ସରକାର ଚାହିଁଲେ ପେଟ୍ରୋଲ ଦର ହ୍ରାସ ହୋଇ ପାରିବ : ଡ ସ୍ମୃତି ରଞ୍ଜନ ଲେଙ୍କା ।

ଭୁବନେଶ୍ବର,୦୯/୦୬(ପିପିଟି) : ସ୍ବେଛାସେବୀ ଅନୁଷ୍ଠାନ ସୋସାଇଟି ଚେଞ୍ଜର୍ସ ପକ୍ଷରୁ ଅନୁଷ୍ଠାନର ସଭାପତି ସାରଦା ପ୍ରସାଦ ଦାସଙ୍କ ସଭାପତିତ୍ବରେ ” ଇନ୍ଧନ ଦର ବୃଦ୍ଧି କାରଣ ଓ ନିରାକରଣ” ଶୀର୍ଷକ ଉପରେ ଭର୍ଚ୍ୟୁଅଲ ପ୍ଲାଟଫର୍ମରେ ଏକ ୱେବିନାର ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ଯୁବ ସମାଜସେବୀ ଡ ସ୍ମୃତି ରଞ୍ଜନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇନ୍ଧନ ଦର ବୃଦ୍ଧିର କାରଣ ଦର୍ଶାଇବା ସହ ଏକ ଜନ ମଙ୍ଗଳ ରାଷ୍ଟ୍ରରେ ବିକାଶମୂଳକ କାର୍ଯ୍ୟ ପାଇଁ କର ସଂଗ୍ରହ ଏକମାତ୍ର ରାସ୍ତା ନୁହଁ ବୋଲି ଯୁକ୍ତି ବାଢ଼ିଥିଲେ।ସମ୍ପ୍ରତି କରୋନା ମହାମାରୀର ମୁକାବିଲା ପାଇଁ ଆମକୁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି କିନ୍ତୁ ଚିକିତ୍ସା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଇନ୍ଧନ ଦରବୃଦ୍ଧି କରାଯାଉଥିବା ଯୁକ୍ତିକୁ ସେ ନାପସନ୍ଦ କରିଥିଲେ। ତୈଳ କମ୍ପାନୀ ମାନଙ୍କ ପକ୍ଷରୁ କିଣା ଯାଇଥିବା ତୈଳରେ ବ୍ୟାପକ ଟିକସ ଆଦାୟ କରାଯାଉଥିବାରୁ ତୈଳ ଦର ଅହେତୁକ ବୃଦ୍ଧି ପାଇବା ସହ ସାଧାରଣ ଜନତାଙ୍କ ଆର୍ଥିକ ମେରୁ ଦଣ୍ଡ ଭାଙ୍ଗି ଦେଉଛି। ତୈଳ ଦର ବୃଦ୍ଧି ଯୋଗୁଁ ବିଶେଷ କରି ପରିବହନ ଶିଳ୍ପ,କୃଷି ଓ କୃଷି ଆନୁସଙ୍ଗିକ ଉଦ୍ୟୋଗ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଯୋଗୁଁ ଖାଉଟି ଦର ବୃଦ୍ଧି ଓ ବେରୋଜଗାରୀ ବୃଦ୍ଧି ପାଇବାରେ ଲାଗିଛି। ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଯୁବକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଆର୍ଥିକ ସମସ୍ୟାର ମୁକାବିଲା କରିବା ପାଇଁ କେବଳ ଟିକସ ଆଦାୟ ଓ ରାଷ୍ଟ୍ରାୟତ ଉଦ୍ୟୋଗର ବିକ୍ରୀ ଏକମାତ୍ର ବିକଳ୍ପ ନୁହେଁ। ଏତଦବ୍ୟତୀତ କୁଟୀର ଶିଳ୍ପ, କ୍ଷୁଦ୍ରଶିଳ୍ପ, କୃଷି ଓ କୃଷି ଆନୁସଙ୍ଗିକ ଶିଳ୍ପକୁ ଗୁରୁତ୍ବ ଦିଆଗଲେ କର୍ମନିଯୁକ୍ତି ବୃଦ୍ଧି ପାଇବା ସହ ରୋଜଗାର ବୃଦ୍ଧି ପାଇ ପାରିବ ଓ ଆମେ ଆର୍ଥିକ ସଙ୍କଟରୁ ମୁକ୍ତି ପାଇ ପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ଯଦି ସରକାର ଜନ ଅସନ୍ତୋଷକୁ ଚପେଇଦେବାକୁ ଚେଷ୍ଟା କରନ୍ତି ତାହେଲେ ସମସ୍ତ ନାଗରିକ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇଲେ ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ ଏବଂ ଦରବୃଦ୍ଧି ଓ ଟିକସ ବୃଦ୍ଧି ପରି ସ୍ବେଛାଚାରୀ କାର୍ଯ୍ୟରୁ ସରକାର ନିବୃତ୍ତ ରହିବେ। ଏହା ସହ ସରକାର ପରିବର୍ତ୍ତନ ପରି ବିକଳ୍ପ ମଧ୍ୟ ଜନତାଙ୍କ ହାତରେ ରହିଛି। ଏଣୁ ଦରବୃଦ୍ଧିକୁ ରୋକିବା ପାଇଁ ସରକାରଙ୍କ ପାଖରେ ବିଭିନ୍ନ ବିକଳ୍ପ ରହିଛି ଏବଂ ଭୋଟ ଦାନ ଦ୍ଵାରା ସାଧାରଣ ନାଗରିକ ମଧ୍ୟ ସରକାରଙ୍କ ଉପରେ ଲଗାମ ଦେଇ ପାରିବ। ଏହି କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ଦାସ ସଂଯୋଜନା କରିଥିବା ବେଳେ ସଂଗଠନ ସମ୍ପାଦକ ସତ୍ୟସୁମନ ରାଉତରାୟ, ସୌମ୍ୟ ରଞ୍ଜନ ଶତପଥୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶୁଭମ ଚୌଧୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚାଳିଶି ଜଣ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅନ୍ୟତମ ସଂଗଠନ ସମ୍ପାଦକ ଅମ୍ଲାନ ବଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment