ଭଞ୍ଜନଗର,୦୮/୦୮(ପିପିଟି): ଭଞ୍ଜନଗର ସହାର ବାସୀଙ୍କୁ ସୁରକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରମୁଖ ସ୍ଥାନ ଗୁଡିକରେ ସିସି କ୍ୟାମେରା ଲଗାଯାଉଛି।ଏହାଦ୍ୱାରା ୨୪ଘଣ୍ଟା ଅପରାଧ ନିୟନ୍ତ୍ରଣ,ରୋଡ ରୋମିଓଙ୍କ ପ୍ରାଦୁର୍ଭାବ, ବେପରୁଆ ଗାଡି ଚାଳକ,ଦୁର୍ଘଟଣାର କାରଣ, ଚୋରି ଘଟଣା, ରାସ୍ତା ଉପରେ ମନ ଇଚ୍ଛା ଅଳିଆ ଆବର୍ଜନା ପକାଉଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପ୍ରୟାସ ଆରମ୍ଭ ହେଇଛି। ସହରର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଛକ ମାନଙ୍କରେ ସିସି କ୍ୟାମେରା ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନଏସି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ପାଇଁ ଏଭଳି ପଦେକ୍ଷପ ଗ୍ରହଣ କରାଯାଇଥିବା ନଗରପାଳ ଗୋପବନ୍ଧୁ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସହରର ଜଣ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଘଟୁଥିବା ଘଟଣାର ସବିଶେଷ ଚିତ୍ର ସିସି କ୍ୟାମେରା ମାଧ୍ୟମରେ ରେକର୍ଡ କରାଯାଇ ପାରିବ। ଯାହାଫଳରେ ଅପରାଧିକ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇବା ସାଙ୍ଗକୁ ପୋଲିସ ଦ୍ରୁତ ଗାଡିଚଳନା, ବିନା ହେଲମେଟରେ ଯାତ୍ରା କରୁଥିବା ଗାଡ଼ି ଚାଳକ ତଥା ଟ୍ରାଫିକ ନିୟମ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ କରିପାରିବ। ପ୍ରଥମେ ସହରର ଥାନା ଛକ, ହନୁମାନ ମନ୍ଦିର ଛକ, ବାଗଦେବୀ ରୋଡ, ବେଲଗୁଣ୍ଠା ରୋଡ, ମେନ ରୋଡ, ପୁରୁଣା ବଜ଼ାର ସାହି ଛକ, ଭେଜିପୁଟ, ଖଲାସାହି ଓ ଲୋହରା ଖଣ୍ଡି ସେତୁ ନିକଟରେ ସିସି କ୍ୟାମେରା ଖଞ୍ଜା ଯିବା ପାଇଁ ଯୋଜନା ରହିଛି। ଆଗାମୀ ଦିନରେ ସହରର ଅନ୍ୟାନ୍ୟ ଗଳି କନ୍ଦିରେ ମଧ୍ୟ ସିସି କ୍ୟାମେରା ଲଗାଯିବ ବୋଲି ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )