ସାବିତ୍ରୀରେ ସୂର୍ଯ୍ୟଙ୍କୁ ଲାଗିବ ପରାଗ; ପୂଜା ସମୟ ନେଇ ଦ୍ୱନ୍ଦରେ ସାବିତ୍ରୀ ।

ବେଲଗୁଣ୍ଠା,୦୯/୦୬(ପିପିଟି),ସଧବା ଓଡି଼ଆଣିଟିଏ ଉତ୍କଣ୍ଠାର ସହିତ ଚାହିଁ ରହିଥାଏ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିକୁ । ଏହି ଦିନ ସେ ତାର ଜନ୍ମଜନ୍ମାନ୍ତରର ସାଥୀ ତଥା ଇହ କାଳ ପରକାଳର ଦେବତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ନିଷ୍ଠାର ସହ ପାଳିଥାଏ ସାବିତ୍ରୀ ବ୍ରତ । କିନ୍ତୁ ଚଳିତ ବର୍ଷ ଏହି ବ୍ରତ ପାଳନକୁ ନେଇ ଦ୍ଵନ୍ଦରେ ଅଛନ୍ତି ସାବିତ୍ରୀ ମାନେ । ପ୍ରକାଶ ଥାଉକି ଚଳିତ ବର୍ଷ ଜୁନ୍ ୧୦ ତାରିଖରେ ସାବିତ୍ରୀ ଅମାବାସ୍ୟା ସାଙ୍ଗକୁ ଏକା ଦିନରେ ପଡ଼ୁଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏହା ହିଁ ସାବିତ୍ରୀ ମାନଙ୍କ ଚିନ୍ତାର କାରଣ I ହିନ୍ଦୁ ପାଞ୍ଜି ଅନୁଯାୟୀ, ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ଗୋଟାଏ ୪୨ ମିନିଟରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ । ଯେହେତୁ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗେ, ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ ଓ ପୂଜା ପାଠ କରାଯାଏ ନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । ତେଣୁ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ମହିଳାଙ୍କ ମନରେ ଅମାବାସ୍ୟା ଦିନ ପୂଜା କରିବା ସମୟକୁ ନେଇ ସନ୍ଦେହ ରହିଛି ଯେ କେଉଁ ସମୟରେ ମହିଳାମାନେ ପୂଜା କରିବେ । କିନ୍ତୁ ସାବିତ୍ରୀ ମାନଙ୍କ ଏହି ସନ୍ଦେହକୁ ମୋଚନ କରିଛନ୍ତି କିଛି ଜଣାଶୁଣା ଜ୍ୟୋତିଷ ବିଶାରଦ । ସେମାନଙ୍କ ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ହିଁ ଶୁଭ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଥାଏ । କିନ୍ତୁ ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ଯ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ । ତେଣୁ ବିବାହିତା ମାନେ ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ଏହି ପୂଜାରେ କୌଣସି ଦୋଷ ଲାଗିବନି । ଅମାବାସ୍ୟା ତିଥି ଜୁନ୍ ନଅ ତାରିଖ ବୁଧବାର ଅପରାହ୍ଣ ଏକ ଘଣ୍ଟା ୫୭ ମିନିଟ୍ ରୁ ଆରମ୍ଭ ହୋଇ ଜୁନ୍ ୧୦ ତାରିଖ ଗୁରୁବାର ଚାରି ଘଣ୍ଟାରେ ସମାପ୍ତ ହେଉଥିବା ବେଳେ ଜୁନ୍ ୧୦ ତାରିଖରେ ସାବିତ୍ରୀ ବ୍ରତ ପାଇଁ ଶୁଭ ମୁହୂର୍ତ୍ତ ରହିଥିବା ଜ୍ୟୋତିଷ ବିଶାରଦମାନେ ପ୍ରକାଶ କରିଛନ୍ତି । ଅନ୍ୟଦିଗରେ ସାବିତ୍ରୀରେ ସାବିତ୍ରୀଙ୍କ ଅପେକ୍ଷା ସତ୍ୟବାନଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି । ଲକ୍ ଡ଼ାଉନ୍ ରେ ପକେଟ୍ କୁ ମହଙ୍ଗା ମାଡ଼ ଏବଂ ସାବିତ୍ରୀଙ୍କୁ ଖୁସି କରିବା ପାଇଁ ଶାଢ଼ୀ ଚୁଡ଼ି କିଣିବାକୁ ଘରୁ ବାହାରିଲେ ମୋଟା ଅଙ୍କର ଫାଇନ୍ ସାଙ୍ଗକୁ ପୋଲିସ୍ ର ଲାଠି ମାଡ଼ ସତ୍ୟବାନଙ୍କ ହୋସ୍ ଉଡାଇଦେଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment