ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ।

ମାଲକାନଗିରି, ୧୭/୦୩(ପିପିଟି) :୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ( ଇସିଆଇ ) ୧୬ ମାର୍ଚ୍ଚ ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିଛନ୍ତି। ଏଥି ସହିତ ସାରା ଦେଶରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ପାଇଁ ଆଦର୍ଶ ଆଚରଣ ବିଧି (ଏମ ସି ସି) ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ ପାୱାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ରାଜନୈତିକ ଦଳ ଓ ସାମ୍ବାଦିକଙ୍କ ସହ ଏକ ବୈଠକ ଆୟୋଜନ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିବା ହୋର୍ଡିଂକୁ ବାହାର କରିବା ସହ ପ୍ରାଚୀରରେ ଚିତ୍ରିତ ହୋଇଥିବା ସରକାରୀ ବିଜ୍ଞାପନକୁ ଧଳା ଚୂନରେ ରଙ୍ଗ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜନୈତିକ ଦଳ ମାନଙ୍କୁ ଏମସିସି ନିମନ୍ତେ କଣ ସବୁ ଦାୟିତ୍ଵ ଓ ନିୟମ ରହିଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ କୁହାଯାଇଥିଲା। ସମସ୍ତ ପ୍ରକାର ସଭା ସମିତି ଓ ଶୋଭା ଯାତ୍ରା ଅନୁମତି ପାଇଁ ସୁବିଧା ପୋର୍ଟାଲ ମାଧ୍ୟମରେ ଆବେଦନ କରି ପାରିବେ। ଯାହାକୁ ଯଥା ଶୀଘ୍ର ତଥା ୨୪ ଘଣ୍ଟା ମଧ୍ୟରେ ଅନୁମତି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ମତଦାନ ପାଇଁ ମହିଳା ଓ ପୁରୁଷଙ୍କ ବ୍ୟତୀତ ଭିନ୍ନକ୍ଷମ, ଗର୍ଭବତୀ, କିନ୍ନର ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ। ସେହିପରି ସି ଭିଜିଲ ଆପ୍ ରେ ପଞ୍ଜିକରଣ କରି ଅଭିଯୋଗ ଦାଖଲ କରି ପାରିବେ। ପ୍ରାର୍ଥୀଙ୍କ ସମସ୍ତ ସୂଚନା ନିମନ୍ତେ କେ ୱାଇ ସି ଆପ ମାଧ୍ୟମରେ ସମସ୍ତ ସୂଚନା ମିଳି ପାରିବ। ଜିଲ୍ଳା ସ୍ତରରେ ଏମସିଏମସି କମିଟି ମାଧ୍ୟମରେ ବିଭିନ୍ନ ବିଜ୍ଞାପନ ଓ ସମ୍ବାଦ କୁ ତର୍ଜମା କରାଯିବ। ବିଭିନ୍ନ ସୂଚନା ଓ ଅଭିଯୋଗ ପାଇଁ ଦେୟମୁକ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୧୯୫୦ ମାଧ୍ୟମରେ ଆବଶ୍ୟକୀୟ ସୂଚନା ଓ ଅଭିଯୋଗ ଦାଖଲ କରିପାରିବେ। ଜିଲ୍ଲାରେ ବର୍ତ୍ତମାନ ୪୪୯୨୨୯ ଜଣଙ୍କ ମଧ୍ୟରୁ ୨୧୭୭୪୦ ଜଣ ପୁରୁଷ, ,୨୩୧୪୪୫ ଜଣ ମହିଳା ଓ ୪୪ ଜଣ କିନ୍ନର ଭୋଟର ରହିଥିବା ବେଳେ ଜିଲ୍ଳାରେ ୧୦୦୦ ପୁରୁଷଙ୍କ ପିଛା ୧୦୬୩ ମହିଳା ଭୋଟର ରହିଛନ୍ତି। ଜିଲ୍ଲାରେ ୩୯୧୮ ଜଣ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ୪୧ ଗୋଟି ଆଦର୍ଶ ପୋଲିଂ ବୁଥ ରହିଛି। ତନ୍ମଧ୍ୟରୁ ୨୯ ଟି ସଖୀ ବୁଥ ଯେଉଁଠାରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ। ୧୦ଟି ଯୁବ ପୋଲିଂ ବୁଥ ଓ ୨ଟି ଭିନ୍ନକ୍ଷମ ବୁଥ ରହିବ। ସେହିପରି ଭୋଟ ଦେବାର ଗୋପନୀୟତାକୁ ରକ୍ଷା କରି ୬୦ ପ୍ରତିଶତ ବୁଥ କୁ ୱେବ୍ କାଷ୍ଟିଂ କରାଯିବ ଯାହାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ନିର୍ବାଚନ ଆୟୋଗ ନିରୀକ୍ଷଣ କରିବେ। ଏହା ସହ ସ୍ୱଚ୍ଛ ମତଦାନ ପାଇଁ ମାଇକ୍ରୋ ଅବଜରଭର ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା କରାଯିବ। ନିର୍ବାଚନକୁ ସଫଳ ରୂପେ ଆୟୋଜନ ପାଇଁ ସସସ୍ତ ଟିମ୍ ଗଠନ କରାଯାଇସାରିଛି। ଏକ ସଫଳ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଅଧିକରୁ ଅଧିକ ମତଦାତା ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ, ପ୍ରତାପ କଟ୍ଟାପଲ୍ଲି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ସିଡିଓ ତଥା ଇଓ, ନରେଶ ଚନ୍ଦ୍ର ଶବର ଓ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment