ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଦିବସରେ ଏକତା ଦୌଡ଼ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୩୧/୧୦(ପିପିଟି):ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ସୁବର୍ଣ୍ଣପୁର ସ୍ଥିତ ରୟାଲ ପଡିଆ ଠାରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କସ୍ତୁରୀ ହୋଟେଲ ଛକ ଦେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିଥିଲା । ସକାଳ ୬ ଟା ବେଳେ ଏହି ଏକତା ଦୌଡ଼ ପାଇଁ ସୁବର୍ଣ୍ଣପୁର ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଖେଲୋ ଇଣ୍ଡିଆ ର ଖେଳାଳି ମାନେ, ସ୍ୱଚ୍ଛ ଭାରତ ଅନୁଷ୍ଠାନ ସମସ୍ତ ସଦସ୍ୟମାନେ, ଏନସିସି ଛାତ୍ର ଛାତ୍ରୀମାନେ ଓ ସୁବର୍ଣ୍ଣପୁର ଜିଲ୍ଲା ବୁଦ୍ଧିଜୀବୀ, ଜନସାଧାରଣ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଏକତା ଦୌଡ଼ ପୂର୍ବରୁ ରୟାଲ ପଡିଆ ଠାରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା । ଏହି ସଭାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ବଲାଙ୍ଗିର ସାଂସଦ ଙ୍କ ପ୍ରତିନିଧି ସାନନ୍ଦ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବର୍ଣ୍ଣପୁର ଅଞ୍ଜଳିନା ପ୍ରଧାନ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲାପାଳ ଓ ଅତିଥି ମାନେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅଖଣ୍ଡ ଭାରତ ଗଠନରେ ଭୂମିକା, ଜୀବନୀ, ଆଦର୍ଶ ଓ ଏକତାର ମନ୍ତ୍ର ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଉପସ୍ଥିତ ଜନ ସମାବେଶକୁ ଉଦବୋଧନ ଦେବା ସହ ଅବଗତ କରାଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment