ବ୍ରହ୍ମପୁର,୧୦/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ର ଶାସନ ଗ୍ରାମ ପଂଚାୟତ ଅନ୍ତର୍ଗତ ବଡ ଦୋଡ଼ଗାଁ ଗ୍ରାମର ଆମର ୩୫ଟି ଦଳିତ ପରିବାରଙ୍କୁ ଗ୍ରାମର ସବର୍ଣ୍ଣ ଜାତିର ଲୋକମାନେ ଜାତିଆଣ ଓ ଛୁଆଁ ଅଛୁଆଁ ଭେଦଭାବ ରଖି ସାମାଜିକ ବାସନ୍ଦ କରି ଆସିଛନ୍ତି। ଏହାଫଳରେ ସେମାନଙ୍କୁ ଗାଁଦାଣ୍ଡରେ ଚାଲିବାକୁ, ଦୋକାନ ବଜ଼ାରରୁ ସଉଦା ଆଣିବାକୁ, ସର୍ବସାଧାରଣ ପୋଖରୀରକୁ ବ୍ୟବହାର କରିବାକୁ, ଗୃହପାଳିତ ପଶୁ (ଗୋରୁ ଓ ଛେଳି)ଙ୍କୁ ଗାଁ ଦାଣ୍ଡରେ ନବା ଆଣିବା କରିବାକୁ ତଥା ମନ୍ଦିର ଭିତରକୁ ମନା କରିବା ସହ ଅତିତରେ ଆମମାନଙ୍କ ଉପରେ ମଝିରେ ଶାରିରୀକ ଆକ୍ରମଣ ମଧ୍ୟ କରିଛନ୍ତି। ପୂର୍ବରୁ ପ୍ରାୟ ତିନି ବର୍ଷ ତଳେ ସେମାନଙ୍କ ଉପରେ ଏଭଳି ସାମାଜିକ ସାମାଜିକ ବାସନ୍ଦ ଓ ଆକ୍ରମଣ ହେବାରୁ ସେମାନେ ଆଇନ ଅନୁଯାଇ ସ୍ଥାନୀୟ ପୋଲିସ ଥାନାରେ ଏତଲା ଦେଇଥିଲେ ଏବଂ ପ୍ରଶାସନର ଉଦ୍ୟମରେ ଶାନ୍ତି ଆଲୋଚନା ହୋଇ ତା’ର ସମାଧାନ ପାଇଁ ଚେଷ୍ଟା ହୋଇଥିଲା। ଏହାପରେ ବାସନ୍ଦ ଉଠି ସେମାନେ ପୂର୍ବ ପରି ସାଧାରଣ ଜୀବନ କରିବାକୁ ସୁଯୋଗ ପାଇଥିଲେ। କିନ୍ତୁ ଗତ ପ୍ରାୟ ପାଞ୍ଚ ମାସ ହେଲା ସବର୍ଣ୍ଣ ଲୋକମାନେ ଜାତିଆଣ ମନୋଭାବ ରଖି ସେମାନଙ୍କୁ ପୁନଃର୍ବାର ସାମାଜିକ ବାସନ୍ଦ କରିବା ସହ ପୂର୍ବଥର ଭଳି ଗାଁ ଦାଣ୍ଡରେ ଚାଲିବା,ଦୋକାନ ବଜ଼ାରରୁ ସଉଦା ଆଣିବା ତଥା ସର୍ବ ସାଧାରଣ ପୋଖରୀ ଓ ମନ୍ଦିରକୁ ଯିବାକୁ ଏପରିକି ଗୃହପାଳିତ ପଶୁମାନଙ୍କୁ ଗାଁ ଦାଣ୍ଡରେ ନବା ଆଣିବାକୁ ମଧ୍ୟ ମନା କରିଛନ୍ତି। ଯଦି ଏହା ବିରୁଦ୍ଧରେ ଥାନାକୁ ଯାଉ ତାହେଲେ ଗାଁର ସମସ୍ତ ଦଳିତ ପରିବାରକୁ ବାଡେଇ ଘରଦ୍ୱାର ଭାଙ୍ଗି ଗାଁରୁ ଘଉଡାଇ ଦେବାକୁ ଗାଁରେ କଙ୍ଗାରୁ କୋର୍ଟରେ ସେମାନେ ନିଷ୍ପତି ନେଇଛନ୍ତି। ସେମାନଙ୍କ ଏହି ଧମକ ପରେ ଆକ୍ରମଣର ସମ୍ଭାବନା ଥିବାରୁ ୩୫ଟି ଦଳିତ ପରିବାର ମାନସିକ ଭାବରେ ବହୁତ ଭୟଭୀତ ହୋଇ ରହିଛନ୍ତି।
କିନ୍ତୁ ପରିତାପର ବିଷୟ, ସେମାନଙ୍କ ଉପରେ ଏତେ ସବୁ ଅନ୍ୟାୟ ହୋଇଥିବା ସତ୍ୱେ ସରକାରଙ୍କ ତରଫରୁ ଏହି ବେଆଇନ ଜାତିଆଣ ବାସନ୍ଦ ଉଠାଇବାକୁ କିମ୍ବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ରୁଜ୍ଜୁ ହୋଇଥିବା ଜାତିଗତ ନିର୍ଯ୍ୟାତନା ମାମଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଏଯାଏଁ କୌଣସି ପଦକ୍ଷେପ ନନେବା ଫଳରେ ଅପରାଧିମାନେ ଦଳିତମାନଙ୍କୁ ଧମକ ଚମକ ଦେବାରେ ଲାଗିଛନ୍ତି। ଏପରିକି ଦଳିତମାନଙ୍କୁ ଆର୍ଥିକ ଭାବେ ବରବାଦ କରିବାକୁ ସେମାନେ ଇତି ମଧ୍ୟରେ ସେମାନେ କରିଥିବା ଧାନ ଫସଲକୁ କାଟି ନେଇଯିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାୟତଃ ଭୂମିହୀନ ଏବଂ ଗୃହହୀନ ଥିବା ଦଳିତମାନେ ବହୁବର୍ଷ ହେଲା ଗାଁରେ ଥିବା ସରକାରୀ ଜମିରେ ଚାଷ ଓ ବାସ କରି ରହିଆସୁଛନ୍ତି। ଏ ବାବଦରେ ପୂର୍ବରୁ ତହସିଲଦାରଙ୍କ ପକ୍ଷରୁ ୧୪ ଜଣ ଦଳିତ ଲୋକଙ୍କ ନାମରେ ଜବରଦଖଲ ମାମଲା ମଧ୍ୟ ରୁଜ୍ଜୁ ହୋଇଛି। ସରକାରଙ୍କ ନୀତି ଅନୁଯାୟୀ ଉପରୋକ୍ତ ଭୂମିହୀନ ଓ ଗୃହହୀନ ଦଳିତ ଲୋକଙ୍କୁ ଉକ୍ତ ସରକାରୀ ଜମିରେ ପଟ୍ଟା ଦେବା କଥା। କିନ୍ତୁ ବାରମ୍ବାର ଜଣାଇଲେ ବି ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏଯାଏଁ ଜମି କିମ୍ବା ଘରଡ଼ିହ ପଟ୍ଟା ବି ଦିଆଯାଇ ନାହିଁ। ଦଳିତ ଲୋକେ ଦୀର୍ଘ ବର୍ଷ ଧରି ଚାଷ କରି ବଞ୍ଚୁଥିବା ଉପରୋକ୍ତ ସରକାରୀ ଜମିକୁ ସେମାନଙ୍କ ଠାରୁ ଛଡ଼େଇ ନେବାକୁ ଗାଁର ବର୍ତମାନ ସବର୍ଣ୍ଣ ଲୋକମାନେ ଜାଣିଶୁଣି ବିବାଦ ସୃଷ୍ଟି କରୁଛନ୍ତି। ଯଦିଓ ସେମାନଙ୍କ ଦଖଲରେ ବି ଗ୍ରାମର ଅନେକ ସରକାରୀ ଜମି ରହିଛି, ସେମାନେ କିନ୍ତୁ ଜାତିଆଣ ମନୋଭାବ ନେଇ କେବଳ ଦଳିତମାନଙ୍କୁ ହିଁ ସରକାରୀ ଜମିରୁ ହଟେଇବାକୁ ଚାହୁଁଛନ୍ତି। ଆମେ ଯେପରି ଆମ ଦଖଲରେ ଥିବା ଜମିରେ ଚାଷ କରିଥିବା ଧାନକୁ ନନେଇ ପାରିବୁ ସେଥିପାଇଁ ସେମାନେ ଜାଣିଶୁଣି ବିବାଦ ସୃଷ୍ଟି କରିବା ସହ ପ୍ରଶାସନ ମଧ୍ୟ ସେମାନଙ୍କ ଚାପରେ କେବଳ ଦଳିତ ଲୋକଙ୍କ ଜମିରେ ପୂର୍ବର ଧାରା ୧୪୪ ବା ଏବର ଧାରା ୧୨୬ ଲାଗୁ କରିଛି। ଏ ସମ୍ପର୍କରେ ଆମେ ପୂର୍ବରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜଣାଇବା ପରେ ଗତ ଡ଼ିସେମ୍ବର ୨ ତାରିଖରେ ଉଭୟ ପକ୍ଷଙ୍କୁ ନେଇ ଏକ ଶାନ୍ତି ବୈଠକ ଭଂଜନଗର ଠାରେ ହୋଇଥିଲା। ସେମାନେ ଦଳିତମାନେ ସେମାନଙ୍କ ଧାନର ଅଧା ଗାଁର କୋଠକୁ ଦେବାକୁ ଦାବି କରିଥିଲେ। କିନ୍ତୁ ପ୍ରଶାସନ ସେମାନଙ୍କ ଚାପରେ ଆମର କଷ୍ଟାର୍ଜିତ ଫସଲକୁ ଆମକୁ ନେବାକୁ ଦେବା ବଦଳରେ ଉଭୟ ସ୍ଥିର କର ନୋଚେତ୍ ଆମେ ଧାନ କାଟି ନେବୁ ବୋଲି କହିଥିଲେ। ଆମ ଉପରେ ଳହାଇଥିବା ବାସନ୍ଦ ଓ ଜାତିଗତ ନିର୍ଯ୍ୟାତନାରେ କୌଣସି ପଦକ୍ଷେପ ନନେଇ କିମ୍ବା ସମାଧାନ ନକରି ଉଭୟଙ୍କ ଭିତରେ କଥାହୁଅ ବୋଲି ଛାଡ଼ିଦେବା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଯଦି ସରକାରୀ ଜମିରେ ଭୂମିହୀନମାନେ ଚାଷ କରିବା ଅପରାଧ ତାହେଲେ ଗାଁର ଅନ୍ୟ ସରକାରୀ ଜମିରେ ଚାଷ କରିଥିବା ସବର୍ଣ୍ଣମାନଙ୍କ ଧାନକୁ ପ୍ରଶାସନ କାଟି ନେବାକୁ କହୁନାହିଁ କାହିଁକି ? ଏହି ପରିପ୍ରେକ୍ଷୀରେ ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁକି ଯେ ଦଳିତମାନେ ଫସଲ କରିଥିବାରୁ ପ୍ରଶାସନ ପୂର୍ବର ଧାରା ୧୪୫କୁ ଲାଗୁ କରି ସେମାନଙ୍କ ମଧ୍ୟରୁ ଜଣକୁ ରିସିଭର ନିଯୁକ୍ତ ଦେଇ ଧାନ କାଟିବାକୁ ଅନୁମତି ପ୍ରଦାନ କରୁ। ଯଦି ସବର୍ଣ୍ଣଙ୍କ ଚାପରେ ପଡ଼ି ସରକାର ବଳପୂର୍ବକ ଦଳିତମାନଙ୍କ ବର୍ଷଯାକର ଆୟ ବା ଖାଦ୍ୟକୁ ଛଢ଼େଇ ନେବାକୁ ଉଦ୍ୟମ କରନ୍ତି, ତାହେଲେ ସେମାନେ ତାକୁ ବିରୋଧ କରିବାକୁ ଏବଂ ଆବଶ୍ୟକ ପଡ଼ିଲେ ସପରିବାର ପିଲାଛୁଆଙ୍କୁ ଧରି ତହସିଲ କାର୍ଯ୍ୟାଳୟରେ ଆଶ୍ରୟ ନେବାକୁ ବାଧ୍ୟ ହେବେ। ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ସବର୍ଣ୍ଣମାନଙ୍କ ଦ୍ୱାରା ବଡ଼ଦୋଦୁଙ୍ଗାର ଗରିବ ଦଳିତ ଲୋକଙ୍କ ଉପରେ ଜାତିଆଣ ମନୋଭାବ ନେଇ ଅତ୍ୟାଚାର ଓ ଫସଲ ଛଡ଼େଇ ନେବାକୁ ଉଦ୍ୟମର ତୀବ୍ର ନିନ୍ଦା କରୁଛି। ସରକାର ଶାସକ ଦଳର ବିଧାୟକଙ୍କ ଚାପରେ ନପଡ଼ି ଜାତିଗତ ନିର୍ଯ୍ୟାତନାର ଶୀକାର ଦଳିତମାନଙ୍କୁ ନ୍ୟାୟ ଦେବାକୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଛି । ସରକାରୀ ଜମିରେ ବର୍ଷ ବର୍ଷ ଧରି ଚାଷ କରି ପେଟ ପୋଷି ଆସୁଥିବା ଦଳିତ ଲୋକଙ୍କୁ ସେମାନଙ୍କ ବର୍ଷଯାକର ଖାଦ୍ୟକୁ ଛଡ଼େଇବାକୁ ଉଦ୍ୟମ ନକରି ଦଳିତମାନେ ଯେପରି ନିଜର ଉତ୍ପାଦିତ ଅମଳ କରି ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନ ନିଶ୍ଚିତ କରିବାକୁ ଦାବି କରୁଛୁ। ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳିତ ମହାସଭାର ନେତାମାନଙ୍କ ମଧ୍ୟରେ ଜିଲ୍ଲା ଆବାହକ ସଂଗ୍ରାମ ନାୟକ, ସାମାଜିକ ବାସନ୍ଦ ପୀଡିତମାନଙ୍କ ପ୍ରତିନିଧି ବସନ୍ତ ନାୟକ, ଜୟରାମ ନାୟକ, ପ୍ରକାଶ ନାୟକ, ବାବୁଲି ନାହାକ ଓ ଜିଲ୍ଲା ଖଦାଳ ମହାସଭାର ସଭାପତି ସୁରେନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।