ମାଲକାନଗିରି,୦୯/୦୬(ପିପିଟି):ଆଜି ଏମଭି-୧୨୬ ଗ୍ରାମର ବେଙ୍ଗଲୀ ସଂପ୍ରଦାୟର ଲୋକମାନେ ୩୨୬ ଜାତୀୟ ରାଜପଥ କଢର ମୂଲ୍ୟବାନ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ସକାଳେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସମସ୍ତେ ରାସ୍ତାରୁ ହଟିଯାଇ ଥିଲେ । ତେବେ ଘଟଣାରୁ ଜଣାପଡିଛି ଯେ କାଲିମେଳା ତହସିଲ ଜାକଲଗୁଣ୍ଡି ମୈଜା ଅନ୍ତର୍ଗତ ଏମ୍ ଭି-୧୨୬ ଗ୍ରାମର ୩୨୬ ଜାତୀୟ ରାଜପଥ କଡ଼ରେ ରହିଛି ମୂଲ୍ୟବାନ ସରକାରୀ ଜମି । ଏହି ଜମି ଉପରେ ଏମ୍ ଭି-୧୨୬ ଓ ଏମ୍ ଭି-୩୬ ଗ୍ରାମ ର କେତେକ ବେଙ୍ଗଲୀ ଲୋକେ ଜବରଦଖଲ କରି ବସବାସ କରୁଥିବା ବେଳେ ତେଲାରାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାକଲଗୁଣ୍ଡି ଗ୍ରାମ ର ଆଦିବାସୀ ଲୋକେ ଆମ ଗାଁ ଲୋକଙ୍କ ଦଖଲରେ ଅଛି ବୋଲି ଦାବି କରୁଛନ୍ତି । ତାଛଡା ଏହି ସରକାରୀ ଜମି କୁ ଲାଗି ରହିଥିବା ପଞ୍ଚାୟତ ପୋଖରୀ ମଧ୍ୟ ଆମ ଜାକଲଗୁଣ୍ଡି ଗ୍ରାମ ଅଧିନରେ ରହିଅଛି ବୋଲି ମଧ୍ୟ ଦାବି କରିଛନ୍ତି । ଏହି ସରକାରୀ ଜମି ଉପରେ ଜାକଲଗୁଣ୍ଡି ଗାଁ ଲୋକେ ନଜର ରଖିଥିବା ବେଳେ ବିଗତ ଦୁଇ ବର୍ଷ ତଳେ ଏମ୍ ଭି-୧୨୬ ଗ୍ରାମର କେତେକ ବେଙ୍ଗଲୀ ଲୋକ ଏଠାରେ ଘର ନିର୍ମାଣ କରିବା ଆରମ୍ଭ କରିଥିଲେ । ଏହା ର ବିରୋଧ କରି ଜାକଲଗୁଣ୍ଡି ଗ୍ରାମ ର ଆଦିବାସୀ ଲୋକେ ସଂପୁକ୍ତ ରାଜସ୍ୱ ନିରୀକ୍ଷକ କର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । କିନ୍ତୁ ଏହାର କୈାଣସି ପଦକ୍ଷେପ ନିଆଯାଇନାହିଁ । ଏହାକୁ କେନ୍ଦ୍ରକରି ଗତ ଶନିବାର ଦିନ ସକାଳେ ଶତାଧିକ ଆଦିବାସୀ ଲୋକେ ଆସି ଏହି ଜମି ଖାଲି କରବୋଲି ହୋହାଲ୍ଲା କରିବା ସହିତ ନିର୍ମାଣ କରିଥିବା ଘର ଆଗରେ ଲାଲ୍ କପଡ଼ା ଲଗାଇ ଚାଲିଯାଇଥିଲେ । ଏମାନେ ଚାଲିଯିବା ପରେ ସ୍ଥାନୀୟ ବେଙ୍ଗଲୀ ଗୋଷ୍ଟି ଏହାର ସୁ ସମାଧାନ ପାଇଁ ଏକ ବୈଠକ ଏମ୍ ଭି-୧୨୬ ଠାରେ ଅନୁଷ୍ଠିତ କରିଥିବା ଜଣାପଡିଛି । ଶତାଧିକ ଆଦିବାସୀ ଗୋଷ୍ଠୀ ପୁଣି ଆଜି ସକାଳେ ଆସି ଜମି ଖାଲି କର ବୋଲି ହୋହାଲ୍ଲା କରିବା ସହିତ ନିର୍ମାଣ କରିଥିବା ଘର ଆଗରେ ବଲି ପୋତି ତାରବାଡ ଲଗାଇଥିଲେ । ଏହି ତାରବାଡ ଲଗାଇବା କୁ ବିରୋଧକରି ସ୍ଥାନୀୟ ଶତାଧିକ ବେଙ୍ଗଲୀ ଗୋଷ୍ଠୀ ଉତ୍ତେଜିତ ହୋଇ ୩୨୬ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ରାଜପଥ ର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା । ଖବର ପାଇ ଏମ୍ ଭି-୭୯ ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ମେଲକା ସହିତ ଏକ ପୁଲିସ ଟିମ୍ ଏବଂ କାଲିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏବଂ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧକୁ ଏବଂ ତାର ବାଡ଼ କୁ ହଟାଇ ଥିଲେ । ୩ ଘଣ୍ଟା ପରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିଲା । ଉକ୍ତ ସରକାରୀ ଜମି ଜବରଦଖଲ ଅଭିଯୋଗକୁ ପ୍ରଶାସନ କୋୖଣସି ପଦକ୍ଷେପ ଗ୍ରହଣ କରିନଥିବା ସ୍ଥଳେ ଉଭୟ ଆଦିବାସୀ ଓ ବେଙ୍ଗଲୀ ଗୋଷ୍ଠୀ, ତହସିଲଦାର, ଥାନା ଅଧିକାରୀ କାଲିମେଳା ସମିତି ସଭା କକ୍ଷରେ ଏକାଠି ହୋଇଥିଲେ । ଏବଂ ଆସନ୍ତା ରବିବାର ଦିନ ଏମ୍ ଭି-୧୨୬ ଠାରେ ଉଭୟ ଗୋଷ୍ଠୀ, ସ୍ଥାନୀୟ ନେତା,ବୁଦ୍ଧିଜୀବୀ ମିଳିତରେ ଏକ ବୈଠକ ଅନୁଷ୍ଠିତ କରି ଏହାର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)