ସରିଲା ଦଣ୍ଡ ଯାତ୍ରା; ମାସନ୍ତ ମେରୁରେ ଝାମୁଯାତ୍ରା ସାରି ମନ୍ଦିରକୁ ଫେରିଲେ ରୁଦ୍ରକାଳୀ ।

ସରିଲା ଦଣ୍ଡ ଯାତ୍ରା; ମାସନ୍ତ ମେରୁରେ ଝାମୁଯାତ୍ରା ସାରି ମନ୍ଦିରକୁ ଫେରିଲେ ରୁଦ୍ରକାଳୀ ।

ବେଲଗୁଣ୍ଠା, ୧୩/୦୪(ପିପିଟି) : ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା । ଏହି ବ୍ଳକ୍ ର ପ୍ରାୟ ସତରଟି ଗ୍ରାମରେ ଦଣ୍ଡ ଯାତ୍ରା ରହିଥିବା ବେଳେ ସେଥିମଧ୍ୟରୁ ଆଜି ପନ୍ଦରଟି ଗ୍ରାମରେ ମାସନ୍ତ ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ବେଲଗୁଣ୍ଠା ବ୍ଳକ୍ ର ସିଂହମର୍ଦ୍ଦନ,ପାଲକଷଣ୍ଢା,ବେଲଗୁଣ୍ଠା , ବେଲଗୁଣ୍ଠା ଖଦାଳ ସାହି,କୋକଲୁଣ୍ଡା,ଆମ୍ବପୁଆ,ତନରଡ଼ା,ଘୁ.ନୂଆଗାଁ,ବାଣତୁମ୍ବ,ଜିଲିବା,ବାଲିଭାଗ,ଗୋବରା,ଡେଙ୍ଗାପଦର, ବଡବୋର୍ସିଙ୍ଗ,ଦହିମୁଣ୍ଡଳୀ ଆଦି ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି । ଆଜି ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ । ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା । ଅପରାହ୍ଣରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ ସରିବା ପରେ ମେରୁ ମଣ୍ଡପକୁ ଠାକୁର ବିଜେ କରିଥିଲେ । ସେଠାରେ କାଳିସୀଙ୍କୁ ସ୍ନାନ କରାଯିବା ପରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରବଳ ଖରା ସତ୍ତ୍ୱେ ଝାମୁଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବକୁ ମିଳିଥିଲା । ହରିବୋଲ,ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା । ବିଶେଷ କରି ଝାମୁଯାତ୍ରା ପରେ ପ୍ରସାଦ ରୂପେ ଫୋପଡା ଯାଉଥିବା ଖଜୂରୀ ଏବଂ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଆସନ୍ତା କାଲି ମହା ବିଷୁବ ସଂକ୍ରାନ୍ତିରେ ବ୍ଳକ୍ ର ଅନ୍ୟ ଦୁଇ ଗ୍ରାମ ଜାଲଖାଇ ଏବଂ ଇନ୍ଦନପୁର ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ ହେବ । ଝାମୁଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ମେରୁ ମଣ୍ଡପ ଏବଂ ସାଂସ୍କୃତିକ ମଞ୍ଚ ନିକଟରେ ପୋଲିସ୍ ବାହିନୀ ମୁତୟନ ରହିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment