ସରକାରଙ୍କ ଅପାରଗତାରୁ ସରକାରୀ ବି. ଇଡି କଲେଜ ବନ୍ଦ ହେଉଥିବା ବେଳେ ଘରୋଇ ସ୍କୁଲ ଓ କଲେଜକୁ ଜମି ପ୍ରଦାନକୁ ନେଇ ପ୍ରଶ୍ନବାଚୀ।

ଫୁଲବାଣୀ,୧୬/୧୧(ପିପିଟି); ଗତ ୨୦୦୮ ମସିହା କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜରେ ଫୁଲବାଣୀକୁ ଏକ ବି.ଇଡ଼ କଲେଜ ପ୍ରଦାନ କରିଥିଲେ । ବର୍ତ୍ତମାନ ରାଜ୍ୟରେ ଭିତ୍ତିଭୂମି , ଅଧ୍ୟାପକ , କର୍ମଚାରୀ ଅଭାବ ଥିବା ନେଇ ଏନ.ସି.ଇ.ଆର.ଟି ୧୪ଟି ବି.ଇଡ଼ କଲେଜର ସ୍ୱୀକୃତି ପ୍ରତ୍ୟାହାର କରି ନେଲା । ଫଳରେ ରାଜ୍ୟର ୧୪ଟି ବି.ଇଡ଼ କଲେଜ ବନ୍ଦ ହେଲା । ତାରି ମଧ୍ୟରେ ଫୁଲବାଣୀ ସରକାରୀ ବି.ଇଡ଼ କଲେଜ ମଧ୍ୟ ଅଧ୍ୟାପକ ଅଭାବରୁ ବନ୍ଦ ହୋଇଛି । ନିୟମ ମୁତାବକ ୧୦୦ ଛାତ୍ରଙ୍କ ପାଇଁ ୧୫ ଜଣ ଅଧ୍ୟାପକଙ୍କ ଆବଶ୍ୟକ ଥିବା ବେଳେ ବର୍ଷ ବର୍ଷ ଧରି ଫୁଲବାଣୀ ସରକାରୀ ବି.ଇଡ଼ କଲେଜରେ ଜଣେ ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକକୁ ନେଇ ଚାଲିଥିଲା କଲେଜ । ଏନେଇ ବହୁ ବାର ବିଭିନ୍ନ ସଂଗଠନ ସରକାରଙ୍କ ପାଖରେ ଦାବୀ କରିଥିଲେ ମଧ୍ୟ କୌଣସି ସୂଫଳ ମିଳିନଥିଲା । ଗୋଟିଏ ପକ୍ଷରେ ସରକାରୀ ବି. ଇଡ଼ କଲେଜ ସରକାରଙ୍କର ଅପାରଗତା ଯୋଗୁଁ ବନ୍ଦ ହେଉଥିବା ବେଳେ ଅନ୍ୟ ପକ୍ଷରେ ସରକାରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ଘରୋଇ ସଂସ୍ଥା ମାଧ୍ୟମରେ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ସଂସ୍ଥାକୁ ପଞ୍ଚାୟତର ଗୋଚର ଜମିକୁ ସ୍କୁଲ କଲେଜ ପାଇଁ ପ୍ରଦାନ କରିବାକୁ ନେଇ ବିରୋଧ ଓ ଆନ୍ଦୋଳନ ହେବା ପ୍ରଶାସନର ନିରପେକ୍ଷତା ଓ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନ ଛିଡା କରିଛି । ଜିଲ୍ଲା ବାସୀଙ୍କ ସେବା ଅପେକ୍ଷା ବିଭିନ୍ନ ଘରୋଇ ସଂସ୍ଥାର ବ୍ୟବସାୟ ପ୍ରତି ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା ଜିଲ୍ଲା ବାସୀଙ୍କର ପ୍ରଶାସନ ପ୍ରତି ବିଶ୍ଵାସ ହରାଇଥିବା ଅନୁଭବ ହେଉଛି । ଜିଲ୍ଲା ପ୍ରଶାସନରେ ତୁରନ୍ତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସଂଗଠନ ଓ ବିରୋଧୀ ଦଳ ନେତା ମତ ରଖିଛନ୍ତି । ଦିନକୁ ଦିନ ସରକାରୀ ସ୍କୁଲ କଲେଜ ପ୍ରତି ପ୍ରଶାସନର ଅବହେଳା ଓ ସରକାରୀ ଜମିକୁ ଘରୋଇ ସଂସ୍ଥାକୁ ନିୟନ୍ତ୍ରଣ ବାହାରେ ପ୍ରଦାନ ପ୍ରଶାସନ ପ୍ରତି ଉଠୁଥିବା ଅଭିଯୋଗକୁ ଦୃଢ଼ୀବୁତ କରିଛି । ସରକାର କନ୍ଧମାଳ ଭଳି ଏକ ପଛୁଆ ଜିଲ୍ଲାର ବିକାଶକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲ କଲେଜକୁ ଗୁରୁତ୍ୱ ଦେଇ ଚଲାଇବା ପାଇଁ ଜିଲ୍ଲାରେ ଦାବୀ ହେଉଛି । ଜିଲ୍ଲାର ଗୋଚର ଜଙ୍ଗଲ କିସମ ଓ ସରକାରୀ ଜମିକୁ ଅପବ୍ୟବହାର ନ କରି ମାଫିଆଙ୍କ ହାତରେ ଟେକି ନ ଦେଇ ସୁରକ୍ଷା ଯୋଗାଇବା ପାଇଁ ମଧ୍ୟ ବିଭିନ୍ନ ଆଦିବାସୀ ସଂଗଠନ ଦାବୀ କରିଛନ୍ତି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Comments (0)
Add Comment