ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗର ୩ ଦିନ ପରେ ବି ପୋଲିସର ହାତ ଖାଲି;ତଦନ୍ତ ପାଇଁ ଆସିଲେ,ମୁହଁ ଖୋଲିଲେନି ଡୁଡା ପିଡି ।

କୋଦଳା,୦୨/୧୨(ପିପିଟି):ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ଭଗବାନ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ କୋଦଳା ଥାନାରେ ରୁଜୁ ହୋଇଛି ମାମଲା। ତେବେ ଅଭିଯୋଗର ୩ ଦିନ ପରେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଖୋଜୁଛି ସତ, ହେଲେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇପାରି ନାହିଁ। ସେପଟେ କୋଦଳା ଏନ୍ଏସି କାର୍ଯ୍ଯାଳୟରୁ ସିସିଟିଭି ଫୁଟେଜ ଗାଏବ୍ ହୋଇଯାଇଛି । ଷଡଯନ୍ତ୍ରକାରୀ ମାନେ ସିସିଟିଭି ଫୁଟେଜକୁ ଗାଏବ୍ କରି ଦେଇଥିବା ଆଲୋଚନା ହେଉଛି। ସିସିଟିଭି ଫୁଟେଜ ନଥିବାରୁ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା ବେଳେ ଆକ୍ରମଣକାରୀ ମାନେ ପୋଲିସକୁ ଚକମା ଦେଇ ଛୁ ମାରିଛନ୍ତି। ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ୍ସ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରାଇଛନ୍ତି । ମାମଲାକୁ ନେଇ ଗଞ୍ଜାମ ଜିଲ୍ଲା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର କେରକେଟା ମଙ୍ଗଳବାର କୋଦଳା ଏନ୍ଏସିରେ ପହଞ୍ଚି ତଦନ୍ତ କରିଛନ୍ତି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ,ଅଧ୍ଯକ୍ଷଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି। ତେବେ ଏନ୍ଏସି କାର୍ଯ୍ଯାଳୟ ପରିସରରେ ବହୁ ସାମ୍ବାଦିକ ଡୁଡା ପିଡିଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେ ମୁହଁ ଖୋଲି ନାହାନ୍ତି। ତଦନ୍ତ ଚାଲିଥିବା କହି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ନଦେଇ ମୁହଁ ଆଡେଇ ଚାଲି ଯାଇଥିଲେ। ଯାହାକୁ ନେଇ ଅଧିକ ସନ୍ଦେହ ଘନୀଭୂତ ହେଉଛି। ଡୁଡା ପିଡି ନିରପେକ୍ଷ ତଦନ୍ତ କରିବେ ନା ନିଜ କାର୍ଯ୍ୟାଳୟର କର୍ମଚାରୀଙ୍କୁ ସୁରକ୍ଷା ଦେବେ ସେ ନେଇ ପ୍ରଶ୍ନ ଉଠିଛି। ଡୁଡା ପିଡି କୋଦଳା ଥାନାକୁ ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି। ସେପଟେ ମଙ୍ଗଳବାର ବହୁ ସାମ୍ବାଦିକ ପୁଣିଥରେ କୋଦଳା ଥାନାକୁ ଯାଇ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ଭେଟି ତଦନ୍ତ ଓ କାର୍ଯ୍ଯାନୁଷ୍ଠାନକୁ ନେଇ ବୁଝିଥିଲେ। ଦୋଷୀକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ବେହେରା। ଥାନାରେ ଅଭିଯୋଗ କରିବାର ୩ ଦିନ ପରେ ବି ଅଭିଯୁକ୍ତ ମାନେ ଗିରଫ ହୋଇ ନଥିବା ବେଳେ ଏତଲାରେ ନାମ ଥିବା କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ କାର୍ଯ୍ଯାଳୟକୁ ଆସି ଖୁଲମଖୁଲା ବୁଲୁଛନ୍ତି। ଯାହାକୁ ନେଇ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳର ସାମ୍ବାଦିକ ମାନେ। ସରକାରୀ ଦଳର ଅଧ୍ଯକ୍ଷ ଥିବାରୁ ଘଟଣାକୁ ଚପାଇ ଦେବାକୁ ଯୋଜନା ଚାଲିଥିବା ଏବଂ ଏଥିରେ ଖୋଦ୍ ଉପରିସ୍ଥ ଅଧିକାରୀ ସହଯୋଗ କରୁଥିବା ମନେ ହେଉଛି। ତୁରନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଧାରଣା ଦେବାପାଇଁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

 

Comments (0)
Add Comment