ମାଲକାନଗିରି,୦୩/୦୫(ପିପିଟି): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି- ୩୩ ଗ୍ରାମର ଜଣେ ମହିଳା ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ । ଘରେ ପହଞ୍ଚିବା ପରେ ସାପ କାମୁଡିବା କଥା ପରିବାର ଲୋକଙ୍କୁ କହିଥିଲେ । ତାପରେ ପରିବାର ଲୋକ ତାଙ୍କୁ ସାଙ୍ଗେ ସାଙ୍ଗେ କାଲିମେଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ମାଲକାନଗିରି ନେବା ସମୟରେ ରାସ୍ତାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ମହିଳା ଜଣକ ଏମ.ପି.ଭି- ୩୩ ଗ୍ରାମର ଗୌତମ ବୈରାଗୀଙ୍କ ପତ୍ନୀ ଅନିକା ବୈରାଗୀ ବୋଲି ଜଣାପଡିଛି । ଅନିକା ବୈରାଗୀ ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ କୋଇମେଟଲା ସରପଞ୍ଚ ମୁନ୍ନା ପଡ଼ିଆମି ଯାଇ ପରିବାରକୁ ସମବେଦନା ଜଣାଇବା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)