ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜୟନ୍ତୀ ଦିବସ ପାଳିତ ।

ବ୍ରହ୍ମପୁର,୨୨/୧୧(ପିପିଟି): ଲକ୍ଷ୍ମଣ ନାୟକ ଓଡ଼ିଶା ର ଜଣେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଗାଁ ଗାଁ ବୁଲି ସ୍ଵାଧୀନତା ଅହିଂସାର ବାର୍ତ୍ତା ପ୍ରଚାର କରୁଥିଲେ ଯାହା ବ୍ରିଟିଶ ମାନଙ୍କୁ ଅସୁବିଧା କରୁଥିଲା । ଶୋଷିତ, ଅତ୍ୟାଚାରିତ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସେ ସ୍ବର ଉତୋଳନ କରିଥିଲେ । ସେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟର ତେନ୍ତୁଲିଗୁମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ଜନ୍ମ ଜୟନ୍ତୀକୁ ଚିର ସ୍ମରଣୀୟ କରିବା ପାଇଁ ଆଜି ବ୍ରହ୍ମପୁର ସ୍ଥିତ ମଣ୍ଡଳ କାରାଗାର ରେ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଯୋଗଦେଇଥିଲେ । ଅନ୍ୟତମ ଅତିଥି ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ,ମଣ୍ଡଳ କାରାଗାର ବରିଷ୍ଠ ଅଧିକ୍ଷକ ଧୀରେନ୍ଦ୍ର ନାଥ ବାରିକ, ଜେଲର ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝି ଉପସ୍ଥିତ ରହିଥିଲେ । ସମସ୍ତ ଅତିଥି ପ୍ରଥମେ ମଣ୍ଡଳ କାରାଗାର ଭିତରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିରରେ ଯେଉଁଠି ସେ ବନ୍ଦୀ ଥିଲେ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାପରେ ମଣ୍ଡଳ କାରାଗାର ବାହାରେ ଯେଉଁଠି ସହିଦ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ସେହିଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ସାମ୍ବାଦିକ, ନେତୃବୃନ୍ଦ ,ମଣ୍ଡଳ କାରାଗାର ର ସମସ୍ତ କର୍ମଚାରୀ , ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments (0)
Add Comment