ସରକାରୀ ଡାକ୍ତରଖାନାରେ ପ୍ରସୂତିଙ୍କ ମ୍ରୁତ୍ୟୁ ।

ଟିଟିଲାଗଡ଼,୩୧/୧୦: ଆଜି ସରକାରୀ ଡାକ୍ତରଖାନାରେ ପୁଣି ଜଣେ ମାଁ ନିଜ ନବଜାତ ଶିଶୁଙ୍କ ସହ ପରଲୋକଗାମୀ ହୋଇଛନ୍ତି । ବିଜୁ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାରେ ଘରୋଇ କରପୋରେଟର ଡାକ୍ତରଖାନା ଗୁଡିକୁ ସାମିଲ କରାଯାଇ ସରକାର କୋଟି କୋଟି ଟଙ୍କା ଲୁଟାଉଥିବା ବେଳେ ସରକାରୀ ଚିକିତ୍ସାର ପ୍ରହସନର ଏକ ନଗ୍ନ ଦୃଶ୍ୟ ଆଜି ଟିଟିଲାଗଡ଼ ଉପଖଣ୍ଡ ମାତୃ ଓ ଶିଶୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦିଗସିରା ପଞ୍ଚାୟତ ନୁଆଁପଡା ଗ୍ରାମର ରାଜେଶ ବେହେରାଙ୍କ ପତ୍ନୀ ସରୋଜିନୀ ବେହେରା (୩୦) ଆଜି ସକାଳୁ ଘରେ ଦୀପାବଳି ଅବସରରେ ପୂଜାର୍ଚ୍ଚନା ସାରି ସକାଲ ୧୦ଟାରେ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ପ୍ରସବ ଯନ୍ତ୍ରଣା ନେଇ ଭର୍ତି ହୋଇଥିଲେ । ଗତକାଲି ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ସ୍ଥାନୀୟ ଘରୋଇ କ୍ଲିନିକରେ ସରୋଜିନିଙ୍କ ଅଲଟ୍ରା ସାଉଣ୍ଡ କରାଇଥିଲେ । ଆଜି ସକାଳୁ ସରକାରୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରୋଇ କ୍ଲିନିକରେ ବିଭିନ୍ନ ପରୀକ୍ଷା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ କିଛି କ୍ଷଣ ପରେ ସରୋଜିନୀଙ୍କ ସହ ପେଟରେ ଥିବା ଶିଶୁ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଲା ନେଇ ପ୍ରସୂତି ଓ ପେଟର ଶିଶୁମୃତ୍ୟ ଘଟିଥିବା ଅଭିଯୋଗ କରି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ । ଘଟଣାର ଖବର ପାଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ବାର, ଆଇଆଇସି ବିଶ୍ୱଜିତ ମନବୋଧ ତଥା ବ୍ୟାପକ ପୋଲିସ ବଳ ଡାକ୍ତରଖାନାକୁ ନିଜ ଘେରରେ ରଖିଛନ୍ତି । ଏନେଇ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଦୀପ ନାୟକଙ୍କୁ ପଚାରିବାରୁ ଏଠାରେ ଜଣେ ମାତ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଛନ୍ତି । ଅସ୍ତ୍ରୋପଚାର ବିଶେଷଜ୍ଞ ପଦ ଦୀର୍ଘ ବର୍ଷ ହେଲା ଖାଲି ପଡିଛି । ନାହିଁ ନାହିଁ ରେ ଡାକ୍ତରଖାନା ଚାଲିଥିବା ସେ ସ୍ୱୀକାର କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମହିଳାଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି । ଏନେଇ ଉତ୍ତେଜନା ଜାରି ରହିଛି ।

Comments (0)
Add Comment