୍କ ତାଗିଦ୍ ସ୍ବତ୍ତେ ସୋସାଇଟି କର୍ମଚାରୀ ଓ ବ୍ଯବସାୟୀମାନେ ସୁଧୁରୁନାହାଁନ୍ତି। ଆଜି ବଡମହୁରୀ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ଚଢା ଦରରେ ସର ବିକ୍ରି ଓ ବିନା ରସିଦ୍ ରେ ବିକ୍ରି ଘଟଣାକୁ ଚାଷୀ ମାନେ ବିରୋଧ କରିବାରୁ କର୍ମଚାରୀ କାର୍ଯ୍ୟାଳୟ ବନ୍ଦ କରି ପଳାଇଥିଲେ। ଶତାଧିକ ଚାଷୀ ଏହି ଘଟଣାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇବା ସହିତ ଗୋଦାମରେ ତାଲା ପକାଇ ଥିଲେ। ଚାଷୀ ମାନଙ୍କୁ କିଭଳି ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ବଣ୍ଟନ କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଦାବି ହେଉଛି। ସାର କଳାବଜାରୀ ରେ ସଂପୃକ୍ତ ଥିବା ସୋସାଇଟି କର୍ମଚାରୀ ଓ ବ୍ୟବସାୟୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ମହଲରେ ଦାବି ହେଉଛି। କବିସୂର୍ଯ୍ଯ ନଗର ତହସିଲଦାର,କୃଷି ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଚାଷୀଙ୍କୁ ବୁଝାଶୁଝା କରିଥିଲେ। (ରିପୋର୍ଟ- ଉମା ଚରଣ ପଟ୍ଟନାୟକ।)