ସର୍ଟ ସର୍କିଟରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ l

ପଦ୍ମପୁର, ୩୦/୦୪: ରାୟଗଡ଼ା ଜିଲ୍ଲା ପଦ୍ମପୁର ସହରର ଜେନା କଲୋନୀରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ନିଆଁ ଲାଗି ଜଣେ ପୋଲିସ ଅଧିକାରୀ ଓ ଶିକ୍ଷୟିତ୍ରୀ ଦମ୍ପତିଙ୍କ ଦୀର୍ଘ ୧୩ ବର୍ଷର ସାଇତା ଧନସମ୍ପତି ନିମିଷକ ମଧ୍ୟରେ ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଭାମିନୀ ସ୍ଥିତ ଦ୍ୱିତୀୟ ଆଇଆରବିଏନରେ ଏସଆଇ ଭାବେ କାର୍ଯ୍ୟରତ ଗୋକୁଳ ଚନ୍ଦ୍ର ପିରିପାକା ଓ ତାଙ୍କ ପତ୍ନୀ ତଥା ଶିକ୍ଷୟିତ୍ରୀ ରଶ୍ମିତା ସାହୁ ପଦ୍ମପୁର ଜେନା କଲୋନୀରେ ଏକ ଭଡ଼ା ଘରେ ଦୀର୍ଘ ବର୍ଷ ହେବ ରହୁଥିଲେ। ଗତକାଲି ରାତି ପ୍ରାୟ ୧୧ଟା ୫୦ ମିନିଟ ସମୟରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ହଠାତ୍ ରୋଷେଇ ଘରେ ଥିବା ଫ୍ରିଜରୁ ସର୍ଟ ସର୍କିଟ ଯୋଗୁଁ ନିଆଁ ବାହାରିଥିଲା। ପୋଡ଼ା ଗନ୍ଧ ପାଇ ଗୋକୁଳଙ୍କ ନିଦ ଭାଙ୍ଗିଯିବାରୁ ସେ ତୁରନ୍ତ ନିଜ ପତ୍ନୀ ଓ ପୁଅକୁ ଉଠାଇ ଘର ବାହାରକୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ସେମାନେ ବାହାରକୁ ଆସିବାର କିଛି ସମୟ ମଧ୍ୟରେ ଫ୍ରିଜଟି ବିସ୍ଫୋରଣ ହେବା ସହ ନିଆଁ ସାରା ଘରକୁ ବ୍ୟାପି ଯାଇଥିଲା।

ଘଟଣାସ୍ଥଳରେ ପ୍ରବଳ ଧୂଆଁ ଯୋଗୁଁ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ସକ୍ଷମ ହୋଇନଥିବା ବେଳେ ଖବର ପାଇ ପଦ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ସମସ୍ତ ସୁନା ଅଳଙ୍କାର, ଟିଭି, ଫ୍ରିଜ, ଏସି, ଜମିବାଡ଼ି କାଗଜପତ୍ର ଏବଂ ଶିକ୍ଷାଗତ ପ୍ରମାଣପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଏପରିକି ଛୋଟ ୭ ବର୍ଷ ପିଲାର ବହିପତ୍ର ଓ ପିନ୍ଧିବା ଲୁଗା ମଧ୍ୟ ବାକି ରହିନାହିଁ। ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନ ସହ ଘଡ଼ଘଡ଼ି ହେବା ଯୋଗୁଁ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିବା ଅନୁମାନ କରାଯାଉଛି। ଇନ୍ଦୁପୁର ରାଜସ୍ୱ ବିଭାଗ ଅଧିକାରୀ ସଞ୍ଜୀବ କୁମାର ସୁନାମୁଦୀ ଓ ପଦ୍ମପୁର ଥାନା  ସବଇନସ୍ପେଟର କ୍ଷୀରଦା ନନ୍ଦ ସାହୁ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ସେପଟେ ୧୧୨ ଜରୁରୀ କାଳୀନ ନମ୍ବର ଠିକ୍ ଭାବେ କାମ ନକରିବାରୁ ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହୋଇଥିବା ଗୋକୁଳ ଅଭିଯୋଗ କରିଛନ୍ତି। ଏହି ଅଘଟଣ ପରେ ଅସହାୟ ହୋଇପଡ଼ିଥିବା ପରିବାରକୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments (0)
Add Comment