ସାମ୍ଯବାଦର ପ୍ରତୀକ ଡଃ ବାବା ସାହେବ ଆମ୍ବେଦକର ।

ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମଏ,ସମାଜ ବିଜ୍ଞାନ)

ଭାରତୀୟ ସଂବିଧାନର ପ୍ରଣେତା ତଥ ଭାରତୀୟ ସଂବିଧାନର ଜନକ,ମହାନ ସମାଜ ସଂସ୍କାରକ, ଦଳିତ,ପତିତ,ଅବହେଳିତ,ନିଷ୍ପେଷିତ ସମାଜର ତ୍ରାଣକର୍ତ୍ତା,ବୋଧିସତ୍ବ, ମାନବବାଦୀ, ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକର ବିଶ୍ବଦରବାରରେ ଏକ ବିରଳ ବ୍ଯକ୍ତିତ୍ବ । ସେ ଏକାଧାରରେ ଜଣେ ଆଇନଜ୍ଞ,ଦାର୍ଶନିକ, ନୃତତ୍ତ୍ବବିତ, ରାଜନୀତିଜ୍ଞ,ଐତିହାସିକ, ଅର୍ଥନୀତିଜ୍ଞ,ଲେଖକ,ସଂପାଦକ, ବିପ୍ଳବୀ ନେତା,ସମାଜ ସଂସ୍କାରକ ଓ ବିଶ୍ବ ବିକ୍ଷାତ ବିଦ୍ବାନ ଭାବେ ସୁପ୍ରସିଦ୍ଧ । ଭାରତ ବର୍ଷରେ ପାରମ୍ପାରିକ ଘୃଣିତ ଜାତି ପ୍ରଥା ବିଲୋପର ମହାରଥି, ମହାଯୋଦ୍ଧା ଏବଂ ସଂଗ୍ରାମୀ ମହାପୁରୁଷ ସେ କେବଳ ଦଳିତ ପତିତଙ୍କ ମୁକ୍ତିଦାତା ନଥିଲେ ସେ ଥିଲେ ନିଷ୍ପେଷିତ ନାରୀ ସମାଜର ତ୍ରାଣକର୍ତ୍ତା, ଶ୍ରମଜୀବୀଙ୍କ ଉଦ୍ଧାରକର୍ତ୍ତା । ସର୍ବୋପରି ସମାଜର ଦରିଦ୍ର, ଅବହେଳିତ, ନିର୍ଯ୍ଯାତିତ ଓ ପଛୁଆ ବର୍ଗଙ୍କ ପାଇଁ ଥିଲେ ମହାନ ସଂଗ୍ରାମୀ ନେତା । ତାଙ୍କ ଦୃଷ୍ଟିକୋଣରେ ଜାତି, ବର୍ଣ୍ଣ, ଲିଂଗ, ଧର୍ମ, ନିର୍ବିଶେଷରେ ସମସ୍ତେ ସମାନ । ବିଭେଦରୁ ଥିଲେ ବହୁତ ଊର୍ଦ୍ଧ୍ବରେ । ମାନବବାଦୀ ଜନନାୟକ। ଯେଉଁ ସମୟରେ ଭାରତୀୟ ହିନ୍ଦୁ ସମାଜରେ ତୀବ୍ର ଜାତି ପ୍ରଥା ଚରମ ସୀମାରେ ଉପନିତ ହୋଇଥିଲା, ସେହି ଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଗ୍ରହଣ ହୋଇଥିଲା । ସେହି ମହାପୁରୁଷଙ୍କ ଜନ୍ମ ୧୪ ଏପ୍ରିଲ ୧୮୯୧ ମସିହା ମହୁ ନାମକ ଏକ ସେନା ଛାଉଣିରେ ହୋଇଥିଲା । ତାଙ୍କ ପୈତୃକ ନିବାସ ଥିଲା ମହାରାଷ୍ଟ୍ର ରାଜ୍ଯ ଅନ୍ତର୍ଗତ ରତ୍ନଗିରି ଜିଲ୍ଲା ନିକଟସ୍ଥ ଆମ୍ବାୱାଡେ ଗ୍ରାମରେ । ସେ ରାମୋଜୀ ଶକପାଲଙ୍କ ୧୪ତମ ସନ୍ତାନ ଥିଲେ । ୧୮୯୬ ମସିହା ବେଳକୁ ଯେତେବେଳେ ଆମ୍ବେଦକରଙ୍କୁ ୫ ବର୍ଷ ବୟସ ହୋଇଥିଲା ତାଙ୍କ ମାତା ଭୀମାବାଈ ଈହଲୀଳା ସମ୍ବରଣ କରିଥିଲେ । ଏକ ସନ୍ତାନ ପାଇଁ ବାଲ୍ଯ ଜୀବନରେ ପରିବାର କିମ୍ବା ସମାଜରୁ ହେଉ ବାତ୍ସଲ୍ୟ ମମତା, ଶ୍ରଦ୍ଧା,ଆଦର,ପ୍ରେମ ଆବଶ୍ଯକ ହୋଇଥାଏ; ଆମ୍ବେଦକରଙ୍କ ବାଲ୍ୟ ଜୀବନରୁ ହିଁ ନିର୍ଯାତନା, ତିରଷ୍କାର ଏବଂ ଘୃଣାର ସମ୍ମୁଖିନ ହେବାକୁ ପଡିଥିଲା । ଯେତେବେଳେ ବାଲ୍ଯ ଶିକ୍ଷା ଲାଗି ନିକଟସ୍ଥ ପ୍ରାଥମିକ ବିଦ୍ଯାଳୟରେ ନାମ ଲେଖାଗଲା, ସେତେବେଳେ ଉକ୍ତ ବିଦ୍ଯାଳୟରେ ଉଚ୍ଚ ବର୍ଣ୍ଣର ପିଲାମାନେ ବିଦ୍ଯାଧ୍ଯୟନ କରୁଥିଲେ । ମାତ୍ର ଆମ୍ବେଦକର ନୀଚ୍ଚ ଜାତିରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କ ପ୍ରତି କଠୋର କଟକଣା ଲାଗୁହୋଇଥିଲା । ବସିବା,ଉଠିବା ଖାଇବା,ପିଇବାରେ ତୀକ୍ଷଣ ନଜର ରଖାଯାଉଥିଲା । ଉକ୍ତ ପ୍ରାଥମିକ ବିଦ୍ଯାଳୟରେ ୩ୟ ଶ୍ରେଣୀ ଯାଏଁ ପାଠ ପଢାଯାଉଥିଲା । ଶିକ୍ଷକ କୌଣସି ଶ୍ରେଣୀର ପିଲଙ୍କ ଗହଣରେ ଆମ୍ବେଦକରଙ୍କୁ ନବସାଇ ବରଣ୍ଡାର ଏକ କୋଣରେ ବସାଇଦିଆ ଯାଉଥିଲା । ତତ୍କାଳିନ ସମୟରେ ଏହା ଏକ ଲଜ୍ଜା ଜନକ ଘଟଣା ଥିଲା । ଆମ୍ବଦକର ଶିକ୍ଷକଙ୍କ ପାଇଁ ଏକ ମୁଣ୍ଡ ବ୍ଯଥାର କାରଣ ହୋଇ ପଡିଥିଲା । ଶିକ୍ଷକମାନେ ବାଳକ ଆମ୍ବେଦକରଙ୍କୁ କଦର୍ଯ୍ଯ ଭାଷାରେ ବ୍ଯବହାର କରୁଥିଲେ । ତାଙ୍କୁ ସ୍ପର୍ଶ ମଧ୍ଯ କରୁ ନଥିଲେ ।ବିଦ୍ଯାଳୟ ପ୍ରଶାସନ ଆମ୍ବେଦକରଙ୍କ ପ୍ରତ୍ଯେକଟି ଗତି ବିଧିକୁ ଲକ୍ଷ୍ଯ ରଖୁଥିଲେ । ପଢା ଲେଖା ଠାରୁ ଖାଇବା ପିଇବା ପର୍ଯ୍ଯନ୍ତ ପ୍ରତିବନ୍ଧକ ଲାଗୁ କରାଯାଇଥିଲା ,କାରଣ ଦଳିତ ପିଲା ଭୀମରାଓ ଯେଉଁ ଜିନିଷକୁ ଛୁଇଁବ ଅପବିତ୍ର ହୋଇଯିବ । ଏଣୁ ଆମ୍ବେଦକରଙ୍କୁ ତୃଷା ଲାଗଲେ,ବହୁ ଦୂରରେ ,ବହୁ ସମୟ ଧରି ମାଠିଆ ନିକଟରେ ଦଣ୍ଡାୟମାନ ହେବାକୁ ପଡୁଥିଲା । ଯେତେବେଳ ପର୍ଯ୍ଯନ୍ତ ଏକ ଉଚ୍ଚ ବର୍ଗର ପିଲା ପାଣି ନପିଆଇଛି, ସେତେବେଳ ଯାଏଁ ଅପେକ୍ଷା ରତ ହେବାକୁ ପଡୁଥିଲା । ଥରେ ବାଳକ ଆମ୍ବେଦକର ବହି ବସ୍ତାନି ଧରି ସ୍କୁଲକୁ ବାହାରି ପଡନ୍ତି;ବାଟରେ ଭୀଷଣ ବର୍ଷା ହେବାରୁ ସେ ଓଦା ହୋଇଯିବା ଭୟରେ ଏକ ସବର୍ଣ୍ଣ ଘର କାନ୍ଥରେ ଆଉଜି ରହିଲେ । ଘରର ମାଲିକ ଆମ୍ବେଦକରଙ୍କୁ ଦେଖି କ୍ରୋଧରେ ଜର୍ଜରିତ ହୋଇ ପଡିଲା । ସେ ଦୂର୍ ଦୂର୍ ହୁଅ ବୋଲି ଚିତ୍କାର କଲା । ଆମ୍ବେଦକର କହଲେ-ବର୍ଷା ଛାଡି ଗଲା ପରେ ସେ ଚାଲିଯିବାକୁ ଅନୁରୋଧ କଲେ । ଅସ୍ପୃଶ୍ଯ ବାଳକ ତାଙ୍କ ଘର କାନ୍ଥକୁ ଆଉଜି ବିଟାଳ କରିଦେଲା ଭାବି ଏମିତି ଧକ୍କା ମାରିଲା ଯେ,ବାଳକ ଆମ୍ବେଦକର ପ୍ରବଳ ବର୍ଷାରେ କଚାଡି ହୋଇ ପଡିଲେ । ତାଙ୍କର ସର୍ବାଙ୍ଗ ବର୍ଷାରେ ଭିଜିବା ସହ ବହି ପତ୍ର ସବୁ ଓଦା ହୋଇଗଲା । ଏମିତି ଦୁର୍ଦ୍ଦଶା ସତ୍ବେ ଧୈର୍ଯ୍ଯ ଚ୍ଯୁତ ନହୋଇ ସେ ସ୍କୁଲରେ ପହଞ୍ଚିଲେ । ଆମ୍ବେଦକରଙ୍କୁ ଯେତେବେଳେ ନଅ ବର୍ଷ ହୋଇଥିଲା,ତାଙ୍କୁ ସତାରା ସରକାରୀ ଉଚ୍ଚ ବିଦ୍ଯାଳୟରେ ବିଦ୍ୟାଧୟନ ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କର ଭଲ ପାଠ ପଢା ଏବଂ ବିଚକ୍ଷଣ ବୁଦ୍ଧି ଯୋଗୁଁ ସେହି ବିଦ୍ଯାଳୟର ଜଣେ ଶିକ୍ଷକ ତାଙ୍କୁ ବହୁତ ଭଲ ପାଉଥିଲେ । ସେ ଜଣେ ବ୍ରାହ୍ମଣ ଶିକ୍ଷକ ଥିଲେ । ତାଙ୍କ ନାମ ମହାଦେବ ଆମ୍ବେଦକର । ସେ ଚିନ୍ତା କଲେ ଯେ ଆମ୍ବେୱାଡେକର ସଂଜ୍ଞା ଯୋଗୁଁ ଭୀମରାଓ ଘୃଣିତ ହେଉଛି,ତେଣୁ ସେ ନିଜର ସଂଜ୍ଞା ଦାନ କରି ଆମ୍ବେୱାଡେକର ସଂଜ୍ଞାଟି ସ୍କୁଲ ରେକର୍ଡ ଖାତାରୁ କାଟି ଦେଇଥିଲେ । ଆମ୍ବେଦକରଙ୍କ ପ୍ରଗତି ପଥେ ଯେପରି ତାଙ୍କ ସଂଜ୍ଞାଟି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ । ୧୯୦୨ ମସିହାରେ ଆମ୍ବଦକରଙ୍କ ପରିବାର ବମ୍ବେକୁ ସ୍ଥାନାନ୍ତରିତ ହେଲା ଏବଂ ସେଠାରେ ନାମ ଲେଖାଇ ବିଦ୍ଯାଧ୍ଯୟନ କଲେ । ଆମ୍ବେଦକରଙ୍କ ପ୍ରବଳ ଇଛା ସଂସ୍କୃତରେ ପାଠ ପଢିବେ। ସଂସ୍କୃତ ଶିକ୍ଷା କରି ବେଦ ଉପନିଷେଦ ପଢିବେ । କିନ୍ତୁ ଉକ୍ତ ବିଦ୍ଯାଳୟରେ ଉଚ୍ଚ ବର୍ଣ୍ଣର ଛାତ୍ରମାନଙ୍କୁ ହିଁ ସଂସ୍କୃତ ପଢିବା ଲାଗି ଯୋଗ୍ଯ ବିବେଚିତ ମନେ କରାଯାଉଥିଲା । କୌଣସି ଅସ୍ପୃଶ୍ୟ ଛାତ୍ରକୁ ସଂସ୍କୃତ ପଢିବା ଅଧିକାର ନଥିଲା । ଯେଉଁ ଶିକ୍ଷକ ଏହି କଠୋର ନିୟମକୁ ମାନୁ ନଥିଲେ, ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଉଥିଲା । ଏଣୁ ଆମ୍ବେଦକରଙ୍କ ସଂସ୍କୃତ ପଢିବା ଆଶା ମଉଳି ଯାଇଥିଲା; ପରବର୍ତ୍ତୀ ସମୟରେ ନିଜ ପ୍ରଚେଷ୍ଠାରେ ସଂସ୍କୃତ ପଢି ଦକ୍ଷତା ଅର୍ଜନ କରିଥିଲେ । ହିନ୍ଦୁ ଧର୍ମର ସମସ୍ତ ଶାସ୍ତ୍ର ପଠନ କରିବାରେ ପାରଙ୍ଗମ ହୋଇ ପାରିଥିଲେ । ୧୯୦୭ରେ ସେ ମାଧ୍ଯମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ମୋଟ ୭୫୦ ଅଙ୍କ ମଧ୍ଯରୁ ୩୮୨ ରଖି କୃତ୍ତିତ୍ବ ଅର୍ଜନ କରିଥିଲେ । ବମ୍ବେର ଏଲଫିନଷ୍ଟୋନ୍ ଉଚ୍ଚ ବିଦ୍ଯାଳୟରୁ ଭାରତ ବର୍ଷରେ ପ୍ରଥମ ମାଧ୍ଯମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ମାହାର ଜାତିର ବାଳକ । ଏଥି ପାଇଁ ମାହାର ଜାତିରେ ଏକ ଆନନ୍ଦର ଲହରୀ ଖେଳି ଯାଇଥିଲା । ଆମ୍ବେଦକରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ପାଇଁ ଏକ ସଭାର ଆୟୋଜନ କରା ଯାଇଥିଲା । ୧୯୦୬ରେ ସେ ନଅ ବର୍ଷର କନ୍ଯା ରମାବାଈଙ୍କୁ ବିବାହ କରିଥିଲେ । ୧୯୧୨ରେ ସେ ବମ୍ବେ ବିଶ୍ବ ବିଦ୍ଯାଳୟରୁ ଅର୍ଥ ଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ୧୯ ବର୍ଷ ପରେ ତାଙ୍କର ପ୍ରଥମ ପୁତ୍ର ଯଶବନ୍ତ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ । ୧୯୧୩ରେ ତାଙ୍କ ପିତା ରାମୋଜୀ ଶକପାଲଙ୍କର ଦେହାନ୍ତ ହୋଇଥିଲା । ସେହି ବର୍ଷ ବରୋଦାର ରାଜା ଗାଏକୱାଡଙ୍କ ଠାରୁ ତିନି ବର୍ଷ ପର୍ଯ୍ଯନ୍ତ ବୃତ୍ତି ପାଇ କଲୋମ୍ବିଆ ବିଶ୍ବ ବିଦ୍ଯାଳୟରେ ପୋଷ୍ଟ ଗ୍ରଜୁଏଟ ପଢିବା ପାଇଁ ପ୍ରସ୍ଥାନ କଲେ ।
୧୯୨୦ରେ ବିଲାତ ଯାଇ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ । ୧୯୨୩ରେ ଉଚ୍ଚ ଶିକ୍ଷା ସମାପ୍ତ କରି ଭାରତ ପ୍ରତ୍ଯାବର୍ତ୍ତନ କରି ଗାଏକୱାଡ ରାଜାଙ୍କ ନିକଟରେ ମିଲିଟାରୀ ସଚିବ ପଦବୀରେ ନିଯୁକ୍ତି ପାଇଥିଲେ । ସେଠାରେ ଥିବା ୪ର୍ଥ ଶ୍ରେଣୀ କର୍ମଚାରୀମାନେ ଫାଇଲ ପତ୍ର ଆମ୍ବେଦକରଙ୍କ ହାତକୁ ନବଢାଇ ଛୁଆଁ ଅଛୁଆଁ ଭେଦଭାବ କାରଣରୁ ଉପରକୁ ଫୋପାଡୁଥିଲେ । ଏହି ଘଟଣା ଆମ୍ବେଦକରଙ୍କ ହୃଦୟକୁ ବହୁତ ବ୍ଯଥିତ କରିଥିଲା । ତାଙ୍କ ସ୍ବାଭିମାନଙ୍କୁ ଆଞ୍ଚ ଆସିବା ଫଳରେ ସେ ସଚିବ ଭଳି ଉଚ୍ଚ ପଦବୀକୁ ତ୍ଯାଗ କରି ସ୍ବାଧୀନ ଭାବେ ଜୀବୀକା ନର୍ବାହ ଲାଗି ଇଛା ପ୍ରକାଶ କରିଥିଲେ । ଘରୋଇ ଶିକ୍ଷା,ଏକାଉଣ୍ଟ ବ୍ଯବସାୟ ପରାମର୍ଶଦାତା ଆଦି କାର୍ଯ୍ଯ ଗ୍ରାହାକ ଅଭାବରୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । କାରଣ ଆମ୍ବେଦକର ଥିଲେ ଜଣେ ଅଛୁଆଁ ବ୍ଯକ୍ତି ।ପରବର୍ତ୍ତୀ ସମୟରେ ୧୯୧୮ରେ ସେ ବମ୍ବେର ସିଡେନହାମ କଲେଜରେ ପ୍ରଫେସର ଭାବେ ନିଯୁକ୍ତି ପାଇଲେ । ତାଙ୍କ ପାଠ ପଢାରେ ଛାତ୍ର ମହଲରେ ଏକ ଆଲୋଡନ ଖେଳିଗଲା । ମାତ୍ର ପ୍ରଫେସରମାନେ ଗୋଟିଏ ଜାଗାରେ ପାଣି ପିଇବାକୁ ଇଛା ପ୍ରକାଶ ନ କରିବା ଫଳରେ ସେ ଅଧ୍ଯାପକ ଚାକିରି ଛାଡି ଦେଇଥିଲେ । ୧୯୨୦ ମସିହାରେ “ମୂକ ନାୟକ” ଏକ ପତ୍ରିକା ପ୍ରକାଶିତ କରି ହିନ୍ଦୁ ଧର୍ମରେ ଥିବା କୁସଂସ୍କାର ବିରୁଧରେ ରଚନାତ୍ମକ ଲେଖାମାନ ପ୍ରକଶ କଲେ । ୧୯୨୪ ମାର୍ଚ୍ଚ ୯ ତାରଖରେ “ବହିଷ୍କୃତ ହିତକାରେଣୀ” ଏକ ସମତା ଭିତିକ ସାମାଜିକ ସଂଗଠନ ଗଠନ କରି ଆନ୍ଦୋଳନ ଆରମ୍ଭ କଲେ । ଅସ୍ପୃଶ୍ୟମାନଙ୍କ ଅଧିକାର ପାଇଁ ତାଙ୍କ ସଂଗଠନ ସତ୍ଯାଗ୍ରହ କରି ଜଳାଶୟଗୁଡିକରୁ ଜଳ ପାନ କରିବା ଅଭିଯାନ ଆରମ୍ଭ କଲେ । ଦଳିତମାନଙ୍କୁ ଧରି ବିଭିନ୍ନ ମନ୍ଦିର ଗୁଡିକରେ ପ୍ରବେଶ କରାଇ ଜାତି ପ୍ରଥା ବିଲୋପ ଲାଗି ସତ୍ଯାଗ୍ରହକୁ ତୀବ୍ରତ୍ତର କଲେ । ସେ ସମୟରେ ଆମ୍ବେଦକର ଦଳିତ ନେତା ଭାବରେ ଲୋକଙ୍କ ଗହଣରେ ଜନ ପ୍ରିୟତା ଅର୍ଜନ କରିଥିଲା । ୧୯୩୨ରେ ଦ୍ବିତୀୟ ଗୋଲ ଟେବୁଲ ବୈଠକ ବସିଲା । ଉକ୍ତ ବୈଠକରେ ଆମ୍ବେଦର ଯୋଗଦେଇ ଦଳିତ ସମାଜର ଉତ୍ଥାନ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ଦାବି କରିଥିଲେ । ଏହି ପ୍ରସ୍ତାବକୁ ଇଂରେଜମାନେ ସମ୍ମତି ଜଣାଇଥିଲେ । କିନ୍ତୁ ପୃଥକ ନିର୍ବାଚନ ମଣ୍ଡଳୀକୁ ମହାତ୍ମା ଗାନ୍ଧି ଘୋର ବିରୋଧ କରି ପୁନାର ଏରୱାଡ ଜେଲ ଠାରେ ଆମରଣ ଅନଶନ ଆରମ୍ଭ କଲେ । ଆମ୍ବେଦକରଙ୍କୁ ମଦନ ମୋହନ ମାଲଭିଅ ଏବଂ ପାଲ ୱାଲକର ବାଲୁ ବହୁ ବଡ ବଡ ନେତା ବୁଝାସୁଝା କଲା ପରେ ସେ ପୃଥକ ନିର୍ବାଚନ ମଣ୍ଡଳୀ ଦାବିରୁ ଓହରି ଯାଇଥିଲେ । ଅସ୍ପୃଶ୍ୟମାନଙ୍କୁ ବର୍ଣ୍ଣ ହିନ୍ଦୁମାନଙ୍କ ସମକକ୍ଷ କରିବା ପାଇଁ ମହାତ୍ମା ଗାନ୍ଧି ଏବଂ ଆମ୍ବେଦକରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ଏହାକୁ ପୁନା ଚୁକ୍ତି କୁହାଯାଏ । ୧୯୩୬ରେ ଆମ୍ବେଦକର ଇଣ୍ଡିପେଣ୍ଡେଣ୍ଟ ଲେବର ପାର୍ଟି ଗଠନ କଲେ ।ବମ୍ବେ ବ୍ଯବସ୍ଥାପକ ସଭା ପାଇଁ ୧୩ ଜଣ ସଂରକ୍ଷଣ ପ୍ରର୍ଥି ଏବଂ ୪ ଜଣ ସାଧାରଣ ପ୍ରାର୍ଥିଙ୍କୁ ଟିକେଟ୍ ଦେଇ ନିର୍ବାଚନରେ ଦଣ୍ଡାୟମାନ କରାଇଲେ । ସେଥିରୁ ୧୧ଜଣ ସଂରକ୍ଷଣ ପ୍ରାର୍ଥି ଏବଂ ୩ ଜଣ ସାଧାରଣ ପ୍ରାର୍ଥି ଜୟଯୁକ୍ତ ହେଲେ କିନ୍ତୁ ଅନ୍ଯ ଏକ ସେଡୁଲକାଷ୍ଟ ଫେଡେରେସନ ପାର୍ଟି ଗଠନ କରି ନିର୍ବାଚନ ଲଢି ଶୋଚନୀୟ ପରାସ୍ତ ହୋଇଥିଲେ । ଭାରତ ଇଂରେଜ ମାନଙ୍କ ଶାସନରୁ ମୁକ୍ତ ହୋଇ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ପ୍ରାପ୍ତ ହେଲା । ଦେଶକୁ ଚଳାଇବାକୁ ଏକ ସଂବିଧାନର ଆବଶ୍ଯକ ପଡିଲା । ୧୯୩୪ ମସିହା ପର୍ଯ୍ଯନ୍ତ ଭାରତର ଜନସାଧାରଣ ନିଜ ଦେଶ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ କରିବା ସଂପର୍କରେ ସଚେତନ ନଥିଲେ । ଏହି ଚିନ୍ତାଧାରା ପ୍ରଥମେ ମାନବେନ୍ଦ୍ର ନାଥ ରାୟଙ୍କ ଚିନ୍ତା କରି ଦାବି ଉପସ୍ଥାପନ କରିଥିଲେ । ଏଥି ପାଇଁ ୧୯୪୬ ମସିହା ଜୁଲାଇ ମାସରେ ଶାସନ ବିଧାୟକ ସଭା ନିର୍ବାଚନ ଆୟୋଜିତ ହୋଇଥିଲା । ଫଳରେ କଂଗ୍ରେସକୁ ୨୯୬ରୁ ୨୧୧ଟି ସଦସ୍ଯ,ମୁସଲିମ ଲିଗକୁ ୭୩ ସଦସ୍ଯ,ସ୍ବାଧୀନ ଓ ଅନ୍ଯାନ୍ଯ ଦଳକୁ ୧୨ ଜଣ ସଦସ୍ଯ ଏବଂ ରାଜ୍ଯମାନଙ୍କରୁ ୯୩ଟି ସଦସ୍ଯ ନିର୍ବାଚିତ ହୋଇଥିଲେ । ୧୯୪୬ ମସିହା ନଭେମ୍ବର ୯ ତାରିଖ ଦିନ ନିର୍ବାଚିତ ସଦସ୍ଯମାନଙ୍କୁ ନେଇ ଶାସନ ବିଧାୟକ ସଭାର ପ୍ରଥମ ଅଧିବେଶନ ବସିଥିଲା । କିନ୍ତୁ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଏବଂ ମୁସଲିମ ଲିଗର ପରାଜୟ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ବ୍ଯଥିତ କରିଥିଲା । ତେଣୁ ସେ ଉକ୍ତ ଅଧିବେଶନକୁ ବର୍ଜନ କରି ଏକ ସ୍ବତନ୍ତ୍ର ମୁସଲିମ ଲିଗ ଶାସନ ବିଧାୟକ ସଭା ଗଠନ କରିବା ପାଇଁ ଦାବୀ କରାଗଲା । ଲର୍ଡ ମାଉଣ୍ଟ ବ୍ଯାଟନଙ୍କ ପରାମର୍ଶ କ୍ରମେ ଭାରତ ବିଭାଜନ ହେଲା । ନୂତନ ରାଷ୍ଟ୍ର ଭାବେ ପାକିସ୍ଥାନ ଜନ୍ମ ନେଲା ।
ପାକିସ୍ଥାନ ତାଙ୍କ ପାଇଁ ଅଲଗା ସଂବିଧାନ ଚିଠା ପ୍ରସ୍ତୁତ କଲେ । ଭାରତ ନିଜର ସଂବିଧାନ ପ୍ରସ୍ତୁତ କଲା । ଶାସନ ବିଧାୟକର ମୁଖ୍ଯ କାର୍ଯ୍ଯଥିଲା ଭାରତ ପାଇଁ ଏକ ସଂବିଧାନ ପ୍ରସ୍ତୁତ କରିବା । ଏଥି ପାଇଁ ବିଭିନ୍ନ କମିଟି ଗଠନ କରାଗଲା । ତନ୍ମଧ୍ଯରୁ ଚିଠା କମିଟି ଅନ୍ଯତମ । ଚିଠା ପ୍ରସ୍ତୁତ କମିଟି ୧୯୪୭ ମସିହା ଅଗଷ୍ଟ ୨୯ ତାରଖରେ ଗଠିତ ହୋଇଥିଲା । ଏହି ଚିଠା କମିଟିରେ ୭ ଜଣ ସଦସ୍ଯମାନଙ୍କୁ ନେଇ ଗଠିତ ହେଲା । ଏହାର ଅଧ୍ଯକ୍ଷ ଥିଲେ ଡଃ. ଭୀମ ରାଓ ଆମ୍ବେଦକର ଏବଂ ଅନ୍ଯାନ୍ଯ ସଦସ୍ଯ ଭାବରେ ଏନ୍ ଗୋପଳ ସ୍ବାମୀ ଆୟେଂଗାର, ଆଲ୍ଲାଦୀ କ୍ରିଷ୍ଣା ସ୍ବାମୀ ଆୟାର, କେ.ଏମ ମୁନ୍ସୀ ସୟେଦ ମହମ୍ମଦ ସଦ୍ଯାଲ୍ଲା,ଏନ.ମାଧବ ରାଓ, ଡି.ପି.ଖୈତାନ । କିନ୍ତୁ ଡି.ପି. ଖୈତାନଙ୍କ ସ୍ବର୍ଗବାସ ଯୋଗୁଁ ଟି.ଟି କ୍ରିଷ୍ଣାମାଚାରୀଙ୍କୁ ସଦସ୍ଯ ଭାବରେ ଗ୍ରହଣ କରାଗଲା । ଭାରତୀୟ ସଂବିଧାନ କାର୍ଯ୍ଯ ୧୯୪୬ ମସିହା ଡିସେମ୍ବର ୯ ତାରିଖ ଠାରୁ ଆରମ୍ଭ ହେଲା । ଡଃ ଆମ୍ବଦକରଙ୍କ କଠୋର ପରିଶ୍ରମ ବଳରେ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନରେ ସଂବିଧାନ ପ୍ରଣୟନ କାର୍ଯ୍ଯ ଶେଷ ହୋଇଥିଲା । ଅର୍ଥାତ ୧୯୪୯ ମସିହା ନଭେମ୍ବର ୨୬ ତାରଖରେ ଭାରତୀୟ ସଂବିଧାନ ଅଙ୍ଗିକାର ବଦ୍ଧ ହେଲା । ସମୂଦାୟ ୧୧ ଗୋଟି ଅଧିବେଶନରେ ୧୬୫ ଦିନ ସଂବିଧାନ ପ୍ରସ୍ତୁତି ବୈଠକ ଚାଲିଥିଲା ଏବଂ ସମ୍ବିଧାନ ଚିଠା ଉପରେ ୧୧୪ ଦିନ ବ୍ଯାପି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ସମୂଦାୟ ୭,୬୩୫ ଆଗତ ସଂଶୋଧନୀ ପ୍ରସ୍ତାବ ମଧ୍ଯରୁ ୨,୪୩୭ଟି ବିଷୟ ଉପରେ ଆଲୋଚନା କରାଯାଇ ଆବଶ୍ଯକ ସଂଶୋଧନ ଗ୍ରହଣ କରାଯାଇଥିଲା । ଶେଷରେ ୩୯୫ଟି ଧାରା ଏବଂ ୮ଟି ଉପଧାରା ପ୍ରଣୟନ କରା ଯାଇଥିଲା ବେଳେ ୨୨ ଭାଗରେ ବିଭକ୍ତ କରାଯାଇଥିଲା । ଏଥିରେ ସମୂଦାୟ ୧୪୫ ହଜାର ଶବ୍ଦ ବ୍ଯବହାର କରାଯାଇଥିଲା । ୧୯୫୦ ମସିହା ଜାନୁୟାରୀ ୨୬ ତାରଖ ଦିନ ଭାରତର ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ସ୍ବୀକୃତି ଲାଭ କରି କାର୍ଯ୍ଯକ୍ଷମ ହେଲା । ଏହି ସଂବିଧାନଂକୁ ୨୮୪ ଜଣ ସଦସ୍ଯ ଦସ୍ତଖତ କରିଥିଲେ । ପ୍ରଥମେ ଏହି ସଂବିଧାନ ଦସ୍ତାବିଜରେ ପଣ୍ଡିତ ଜବାହାରଲାଲ ନେହୁର ଦସ୍ତଖତ କରଥିବା ବେଳେ ଶେଷରେ ଡଃ.ରାଜେନ୍ଦ୍ର ପ୍ରସାଦ ଦସ୍ତଖତ କରଥିଲେ । ଡଃ. ଆମ୍ବେଦକର ୬୦ଟି ଦେଶର ସଂବିଧାନ ଗଭୀର ଭାବରେ ଅଧ୍ଯୟନ କରିଥିଲେ । ଭାରତ ଏକ ବହୁଜାତି,ବହୁଭଷା, ବହୁ ଧର୍ମ ତଥା ଲଙ୍ଗୀୟ ବିଭେଦ ମଧ୍ଯରେ ସମସ୍ତଙ୍କ କଲ୍ଯାଣ ଉଦ୍ଦେଶ୍ଯରେ ଏକ ଜନ ମଙ୍ଗଳ ରାଷ୍ଟ୍ର ପାଇଁ ସୁନ୍ଦର ଏକ ସମ୍ବିଧାନ ନିର୍ମାଣ କଲେ । ଡଃ. ବାବା ସାହେବ ସଂବିଧାନର ନିର୍ମାତା ଭାବରେ ସୁପରିଚିତ । ଭାରତୀୟ ସଂବିଧାନର ସେ ଜନକ ବୋଲି କୁହାଯାଇଥାଏ । ଜାତି,ଧର୍ମ,ବର୍ଣ୍ଣ , ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତ ସମାନ । ବାବା ସାହେବ ବିଶ୍ବର ସର୍ବ ଶ୍ରେଷ୍ଠ ବିଦ୍ବାନ ଭାରେ ସର୍ବତ୍ର ସୁପରିଚିତ । ତାଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ପୃଥିବୀର ସର୍ବବୃହତ୍ତ ଲିଖିତ ଭାରତୀୟ ସଂବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ପ୍ରାପ୍ତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖକୁ ଲାଗୁ କରାଯାଇଥିଲା । ଭାରତୀୟ ସଂବିଧାନର ମୌଳିକ ବୈଶିଷ୍ଠ୍ଯ ହେଲା ଭାରତ ଏକ ସାର୍ବଭୌମ, ସମାଜବାଦ,ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ର । ସାମାଜିକ, ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ ନ୍ଯାୟ ପ୍ରଦାନ ଲାଗି ଯୁକ୍ତି ଉପସ୍ଥାପିତ କରାଯାଇଛି । ଭାରତକୁ ଏକ ଜନ ମଙ୍ଗଳ ରାଷ୍ଟ୍ରରେ ପରିଣତ କରି ସମସ୍ତ ନାଗରିକଙ୍କୁ ସ୍ବାଧୀନତା, ସମାନତା,ନ୍ଯାୟ ଓ ଭାତୃତ୍ବ ବନ୍ଧନରେ ବାନ୍ଧି ଜାତୀୟ ସଂହତି ସ୍ଥାପନ କରିବା ଏହାର ଆଭିମୁଖ୍ଯ । ଡଃ ବିଆର ଆମ୍ବେଦକର ୧୯୫୧ ମସିହାରେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ । ସଂସଦରେ ହିନ୍ଦୁ କୋଡ ବିଲ୍ ପାରିତ ନହେବାରୁ ଏବଂ କଂଗ୍ରେସ ଦଳର ପ୍ରବଳ ବିରୋଧ ଯୋଗୁଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୧୯୫୨ ସେ ସ୍ବାଧୀନ ଭାବରେ ଲୋକ ସଭା ଆସନରେ ଲଢି ପରାସ୍ତ ହୋଇ ଥିଲେ । ମାତ୍ର ସେହି ବର୍ଷ ରାଜ୍ଯ ସଭାକୁ ମନୋନିତ ହୋଇ ମୃତ୍ୟୁ ପର୍ଯ୍ଯନ୍ତ ସଦସ୍ଯ ରହିଥିଲେ । ୧୯୧୨ରେ ପ୍ରଥମ ପତ୍ନୀ ରମାବାଈଙ୍କର ଦେହାନ୍ତ ହୋଇଥିଲା ,୧୯୪୮ ମସିହାରେ ସାରସ୍ବତ ବ୍ରାହ୍ମଣ କନ୍ଯା ଡାକ୍ତର ସାରଦା କବିରଙ୍କୁ ଦ୍ବିତୀୟ ବିବାହ କରିଥିଲେ । ତାଙ୍କ ନାମଙ୍କୁ ପରିବର୍ତ୍ତନ କରାଯାଇ ସବିତା ଆମ୍ବେଦକର ରଖାଯାଇଥିଲା । ବାବା ସାହେବ ଆମ୍ବେଦକର ଯେତେବେଳେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ହସପିଟାଲରେ ଚିକିତ୍ସିତ ହେଉଥିଲେ,ସେତେବେଳେ ସାରଦା କବିର ତାଙ୍କୁ ଚିକିତ୍ସା କରୁଥିଲେ । ଶେଷରେ ସାରଦା କବିର ବାବାସାହେବଙ୍କ ଧର୍ମ ପତ୍ନୀ ସାଜି ଆଜୀବନ ସେବାରେ ସଂଶ୍ଳୀଷ୍ଠ ଥିଲେ । ସେହି ସମୟରେ ବାବା ସାହେବ ଦେଶ ପାଇଁ ସଂବିଧାନ ପ୍ରଣୟନ କରୁଥିଲା ବେଳେ ଏଣେ ଜଟିଳ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବାବା ସାହେବ ଯନ୍ତ୍ରଣା ଭୋଗୁଥିଲେ । ଅନ୍ଯ ପକ୍ଷରେ ବାବା ସାହେବ ସ୍ବାସ୍ଥ୍ଯ କଥା ଡାକ୍ତର ସାରଦା କବିର ବା ସବିତା ଆମ୍ବେଦକର ଯତ୍ନ ନେଉଥିଲେ । ବାବା ସାହେବଙ୍କ ଯତ୍ନ ଯଦି ସବିତା ଆମ୍ବେଦକର ନେଇ ନଥାନ୍ତେ,ତେବେ ବାବାସାହେବ ହୁଏତ ସଂବିଧାନ ପ୍ରଣୟନ କରିବାରେ କେତେ ଦୂର ସକ୍ଷମ ହୋଇଥାନ୍ତେ, ତାହା ଭାବିବା କଷ୍ଟ ସାଧ୍ଯ । ତେଣୁ ପତ୍ନୀ ସବିତା ଆମ୍ବେଦକରଙ୍କୁ ଶ୍ରଦ୍ଧାରେ ମାଈ ବା ମାଆ ବୋଲି ସଂବୋଧନ କରୁଥିଲେ ଡଃ ବାବା ସାହେବ ଆମ୍ବେଦକର ।
ହିନ୍ଦୁ ଧର୍ମରେ ଥିବା ବର୍ଣ୍ଣ ବୈଷମ୍ଯ ନୀତି ପ୍ରତି ମୁହୂର୍ତ୍ତ ବାବାସାହେବଙ୍କ ମନକୁ ଗଭୀର ଆତ୍ମଗ୍ଲାନିରେ ବିଷର୍ଣ୍ଣ କରୁଥିଲା । ବୟସର ଅପରାହ୍ନରେ ସେ ହିନ୍ଦୁ ଧର୍ମ ତ୍ଯାଗ କରି ବୁଦ୍ଧ ଧର୍ମକୁ ଆପଣାଇବା ପାଇଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦିନ ଦୀକ୍ଷା ଭୂମି ନାଗପୁର ଠାରେ ୫ ଲକ୍ଷ ଅନୁଗାମୀଙ୍କ ସହ ବାବାସାହେବ ଏବଂ ପତ୍ନୀ ସବିତା ଆମ୍ବେଦକରଙ୍କ ସହ ବୁଦ୍ଧ ଧର୍ମ ଗ୍ରହଣ କରିଥିଲେ । ୧୯୫୬ ଡିସେମ୍ବର ୬ ତାରିଖରି ଦୀର୍ଘ ଦିନ ମଧୁମେହ ରୋଗରେ ପିଡୀତ ହୋଇ ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ୧୯୯୦ ମସିହାରେ ଭାରତ ସରକାର ତାଙ୍କର ଉଲ୍ଲେଖନୀୟ ସମାଜ ସଂସ୍କାର କାର୍ଯ୍ଯ ପାଇଁ ମରଣୋତ୍ତର ଭାବେ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରିଥିଲେ । ୨୦୦୩ରେ ତାଙ୍କ ଦ୍ବିତୀୟ ପତ୍ନୀ ସବିତା ଆମ୍ବେଦକର ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ସେ ଜୀବିତାବସ୍ଥାରେ ଦଳିତ ସମାଜର ଉତ୍ଥାନ ପାଇଁ ବିଶେଷ କାର୍ଯ୍ଯରେ ନିଜକୁ ନିୟୋଜିତ କରିଥିଲେ ।ଆଜିର ମହାପରି ନିର୍ବାଣ ଦିବସରେ ଡଃ ବାବା ସାହେବ ଆମ୍ବେଦକରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ଗହଣରେ ଚିସ୍ମରଣୀୟ ଏବଂ ଚିର ପୂଜନୀୟ ରହିବେ ।
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋ.ନଂ:୯୪୩୭୭୭୯୪୪୭
email:nayak.keshab1964@gmail.com

 

Comments (0)
Add Comment