ଆସିକା,ତା ୧୯/୦୨(ପିପିଟି);ଯାତ୍ରୀଙ୍କ ଠାରୁ ହରିଲୁଟ କରୁଥିବା ବସମାଲିକଙ୍କୁ ଅବିଲମ୍ବେ ଗିରଫ କରିବା ପାଇଁ ସି.ପି.ଆଇ(ଏମ୍ – ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆସିକା ନୂଆ ବସଷ୍ଟାଣ୍ଡ ଠାରୁ ଅପରାହ୍ନ ୨ ଘଟିକାରେ ଶୋଭାଯାତ୍ରା ବାହାରି ଆସିକା ସହର ପରିକ୍ରମା କରିବା ପରେ ଥାନା ଅଧିକାରୀଙ୍କୁ OD32A4535 ପଦ୍ମାଳୟା ବସମାଲିକଙ୍କ ବିରୁଦ୍ଧରେ ଏତଲା ପ୍ରଦାନ କରିବା ସହ ସରକାରଙ୍କ ବିଜ୍ଞପ୍ତିକୁ ବେଖାତିର କରି ଯାତ୍ରୀଙ୍କୁ ହରିଲୁଟ କରୁଥିବା ବସମାଲିକଙ୍କୁ ଅବିଲମ୍ବେ ଗିରଫ କରିବା ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ନିଜ ଏତଲାରେ ଦର୍ଶାଇଛନ୍ତି । ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଗତ ତା ୦୮.୦୨.୨୦୨୧ରିଖ ୧୧୯୬ ନଂ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ ଅର୍ଡିନାରୀ ବସରେ ଭଡା କିଲୋମିଟର ପ୍ରତି ୮୦ ପଇସା, ଏକ୍ସପ୍ରେସ ବସରେ ୮୪ ପଇସା, ଡିଲକ୍ସ ବସରେ ୧୧୧ ପଇସା, ଡିଲକ୍ସ ଏସି ବସରେ ୧୩୯ ପଇସା ଏବଂ ସୁପର ପ୍ରିମିୟମ ବସର ୨୧୭ ପଇସା କିନ୍ତୁ ବାଣିଜ୍ୟ ଓ ପରିବହନ ବଭାଗର ନିର୍ଦ୍ଦେଶ ନାମାକୁ ବେଖାତିର କରି ଗଞ୍ଜାମ ଜିଲ୍ଲାର ସମସ୍ତ ରୁଟରେ ଯାଉଥିବା ଅର୍ଡିନାରୀ, ଏକ୍ସପ୍ରେସ ସମେତ ସମସ୍ତ ବସରେ ଯାତ୍ରୀଙ୍କ ଠାରୁ ବହୁ ଅଧିକା ଦରର ଭଡା ଆଦାୟ କରାଯାଉଛି । ଏପରିକି ଆସିକା ଭୂବନେଶ୍ୱର ଯାଉଥିବା ବସରେ ଯାତ୍ରୀ ପିଛା ୫୦ ଟଙ୍କା ଅଧିକା, ଆସିକା -ବ୍ରହ୍ମପୁର ଏବଂ ଆସିକା -ଭଞ୍ଜନଗର, ଆସିକା -ବୁଗୁଡା ଆଦି ରୁଟରେ ୮ ରୁ ୧୦ ପର୍ଯ୍ୟନ୍ତ ଅଧିକ ଭଡା ଲୁଟି ନେଉଛନ୍ତି । ଗତ ୧୬ ଫେବୃଆରୀ ୨୦୨୧ରେ ପଦ୍ମାଳୟା ବସ ଯାହାକି ଏକ ଅର୍ଡିନାରୀ ବସ, ଆସିକାରୁ ଭୂବନେଶ୍ୱର ମାତ୍ର ୧୬୬ କିଲୋମିଟର ଦୂରତାକୁ ୧୬୬ × ୮୦ = ଟ୧୩୨. ୮୦ ପ ଯାତ୍ରୀ ଭଡା କିନ୍ତୁ ୧୮୦ ଟଙ୍କା ନେଉଛନ୍ତି । ଏପରି ଏକ୍ସପ୍ରେସରେ ୧୬୬×୮୪= ଯାହାକି ୧୩୯.୪୦ ପଇସା ସେହି ବସମାଲିକମାନେ ମଧ୍ୟ ୧୮୦ଟଙ୍କା ନେଉଛନ୍ତି । ଆସିକା -ବ୍ରହ୍ମପୁର ଏବଂ ଆସିକା -ଭଞ୍ଜନଗର ମାତ୍ର ୪୦ କିଲୋମିଟର ସରକାରଙ୍କ ନିର୍ଧାରିତ ଦର ଅନୁସାରେ ୪୦×୮୦ = ମାତ୍ର ୩୨ ଟଙ୍କା ଯାତ୍ରୀ ଭଡା ଏବଂ ଏକ୍ସପ୍ରେସ ରେ ୪୦×୮୪= ଟଙ୍କା ୩୩.୬୦ପଇସା କିନ୍ତୁ ୪୦ଟଙ୍କା ଯାତ୍ରୀ ଭଡା ନେଇ ଶୋଷଣ କରୁଛନ୍ତି । ଯଦି ବସମାଲିକମାନେ ଲକଡାଉନରେ କ୍ଷତି ହୋଇଛି ବୋଲି ଏପରି ହରିଲୁଟ କରିବେ ତେବେ ତେବେ ଲକଡାଉନରେ ରୋଜଗାର ହରାଇ ଅଭାବ ଅନାଟନରେ ଥିବା ଜନଗଣ ଏବଂ ଅଭାବୀ ବିକ୍ରି ର ଶିକାର ହେଉଥିବା ଚାଷୀ, ବେକାରୀ ଯୁବକ ଓ ଯୁବତୀ, ଛାତ୍ର ଛାତ୍ରୀ କିପରି ଏ ଅଧିକା ଭଡା ପ୍ରଦାନ କରିପାରିବେ ତାହା ପ୍ରଶ୍ନବାଚୀ ଅଟେ । ଯଦି ମାଲିକ ମାନେ ମନଇଚ୍ଛା ଲୁଟ କରିବେ ତେବେ ବିଭାଗୀୟ
ସରକାର ବିଜ୍ଞପ୍ତି ପ୍ରକାଶ କରିବ କାହିଁକି ? ଏମାନଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନକରି ପରିବହନ ଅଧିକାରୀ, ଜିଲ୍ଲ ପ୍ରଶାସନ ଓ ପୋଲିସ, ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି କାହିଁକି ? ବସମାଲିକଙ୍କ ଶୋଷଣ ପଞ୍ଝାରୁ ମୁକ୍ତ କରିବା ପାଇଁ ସିପିଆଇ(ଏମ୍ ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦୃଢ ଦାବି ରଖି ବକ୍ତବ୍ୟ ରଖିବା ସହ ଜନଗଣଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ପରିବହନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଘେରାଉ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି । ମାଲିକଙ୍କ ଦୌରାତ୍ମ୍ୟରୁ ମୁକୁଳିବା ପାଇଁ ପରିବହନ ବିଭାଗର ଟୋଲ ଫ୍ରି ନଂ 18003451073ରେ ପୂର୍ବାହ୍ନ ୧୦ ଘଟିକା ରୁ ସନ୍ଧ୍ୟା ୫ ଘଟିକା ମଧ୍ୟରେ ଅଭିଯୋଗ ପଞ୍ଜିକରଣ କରି ନିଜ ହକ ପାଆନ୍ତୁ ବୋଲି ଜନଗଣଙ୍କୁ ନିବେଦନ କରିଛନ୍ତି । ସି.ପି.ଆଇ(ଏମ୍ -ଏଲ୍)ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ଶ୍ୟାମ ଜାନୀ, ପଦନ ବାରିକ, କ୍ରାନ୍ତିକାରୀ କୃଷକ ସଭାର ସଂଯୁକ୍ତା ସ୍ବାଇଁ ଏବଂ ଅକ୍ଷୟ କୁମାର ସାହୁ ଆଦି ଉପସ୍ଥିତ ଥିଲେ ।