ସାମାଜିକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ।

ମାଲକାନଗିରି ,୦୯/୦୭(ପିପିଟି) :ହେଲ୍ପ ଫର୍ ନିଡ୍ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଗଣ ଶିକ୍ଷାମନ୍ତ୍ରୀଙ୍କୁ ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ୩ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି ।
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଜିଲ୍ଲା ରକ୍ତ ଭଣ୍ଡାର ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ । ଯହାଦ୍ବାରା ରୋଗୀଙ୍କ ସହଯୋଗୀ ବା ଅଭିଭାବକମାନେ ରକ୍ତଭଣ୍ଡାରକୁ ଯିବା ଆସିବା କରି ରକ୍ତ ଆଣିବା ନିଶ୍ଚିତ ଭାବେ ସମୟ ସାପେକ୍ଷ ଏବଂ ଆର୍ଥିକ ଚାପ ସୃଷ୍ଟି ହେଉଛି । ଏପରିକି ଜରୁରୀ କାଳୀନ ସମୟରେ ରକ୍ତ ସଠିକ ସମୟରେ ପାଇ ନ ପାରି ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ଇତି ମଧ୍ୟରେ ହୋଇସାରିଥିବା ନଜରକୁ ଆସିଛି । ଅନ୍ୟ ପକ୍ଷରେ ବିଗତ ୩ ବର୍ଷ ହେଲା ନୂତନ ଚିକିତ୍ସାଳୟ ନିକଟରେ ରକ୍ତ ଭଣ୍ଡାର ଗୃହ କାର୍ଯ୍ୟ ଶେଷ ହେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେଠାକୁ ରକ୍ତ ଭଣ୍ଡାର ସ୍ଥାନାନ୍ତରିତ ହୋଇ ପାରୁନାହିଁ କି କାର୍ଯ୍ୟକ୍ଷମ ମଧ୍ୟ ହେଉନାହିଁ। ଏହି ପରିପ୍ରେକ୍ଷୀରେ ପୁରାତନ ରକ୍ତ ଭଣ୍ଡାରକୁ ସ୍ଥାନାନ୍ତରିତ କରାଗଲେ, ଜରୁରୀକାଳୀନ ସମୟରେ ରୋଗୀମାନେ ଖୁବ ଶୀଘ୍ର ରକ୍ତ ପାଇବାର ସୁଯୋଗ ପାଇ ପାରିବେ ।
ଅନ୍ୟପକ୍ଷରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେଲେ , ମୃତ ଦେହକୁ ନିଜ ଗ୍ରାମକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱର୍ଗରଥ ବା ମହାପ୍ରୟାଣ ଗାଡିର ବ୍ୟବସ୍ଥା ରହିଛି, ଯେଉଁଥିରେ କିଲୋମିଟର ପ୍ରତି ୧୩/- ଟଙ୍କା ଭଡା ଦେବାପାଇଁ ପଡୁଛି । ମାଲକାନଗିରି ଜିଲ୍ଳା ରାଜ୍ୟର ସବୁଠାରୁ ଅଧିକ ଆର୍ଥିକ ଅନଗ୍ରସର ଅଞ୍ଚଳ ଭାବେ ଜଣାଶୁଣା।ଏଣୁ ଉକ୍ତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ସରକାରୀ ସ୍ୱର୍ଗରଥ ବା ମହାପ୍ରୟାଣ ଗାଡିକୁ ସମ୍ପୂର୍ଣ୍ଣ ଭାବେ ଦେୟମୁକ୍ତ କରିବାକୁ ଦାବି କରାଯାଇଛି ।ମାଲକାନଗିରି ଜିଲ୍ଲାର ମୁର୍ମୂଷୁ ରୋଗୀଙ୍କ ଚିକିତ୍ସା ପାଇଁ ବାହାର ରାଜ୍ୟ ଏବଂ କଟକ ଯିବାକୁ ପଡୁଛି । ମାଲକାନଗିରି ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେତେବେଳେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅଭାବ ତ ଆଉ କେତେବେଳେ ପ୍ରାଯୁକ୍ତିକଙ୍କ ଅଭାବରୁ ସାମାନ୍ୟ ପରୀକ୍ଷା ନିରୀକ୍ଷା କିମ୍ବା ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ ଏଠାକାର ରୋଗୀ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ କିମ୍ବା ଛତିଶଗଡ଼ ଭଳି ରାଜ୍ୟର ଘରୋଇ ଡାକ୍ତରଖାନା ଉପରେ ନିର୍ଭରଶୀଳ ହେଉଛନ୍ତି । ଯଦ୍ବାରା ଉଭୟ ଆର୍ଥିକ ଏବଂ ମାନସିକ ଚାପର ଶୀକାର ହେଉଛନ୍ତି । ଏଣୁ ଆମ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଷ୍ଟ ଚିକିତ୍ସାଳୟରେ ରୂପାନ୍ତରଣ କରାଯିବା ସମେତ ତୁରନ୍ତ ଚିକିତ୍ସାଳୟରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର, ସେବକ ଓ ସେବିକା, ପ୍ରାଯୁକ୍ତିକଙ୍କ ସମେତ ସମସ୍ତ ଆନୁଷ୍ଠାନିକ ତଥା ଅଣ ଆନୁଷ୍ଠାନିକ ପଦବୀରେ ନିଯୁକ୍ତି ଦିଆଯାଉ । ଏହି ଦାବିପତ୍ର ସାମାଜିକ ସଂଗଠନର ଅଧ୍ଯକ୍ଷ କେ .ଦେଶୀ ରାଜୁ ଆଚାରୀ ଓ ଅନୁପମ କୁମାର ସୁନାମୀ ପ୍ରଦାନ କରିଥିଲେ।

(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment