ସାଇକେଲ ରାଲିରେ ଜଙ୍ଗଲ ସୁରକ୍ଷା ସଚେତନତା ।

ଭଞ୍ଜନଗର, ୧୩ା/୦୩(ପିପିଟି):ଗ୍ରୀଷ୍ମପ୍ରବାହ ସମୟରେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁ ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି।ଯାହାକି ବନବିଭାଗ ପାଇଁ ଚିନ୍ତାର କାରଣ ସାଜିଛି।ତେଣୁ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଗୁରୁବାର ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ କଣ୍ଟେଇପଲ୍ଲୀ ଛକରୁ ୧୫କିମି ଏକ ସାଇକେଲ ରାଲି ବାହାରି ବିଭିନ୍ନ ଗ୍ରାମ ଅତିକ୍ରମ କରି ଲାଲ ସିଂ ନର୍ସରୀ ଠାରେ ଶେଷ ହୋଇଥିଲା। ଉକ୍ତ ରାଲିକୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏସିଏଫ ରଶ୍ମି ରଞ୍ଜନ ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିସହ ଅନ୍ୟ ଅଧିକାରୀମାନେ ମଧ୍ୟ ରାଲିରେ ସାମିଲ ହୋଇଥିଲେ। ଏହି ଅବସରରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଜଙ୍ଗଲ ହେଉଛି ଆମ ସମସ୍ତଙ୍କର ସମ୍ପତ୍ତି। ଏହାର ସୁରକ୍ଷା କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ପ୍ରଚେଷ୍ଟା ଯୋଗୁଁ ସେହି ଜଙ୍ଗଲ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଅଛି। ଅନ୍ୟ ଜଙ୍ଗଲ ମଧ୍ୟ ଏହିଭଳି ସୁରକ୍ଷିତ ରଖିବା ପାଇଁ ସମସ୍ତେ ସହଯୋଗ କରିବା ପାଇଁ କହିଥିଲେ। ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ପଥପ୍ରାନ୍ତ ନାଟକ, ରାଲି, ପ୍ରଚାରପତ୍ର ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନତା କରାଯାଉଛି। ରାଲିରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‌ ବିବେକ ଦାସ, ରଶ୍ମୀରଞ୍ଜନ ସାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରେଞ୍ଜର ପୃଥିବୀ ରାଜ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ସଭାପତି ଶରତ ସାଇଁ, ଜିତୁ ମଲ୍ଲିକ, ଜୀବାନନ୍ଦ ତ୍ରିପାଠୀ, ଦୀନବନ୍ଧୁ ମିଶ୍ର, ସନ୍ତୋଷ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment