ସହକାରୀ ଯୋଗାଣ ଅଧିକାରୀଙ୍କୁ ଗିରଫ କରିବାକୁ କଂଗ୍ରେସର ଦାବି, ଦଲାଲଙ୍କ କେଶକୁ ରଫାଦଫା ଲାଗି ଅଡିଓ ଭାଇରାଲ ।

ମାଲକାନଗିରି,୧୯/୦୯(ପିପିଟି); ଗତ ଫେବୃୟାରୀ ମାସରେ ଜିଲ୍ଲା ଯୋଗାଣ ବିଭାଗ ଦ୍ବାରା ମାଲକାନଗିରି ଜିଲ୍ଲାରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ଲାଗି ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ଚାଲାଣାଗୁଡା ମାଆ ଲକ୍ଷ୍ମୀ ଦେବୀ ମହିଳା ସ୍ବୟଂ ସହାୟକ ଦଳ ଧାନ କିଣିବା ଲାଗି ପ୍ରଶାସନ ଅନୁମତି ଦେଇଥିଲା ।ସେହି ସମୟରେ କିଛି ଦଲାଲ ନକଲି ଚାଷୀ ବନି ଧାନ ମାଲକାନଗିରି ବ୍ଲକ ସ୍ଥିତ ଚାଲାଣଗୁଡା ମଣ୍ଡିରେ ବିକ୍ର କରୁଥିବା ନେଇ ବିଭିନ୍ନ ଗଣ ମାଧ୍ଯମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରାଯାଇ ଦଲାଲ ଆନନ୍ଦ ମାଲାକାର,ପଦିଆ କୱାସୀ, ଇନ୍ଦ୍ର ପଣ୍ଡାଙ୍କ ନାମରେ ମାଲକାନଗିରି ଥାନାରେ ଯୋଗାଣ ନିରୀକ୍ଷକ ସାଗରିକା ମୁଦୁଲି ଲିଖିତ ଅଭିଯୋଗ କରିଥିଲେ । ଫଳରେ ମାଲକାନଗିରି ପୋଲିସ ସେମାନଙ୍କ ନାମରେ ଥାନା କେଶ ନଂ ୪୯/୨୦୨୦ ଧାରା ୧୨୦(ବି) ୪୨୦/୩୪ ଅନୁସାରେ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରିଥିଲା । ତେବେ ସେହି କେଶକୁ ରଫାଦଫା କରିବା ପାଇଁ ଅଭିଯୁକ୍ତମାନଙ୍କ ସହିତ ଗତ ୧୭/୯/୨୦୨୦ ତାରିଖ ଦିନ ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ବାର୍ତ୍ତାଳାପ ହୋଇଥିବା ଅଡିଓ ରେକର୍ଡ ଏକ ବୈଦ୍ଯୁତିକ ଗଣ ମାଧ୍ଯମରେ ପ୍ରଚାର ପ୍ରସାର ହେଲା ପରେ ମାଲକାନଗିରି ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲ ସୂଚନା ଓ ଲୋକ ସଂପର୍କବଅଧିକାରୀଙ୍କ ମାଧ୍ଯମରେ ସୂଚନା ଦେଇଥିଲେ । ତେବେ ଏହି ତଦନ୍ତ ଉପ ଜିଲ୍ଲାପାଳଙ୍କ ହସ୍ତରେ ନ୍ଯସ୍ତ ଥିବା ଖବର କଂଗ୍ରେସ ଦଳର କର୍ମକର୍ତ୍ତାମାନେ ଜାଣିବା ପରେ ସେମାନେ ଏହି ତଦନ୍ତରେ ନିରପେକ୍ଷ ତଦନ୍ତ ହେବ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । କାରଣ ଏହି ସ୍କାମରେ ଉପ ଜିଲ୍ଲାପାଳ ମଧ୍ୟ ସଂପୃକ୍ତ ଥିବା ଜଣା ପଡିଛି । ତେବେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଆଜି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଏସିଏଓ ମନୋଜ ପ୍ରଧାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ପତ୍ର ଦେଇଥିବା ବେଳେ ଜିଲ୍ଲାପାଳଙ୍କୁ ମଧ୍ଯ ଏକ ଦାବି ପତ୍ର ପ୍ରଦାନ କରାଯାଇ ଉପ-ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦିଆ ନଯାଇ ଭିଜିଲାନ୍ସ ବିଭାଗ ଦ୍ବାରା ଏହି ଘଟଣାକୁ ତଦନ୍ତ ଲାଗି ଦୃଢ ଦାବି କରିଛି । ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ଯେ ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଦୀର୍ଘ ୧୦ ବର୍ଷ ହେଲା ମାଲକାନଗିରି ଜିଲ୍ଲାରେ କାର୍ଯ୍ଯ ନିର୍ବାହ କରି ଆସୁଥିବା ବେଳେ ପୂର୍ବରୁ ତାଙ୍କ ନାମରେ ୩ ଗୋଟି ଭିଜିଲାନ୍ସ ମକଦ୍ଦମା ରୁଜୁ ହୋଇଥିଲା । ଗୋଟିଏ କେଶରେ ଭିଜିଲାନ୍ସ କୋର୍ଟ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରମାନା ପକାଇଥିବା ବେଳେ ପରବର୍ତ୍ତୀ ସମୟରେ ଉଚ୍ଚ ନ୍ଯାୟାଳର ଦ୍ବାରସ୍ଥ ହୋଇ କେଶରୁ ଖଲାସ ହୋଇଥିଲେ । କୌଣସି ମାମଲାରେ ଅଭିଯୁକ୍ତ ହେଲେ ସରକାରଙ୍କ ନିୟମ ଅନୁସାରେ ଚାକିରୀରୁ ବିହିଷ୍କାର ହେବା ଉଚିତ କିନ୍ତୁ ଏସିଏସଓ ମନୋଜ ପ୍ରଧାନଙ୍କୁ ସଜା ହୋଇଥିଲେ ମଧ୍ଯ ତାଙ୍କୁ କାର୍ଯ୍ଯରୁ କିପରି ବହିଷ୍କାର କରାଗଲା ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଶ୍ରୀ ପ୍ରଧାନ ଧାନ ମଣ୍ଡି ସ୍କାମରେ ମଧ୍ଯ ସଂପୃକ୍ତ ବୋଲି କଂଗ୍ରେସ ଗୁରୁତର ଅଭିଯୋଗ କରିଛି । ତେବେ ଦଲାଲମାନଙ୍କୁ ଏହି ମାମଲାରୁ ମୁକ୍ତ କରିବା ପାଇଁ ଏସିଏସଓ ମନୋଜ ପ୍ରଧାନ ଉତ୍କୋଚ ମାଗୁଥିବାର ଅଡିଓରେ ଶୁଣିବାକୁ ମିଳୁଛି । ବଡ ମୁଣ୍ଡ ଠାରୁ ଫାଇଲ ଆଣି ଏବଂ ତାଙ୍କୁ ବୁଝାଇ ଶୁଝାଇ ଉପଜିଲ୍ଲାପାଳଙ୍କ ଦ୍ବାରା କେଶଟିକୁ ରଫାଦଫା କରାଇ ଦେବାକୁ କୁହାଯାଇଛି । ଏଥି ପାଇଁ ଯାହା ଲାଗିବ ତାହା ଦେବାକୁ ପଡିବ ବୋଲି ଦଲାଲମାନଙ୍କୁ ଏସିଏସଓ ପ୍ରଧାନ ଅଡିଓ ରେକର୍ଡରେ କହିବା ଶୁଣାଯାଉଛି । ଅଭିଯୁକ୍ତମାନେ ଏହି ମାମଲାରେ ବଞ୍ଚାଇ ଦେବାକୁ କାକୁତି ମିନତୀ କରିଥିବା ଶୁଣାଯାଉଛି । ବଡ ମୁଣ୍ଡ କିଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ମନୋଜ ପ୍ରଧାନଙ୍କ ନିୟନ୍ତ୍ରଣରେ କିଏ ସେ ବଡ ମୁଣ୍ଡ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ତେବେ ଜିଲ୍ଲା କଂଗ୍ରେସ ତରଫରୁ ତୁରନ୍ତ ଦୁର୍ନୀତିଗ୍ରସ୍ଥ ଏସିଏସଙ୍କୁ ତୁରନ୍ତ ଗିରଫ କରାନଗଲେ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ଯ ହେବ ବୋଲି ଚେତାବନୀ ଦେଇଛି । ତେବେ ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ଯାଳୟରେ ଦିନକୁ ଦିନ ଦୁର୍ନୀତି,ଲାଞ୍ଚ ଭ୍ରଷ୍ଟାଚାର ବଢି ବଢି ଚାଲିଛି ଏଥିରେ ସନ୍ଦେହ ନାହିଁ । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment