ବେଗୁନିଆପଡା,୨୩/୦୬(ପିପିଟି):ନିଜ ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷୟିତ୍ରୀଙ୍କୁ ଫେବର୍ ମାଗି ହଟହଟା ହୋଇଛନ୍ତି ପ୍ରଧାନ ଶିକ୍ଷକ। ଅଶ୍ଲିଳ ମେସେଜ୍, ଅଶ୍ଲୀଳ ଇଙ୍ଗିତ ଓ ମାନସିକ ନିର୍ଯାତନା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହେଲେ ଶିକ୍ଷୟିତ୍ରୀ। ଗଞ୍ଜାମ ବେଗୁନିଆପଡ଼ା ବ୍ଲକର ସୌରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୀଲ କୁମାର ବିଶ୍ବାଳଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ।ବିଦ୍ଯାଳୟରେ ଥିବା ସମୟରେ ପାଖକୁ ଆସି ଲାଗି ଯାଆନ୍ତି। ବିନା କାରଣରେ ଅଫିସ ରୁମ୍ କୁ ବାରମ୍ବାର ଆସିବାକୁ ବାଧ୍ଯ କରନ୍ତି। କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଦେବା ସହ ଶିକ୍ଷୟିତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କ କଥାରେ ରାଜି ନ ହେବାରୁ ମନ୍ଦ ଉଦ୍ଦେଶ୍ୟ ରଖି ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରି ଦେଇଥିବା ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ। ଘଟଣାକୁ ନେଇ ଗତକାଲି ବୁରୁଝୁରୀ ଠାରେ ଚାଲିଥିବା ଜନ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ପୁଣି ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁଙ୍କ ଦ୍ବାରସ୍ଥ ହୋଇଥିଲେ ସଂପୃକ୍ତ ଶିକ୍ଷୟିତ୍ରୀ । ତେବେ ପ୍ରଧାନ ଶିକ୍ଷକଙ୍କୁ ଡାକି ବୁଝିବା ପରିବର୍ତ୍ତେ ଓଲଟା ଶିକ୍ଷୟିତ୍ରୀଙ୍କୁ କାଉନସିଲିଂ କରିଥିଲେ ବିଇଓ। ତୁମେ ଆଗରୁ କୁଆଡେ ଯାଇଥିଲ ବୋଲି ପ୍ରଶ୍ନ କରିଥିଲେ ବିଇଓ। ପରେ ବେଗୁନିଆପଡ଼ା ଥାନାରେ ଏନେଇ ଏତଲା ଦେଇଛନ୍ତି ଶିକ୍ଷୟିତ୍ରୀ। ଶିକ୍ଷୟିତ୍ରୀ ଜଣକ ଖୋର୍ଦ୍ଧା ଜିଲ୍ଲାରୁ ଆସି ଏଠାରେ ଶିକ୍ଷକତା କରୁଥିବା ବେଳେ ପ୍ରତିଦିନ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ନିଜ ସ୍ବାମୀ ଓ ପରିବାର ସହ ଥାନାର ଦ୍ବାରସ୍ଥ ହେବା ପରେ ଏନେଇ ଏକ ମାମଲା ୩୩୩/୨୦୨୬ ଧାରା 79,78(2)351(2)ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅପର ପକ୍ଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିଲ କୁମାର ବିଶ୍ୱାଳ କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଗତ ଅପ୍ରେଲ ୨୦ ତାରିଖରୁ ବିଦ୍ୟାଳୟ ଛୁଟି ହୋଇଥିବା ବେଳେ ଉକ୍ତ ଶିକ୍ଷୟିତ୍ରୀ ୨୫ ତାରିଖରୁ ଗାଁକୁ ଯାଇ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଆଉ ଆସିନଥିଲେ।ବିଦ୍ୟାଳୟକୁ ଷ୍ଟାଫ ଛୁଟିରେ ଯିବା ଆବଶ୍ୟକ ବୋଲି ବିଇଓଙ୍କ ନିର୍ଦ୍ଦେଶ ପରେ ବି ସେ ଆସିନଥିଲେ ଯାହା ଫଳରେ ତାଙ୍କ ଦରମା ଗୋଟିଏ ମାସର ବନ୍ଦ କରାଯାଇଥିଲା। ଏହି କଥା ସେ ସିଆରସିସି ଓ ବିଇଓଙ୍କୁ ମଧ୍ୟ ଅବଗତ କରିଥିଲେ। ଏହାପରେ ଶିକ୍ଷୟିତ୍ରୀ ଜୁନ ୧୯ ତାରିଖରେ ଆସି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ଶିକ୍ଷକ ଉପସ୍ଥାନ ଖାତାରେ ମଧ୍ୟ ଦସ୍ତଖତ କରିଥିଲେ ଯାହାକି ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ଓ ସମସ୍ତ ତଦନ୍ତକୁ ସାମ୍ନା କରିବେ ବୋଲି କହିଛନ୍ତି। ଗତ କାଲି ଏବିଇଓ ଓ ସିଆରସିସି ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷକ ଏହାର ଉତ୍ତର ବିଇଓଙ୍କୁ ମଧ୍ୟ ଜଣାଇଛନ୍ତି। ସେପଟେ ବେଗୁନିଆପଡା ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଉଭୟ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛି। ବେଗୁନିଆପଡା ବିଡିଓଙ୍କ କାର୍ଯ୍ୟଶୈଳୀ ମଧ୍ଯ ସନ୍ଦେହ ଜନକ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )