ସାଇବର କ୍ରାଇମ ରୋକିବାକୁ ସଚେତନତା ଆବଶ୍ୟକ ।

ଭଞ୍ଜନଗର, ୩୦/୧୦(ପିପିଟି ):ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ପ୍ରଥମେ ଛାତ୍ରୀଛାତ୍ରମାନେ ସ୍ଥାନୀୟ ଚକରା ବିଷୋୟୀ ଛକରୁ ଏକ ରାଲିରେ ଆସି କଲେଜରେ ପହଞ୍ଚିଥିଲେ।ଏଠାରେ ଆୟୋଜିତ ସଭାରେ ବକ୍ତାମାନେ ଯୋଗଦେଇ ପ୍ରଥମେ ସୁରକ୍ଷା କୁ ନେଇ ଶପଥ ପାଠ କରିଥିଲେ। ଲୋଭର ବଶବର୍ତ୍ତୀ ନହୋଇ ଅଜଣା ବ୍ୟକ୍ତିକୁ ନିଜର କୌଣସି ତଥ୍ୟ ନ ଦେବା,ସତର୍କତା ଅବଲମ୍ବନ କରି ମୋବାଇଲ ବ୍ୟବହାର କରିବା, ସର୍ବଦା ଷ୍ଟ୍ରଙ୍ଗ ପାସ ୱାର୍ଡ ବ୍ୟବହାର କରିବା, ଓଟିପି କାହାକୁ ନଦେବା ପାଇଁ କହିଥିଲେ। ସାଇବର ଠକେଇର ଶିକାର ହେଲେ ସଙ୍ଗେ ସଙ୍ଗେ ୧୯୩୦ ନମ୍ବରକୁ ଜଣାଇବା ସହ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସତର୍କତା ଆବଶ୍ୟକ। ଏଥିପାଇଁ ଅଧିକରୁ ଅଧିକ ସଚେତନତା ଲୋଡା ବୋଲି ବକ୍ତାମାନେ କହିଥିଲେ।
ଭଞ୍ଜନଗର ଥାନା ଏବଂ କଲେଜ ଜାତୀୟ ସେବା ଯୋଜନା ଶାଖା ୧ ଓ ୨, ଏନସିସି ଆର୍ମି ୱିଂଙ୍ଗ, ନାଭାଲ ୱିଂଙ୍ଗ ଏବଂ ଯୁବ ରେଡକ୍ରସ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ଏଏସପି ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସଡିପିଓ ଡ. ଦୀପକ ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶାଳ, ଡ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ଶୁଳପାଣି ଶତପଥି,ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ମୋହିତ କୁମାର ପାତ୍ର, ଏଚ ଡି ଏଫ ସି ଡେପୁଟି ପରିଚାଳକ ନାରାୟଣ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ପ୍ରଶାସନିକ ଅଧିକାରୀ ବିଭାସ ଦାସ ସ୍ବାଗତ ଭାଷଣ ଦେଇଥିଲେ।ସାମ୍ବାଦିକ ଜୟକୃଷ୍ଠ ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଦାସକାଠିଆ ନୃତ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଥିଲା।ସାଇବର ସୁରକ୍ଷା ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଭଞ୍ଜନଗର ପୋଲିସ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment