ସାବିତ୍ରୀ ମହିଳା କଲେଜରେ ମାନସିକ ଚାପ ସମ୍ପର୍କିତ ଆଲୋଚନାଚକ୍ର।

ଭଞ୍ଜନଗର, ୦୪/୦୯(ପିପିଟି):ଆଜିର ଯୁଗରେ ଯୁବ ସମାଜ ପାଇଁ ମାନସିକ ଚାପ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପାଲଟିଛି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କୋଷ ଏଵଂ ଗୃହ ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ “ଯୁବ ସମାଜରେ ମାନସିକ ଚାପ ଏବଂ ଏହାର ପରିଚାଳନା” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଏବଂ ବକ୍ତା ଭାବରେ ଆଇଜିକେସି ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ, ଭୁବନେଶ୍ୱରର ପରାମର୍ଶଦାତା, ନ୍ୟୁରୋଲୋଜିଷ୍ଟ ଡକ୍ଟର ଶିବନାରାୟଣ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବରେ ଏହି ହସ୍ପିଟାଲର ସିନିୟର ମ୍ୟାନେଜର ଶକ୍ତି ପ୍ରସାଦ ଦାସ ଯୋଗ ଦେଇଥିଲେ। ମାନସିକ ଚାପ, ଏହାର କାରଣ ଏବଂ ପରିଣାମ, ଚାପରୁ କିପରି ମୁକ୍ତି ପାଇବେ ସେ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବକ୍ତାମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଅଧ୍ୟକ୍ଷ ଡକ୍ଟର ମଲ୍ଲିକ ଛାତ୍ରଛାତ୍ରୀଙ୍କ ମାନସିକ ଚାପ ସମସ୍ୟା ସହିତ ଜଡିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ରଶ୍ମିତା ବେହେରା ମଞ୍ଚ ସଂଚାଲନ, ଅଧ୍ୟାପିକା ଡଃ ମଞ୍ଜୁ ପ୍ରଭା ଦାସ ଅତିଥି ପରିଚୟ ପ୍ରଦାନ, ଛାତ୍ରୀ ଶୁଭସ୍ମିତା ପାଳ ବିବରଣୀ ପାଠ କରିଥିଲେ। +୩ ଶେଷ ବର୍ଷ ଛାତ୍ରୀ ସଂଯୁକ୍ତା ବିଷୋୟୀ ଆଲୋଚନା ଚକ୍ରର ବିଷୟ ଉପସ୍ଥାପନ କରିଥିଲେ। ଗୃହ ବିଜ୍ଞାନ ବିଭାଗର ଡେମନଷ୍ଟ୍ରେଟର ପ୍ରଭାତୀ ମିଶ୍ର ଏବଂ କଲେଜର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଗୃହବିଜ୍ଞାନ ବିଭାଗର ନବାଗତା ଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷାରେ କୃତୀ ଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପିକା ଜୟଲକ୍ଷ୍ମୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

(ଜେ.କେ ପଟ୍ଟନାୟକ)

Comments (0)
Add Comment