ମାଲକାନଗିରି,୦୪/୦୪(ପିପିଟି) ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥିବା ବେଳେ ଶୁଖିଲା ପତ୍ର ମଧ୍ଯରେ ଲୁଚି ରହିଥିବା ବିଷଧର ସର୍ପ କାମୁଡାରେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିଟିବେରୀ ଗ୍ରାମର ଜନୈକ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି ।ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିଟିବେରୀ ଗ୍ରାମ ପୋଦିଆ କବାସି(୩୨)ମହୁଲ ଗୋଟେଇବାକୁ ସକାଳେ ଜଙ୍ଗଲକୁ ଯାଇ ଥିଲା ।ଜଙ୍ଗଲର ବିଭିନ୍ନ ସ୍ଥାନରେ ଶୁଖିଲା ପତ୍ର ଝଡି ରହିଥିବା ବେଳେ ସେହି ପତ୍ର ଭିତରେ ଏକ ବିଷଧର ସର୍ପ ଲୁଚି ରହିଥିଲା । ଅସାବଧାନତା ବଶତଃ ପତ୍ର ମଧ୍ଯରେ ଲୁଚି ରହିଥିବା ସର୍ପ ଉପରେ ପଦିଆର ପାଦ ପଡିଯିବା ଫଳରେ ଅଜଣା ସାପ ପଦିଆ କବାସୀର ଗୋଡକକୁ ହଠାତ କାମୁଡ଼ି ଦେଇଥିଲା । କାଳ ବିଳମ୍ବ ନକରି ଯଥାଶୀଘ୍ର ପଦିଆକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ବଞ୍ଚାଇ ପାରିନଥିଲେ । ଫଳରେ ପଦିଆର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲା ପଦିଆ । ପଦିଆର ସ୍ତ୍ରୀ ସହ ତିନୋଟି ସନ୍ତାନ ରହିଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)