ବିନା କାମ କରି ନିଅନ୍ତି ଦରମା
ସରକାରୀଙ୍କ ଚାକର…..
କାମ ଯଦି କେବେ କାହାର କରନ୍ତି
ଲାଞ୍ଚ ହୁଏ ଦରକାର…!!
ଲାଞ୍ଚ ଖାଇ ଖାଇ ହେଲାଣି ଅଭ୍ୟାସ
ମିଥ୍ୟାବାଦୀ ଟାଉଟର…..
କାହାକୁ କହିବ କିଏ ଭଲ ଲୋକ
ସବୁ ଚୋରଙ୍କ ସର୍ଦ୍ଦାର…..!!
ଶାସନଟା ସିନା ଯାଇଛି ବଦଳି
ଏବେ ବିଜେପି ଧରିଛି ମଙ୍ଗ…..
ଢୋଲ କଟା ମୂଷା ଅମଲା ଅଛନ୍ତି
ଲାଞ୍ଚ ପାଇଁ ଚଙ୍ଗ ଚଙ୍ଗ…..!!
ଭିଜିଲାନ୍ସ ଏବେ ସକ୍ରିୟ ହୋଇଛି
ଲାଞ୍ଚୁଆଙ୍କୁ ନିଦ ନାହିଁ….
କେତେ ବେଳେ ଚୋରା ସମ୍ପତ୍ତି ବିପତ୍ତି
ଆଣିବ କୀଳାକୁ ନେଇ…..!!
ଏଣୁ ଚୋରା ଧନ ସାଇତିବା ପାଇଁ
ଲୁଚାଏ କୌଶଳ କରି….
କିଏ ଶାଶୁ ଘରେ କିଏ ଭାଇ ଘରେ
ଚତୁରେ ସିନ୍ଦୁକ ଭରି…..!!
କିଏ ସୁନା ରୂପା ଅଳଙ୍କାର କରି
ରଖିଛି ସାଇତି ବେଶି…..
କିଏ ତୋଳି କୋଠା ସହରେ ସହରେ
ଭଡ଼ାରେ ଲଗାଇ ଖୁସି…..!!
କିଏ ଜମି ବାଡ଼ି ଗୁଡାଏ କରିଣ
ଆନନ୍ଦରେ ଅଛି ଗୁପ୍ତେ….
କିଏ ଲଗାଇଛ ଟଙ୍କା ଯେତେ ସବୁ
ବ୍ୟବସାୟ କରି ସୁପ୍ତେ…..!!
ଦୁର୍ନୀତି ର ଚେର ଲମ୍ବି ଚାଲିଅଛି
ତଳ ଉପର ପର୍ଯ୍ୟନ୍ତ…..
ସଚ୍ଚୋଟ ପଣିଆ ନାହିଁ କାହା ଠାରେ
ଯୁଗ ହେଲା ବିପରିତ….!!
କାମ କରିବାକୁ ଲାଞ୍ଚ ମାଗିଥାନ୍ତି
ନିର୍ଲଜ ମୁହଁକୁ ଧିକ୍କ…..
ପାଠ ପଢି କେଉଁ ରଖି ମହତ୍
ରଖିଛ ଦେଶର ଟେକ…..!!
ଘୃଣା ଲାଗେ ତୁମ ମୁହଁକୁ ଚାହିଁଲେ
ଏ ଦେଶର କୁଳାଙ୍ଗାର…..
କେତେ ଆଉ ତୁମେ ତଳକୁ ଖସିବ
ବେଶ୍ୟା ଠାରୁ ଯେ ଇତର…..!!
ତୁମ୍ଭର ପୂର୍ବଜ ଥିଲେ ଏ ମାଟିରେ
ମଧୁବାବୁ ଗୋପବନ୍ଧୁ…..
ସ୍ମରଣ କର ସେ ଗତ ଗୌରବ
ବୀର ବକ୍ସି ଜଗବନ୍ଧୁ…..!!
ଥିଲେ ଗଜପତି ପାରଳାଖେମୁଣ୍ଡି
ଉତ୍କଳକୁ କଲେ ଧନ୍ଯ…..
ଝୁରୁଛି ଏ ମାଟି ସେ କଥା ସମ୍ରାଟ
ପୂଜ୍ୟ ଫକୀର ମୋହନ….!!
ତୁମ୍ଭେ ଏ ମାଟିରେ ଶିକ୍ଷା ଦୀକ୍ଷା ପାଇ
ନାହିଁ ସେବା ମନୋବୃତ୍ତି…..
ବଢାଇ ଚାଲିଛ ସେବା ନାମେ ନିତି
ଅଜସ୍ର ଧନ ସମ୍ପତ୍ତି…..!!
ଦେଖ ଦେଖ ଏହି ଉତ୍କଳ ଜନନୀ
ବିଭତ୍ସେ କରେ ରୋଦନ…..
କାହାର ପେଟକୁ ମିଳେ ନାହିଁ ଅନ୍ନ
ଦାରିଦ୍ର୍ୟେ କାଟୁଛି ଦିନ…..!!
ନାହିଁ କାହା ବାସ ନାହିଁ କାହା ବସ୍ତ୍ର
ନାହିଁ ହାତକୁ ପାଇଟି…..
ଦାଦନ ଯାଇ କେ ପେଟ ପୋଷିବାକୁ
ମରୁଅଛ ଖଟି ଖଟି……!!
ଦାରିଦ୍ର୍ୟ ଗ୍ରାସିଛି ପଲ୍ଲୀ ପୂରେ ଦେଖ
ରୁଗଣ କରାଳ ଛାୟା…..
ଦେଖରେ ଦେଖରେ ଅଯୋଗ୍ୟ ଚାକର
କିବା ହୃଦେ ନାହିଁ ଦୟା…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)