ସାନଖେମୁଣ୍ଡିରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ।

ସାନଖେମୁଣ୍ଡି,୧୭/୦୮(ପିପିଟି): ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ମୁଖ୍ୟାଳୟଠାରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଆରକ୍ଷୀ ଅଧିକ୍ଷକ ହରିଶ ବିଶିଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ଶୁଣାଣି କରିଥିଲେ ।

ଜନଶୁଣାଣି ଶିବିରରେ ମୋଟ ୩୬୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୩୧୧ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ ୫୦ଟି ଅଭିଯୋଗ ଗ୍ରାମ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ଆସିଥିଲା। ଅଭିଯୋଗଗୁଡ଼ିକର ଗୁରୁତ୍ବ ଅନୁଯାୟୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ତ୍ୱରିତ ଓ ସମୟୋଚିତ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଅବସରରେ ୮ ଜଣ ହିତାଧିକାରୀଙ୍କ ପାଇଁ ରେଡ୍‌କ୍ରସ୍‌ ପାଣ୍ଠିରୁ ମୋଟ ୪୭,୫୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଏଥିସହ ଜଣେ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯିବା ସହ ୩ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଟ୍ରାଇସାଇକେଲ୍‌ ପ୍ରଦାନ କରାଯାଇଥିଲା ।

ଜନସାଧାରଣଙ୍କ ଅଭିଯୋଗକୁ ସିଧାସଳଖ ଶୁଣିବା ସହ ତାହାର ତ୍ୱରିତ ଓ ସମ୍ବେଦନଶୀଳ ସମାଧାନ କରିବା ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିରନ୍ତର ଗୁରୁତ୍ୱ ଦେଇଆସୁଛି ।

Comments (0)
Add Comment