ଭଞ୍ଜନଗର,୧୦/୦୬(ପିପିଟି); ଗତ କିଛି ଦିନ ହେଲା ବଢ଼ିବାରେ ଲାଗିଛି ସାଇବର କ୍ରାଇମ। ନୂଆ ନୂଆ ଉପାୟ ଅବଲମ୍ବନ କରି ସାଧାରଣ ଲୋକଙ୍କୁ ଠକି ସର୍ବସ୍ୱାନ୍ତ କରି ଦେଉଛନ୍ତି ଏହି ଠକ ମାନେ।ଭଞ୍ଜନଗର ଅଞ୍ଚଳରେ ମଧ୍ୟ ଏମିତି ଅନେକ ଗୁଡ଼ିଏ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି।ଗତ କିଛି ଦିନ ତଳେ ଭଞ୍ଜନଗର ଖାଲା ସାହିରେ ରହୁଥିବା ସଞ୍ଜୟ କୁମାର ମିଶ୍ରଙ୍କ ଫେସବୁକ ଆକାଉଣ୍ଟକୁ କେହି ଦୁର୍ବୁତ୍ତ ହ୍ୟାକ କରି ତାଙ୍କ ନାମରେ ଅନ୍ୟ ମାନଙ୍କୁ ମେସେଞ୍ଜର ଜରିଆରେ ଦେହ ଖରାପ ଅଛି କିଛି ଆର୍ଥିକ ସାହାଯ୍ୟ କରିବାକୁ କହିଥିଲେ। କିଛି ଲୋକ ଏହାକୁ ଅବିଶ୍ୱାସ କରିଥିଲେ ମଧ୍ୟ ଜଣେ ଦିଜଣ ବିଶ୍ୱାସ କରି କିଛି ଟଙ୍କା ପଠେଇ ଠକାମୀ ର ଶିକାର ହୋଇଥିଲେ। ସେହିପରି ଭଞ୍ଜନଗର ବାର ଆସୋସିଏସନର ପୂର୍ବତନ ସଭାପତି ଅଭିମନ୍ୟୁ ଗୌଡ଼ଙ୍କ ଫେସବୁକ ଆକାଉଣ୍ଟରୁ ମଧ୍ୟ କେହି ଦୁର୍ବୁତ୍ତ ଅସୁବିଧା ଅଛି କହି ଅନ୍ୟ ମାନଙ୍କୁ ମେସେଜ କରି ଅର୍ଥ ଆଦାୟ ପାଇଁ ଚେଷ୍ଟା କରୁଥିବା ଦେଖା ଯାଇଛି। ଏସମ୍ପର୍କରେ ଖବର ପାଇ ଅଭିମନ୍ୟୁ ଗୌଡ଼ଙ୍କୁ ପଚାରିବାରେ ସେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ଏଭଳି ସୂଚନାକୁ ବିଶ୍ୱାସ ନକରି ଅର୍ଥଦାନ ଠାରୁ ଦୂରେଇ ରହିବାକୁ ସଚେତନ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )