କୋଦଳା,୩୦/୧୧(ପିପିଟି):କାର୍ଯ୍ଯରତ ସାମ୍ବାଦିକଙ୍କୁ ସରକାରୀ କାର୍ଯ୍ୟାଳୟ ପରିସରରେ ଆକ୍ରମଣ। ଆକ୍ରମଣରେ ଲହୁ ଲୁହାଣ ହୋଇ ଚିକିତ୍ସିତ ହେଉଛନ୍ତି ଆହତ ସାମ୍ବାଦିକ। ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି କାର୍ଯ୍ଯାଳୟ ପରିସରରେ ସାମ୍ବାଦିକ ଭଗବାନ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ କୋଦଳା ଥାନାରେ ରୁଜୁ ହୋଇଛି ମାମଲା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ବିକାଶ ସ୍ବାଇଁ ଓ ଡାକ ସ୍ବାଇଁଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ କୋଦଳା ଥାନା କେସ ନଂ- 784-29/11/2025 ରେ ୮ ଗୋଟି ଦଫା ଲଗାଇ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି। ସେପଟେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ଜିଲ୍ଲା ସାମ୍ବାଦିକ ସଂଘ। ଗତକାଲି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ କୋଦଳା ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଅଧିକାରୀଙ୍କୁ ଦାବି କରିଥିଲେ। ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରା ନଗଲେ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସାମ୍ବାଦିକ ମାନେ। ଏପଟେ ସାମ୍ବାଦିକ ଭଗବାନ ପାଢୀଙ୍କୁ ଆକ୍ରମଣ ବେଳର ସିସିଟିଭି ଫୁଟେଜ ଗାଏବ୍ ହୋଇ ଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବେଳେ ଘଟଣା ଘଟିଥିଲା। ଏହି ସମୟର ପୋଲିସ କୁ କାହିଁକି ଜଣାଇ ନଥିଲେ ଏବଂ ସିସିଟିଭି ଫୁଟେଜ ଗାଏବ୍ କିପରି ହେଲା ତାକୁ ନେଇ ପ୍ରଶ୍ନ ଉଠାଯାଇଛି। କୋଦଳା ଏନଏସି ରେ ପ୍ରତି ଯୋଜନାରେ ସରକାରୀ ଅର୍ଥ ହରିଲୁଟ୍ ହେଉଥିବା ନେଇ କିଛି କାଉସିଲର ମଧ୍ୟ କହିଛନ୍ତି। ସୁଚିନ୍ତିତ ଷଡଯନ୍ତ୍ର କରି ପ୍ରମାଣ ନଷ୍ଟ କରା ଯାଉଥିବା ନେଇ ସନ୍ଦେହ ବଢିଛି । ଏଣୁ ଜିଲ୍ଲା ପ୍ରଶାସନ,ଡୁଡା କାର୍ଯ୍ୟାଳୟ ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ଗିରଫ କରି ତୁରନ୍ତ କୋର୍ଟ ଚାଲାଣ କରା ନଗଲେ ଗଞ୍ଜାମ ଜିଲ୍ଲା ଏସପି, ଜିଲ୍ଲାପାଳଙ୍କ ସହ ଆବଶ୍ୟକ ହେଲେ ଶତାଧିକ ସାମ୍ବାଦିକ ରାଜ୍ଯ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେବେ ବୋଲି ଜିଲ୍ଲା ସଂଘ ପକ୍ଷରୁ କୁହାଯାଇଛି। ପୋଲିସ ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି। ଏ ନେଇ ଏନ୍ଏସି ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ସହିତ ଯୋଗାଯୋଗ ପରେ ସେ କହିଥିଲେ ଯେ ମୁଁ ଦିନ ୨ ଘଣ୍ଟ ସମୟ ରୁ କାର୍ଯ୍ୟାଳୟରେ ନଥିଲି ମୋର ଏଥିରେ କୌଣସି ସମ୍ପୃକ୍ତି ନାହିଁ,କିଛିଦିନ ହେବ ସିସିଟିଭି ଅକାମୀ ହୋଇଯାଇଛି, ରିପେର କରିବା ପାଇଁ ବଡ଼ବାବୁଙ୍କୁ ନିର୍ଦ୍ଦେଶ ଦେଇଥିଲି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)