ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଗଞ୍ଜାମର ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ଜେନା ।

ଛତ୍ରପୁର,୨୭/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷା ଓ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମସ୍ତ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ସମ୍ପର୍କରେ ଆଜି ସମୀକ୍ଷା କରାଯାଇଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା, ଜଳ ନିଷ୍କାସନ, ଯୋଗାଯୋଗ ଏବଂ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ସମୀକ୍ଷା ସମୟରେ ମନ୍ତ୍ରୀ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପୃଥକ୍ ଭାବେ ଆଲୋଚନା କରି ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ, କ୍ଷେତ୍ରସ୍ତରରେ ପ୍ରସ୍ତୁତିର ସ୍ଥିତି, ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀଙ୍କ ଉପଲବ୍ଧତା ଏବଂ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ରହିଥିବା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ନେଇଥିଲେ । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆକଳନ କରି ସମସ୍ତ ବିଭାଗକୁ ସଜାଗ ରହିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବିଶେଷକରି ଅଗ୍ନିଶମ, ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍‌ର ପ୍ରସ୍ତୁତି, ବାତ୍ୟା ଆଶ୍ରୟସ୍ଥଳରେ ଆବଶ୍ୟକୀୟ ସୁବିଧା, ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ରନ୍ଧା ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟସେବା ଏବଂ ଗର୍ଭବତୀ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ବିଭାଗୀୟ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ଏଥିସହ ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଡ୍ରେନ୍ ଓ ନାଳ ସଫେଇ, ଜଳବନ୍ଦୀ ସମସ୍ୟା ଏଡ଼ାଇବା ଏବଂ ରାସ୍ତାରେ ଯାତାୟାତ ସ୍ୱାଭାବିକ ରଖିବା ଆଦି ବିଷୟରେ ଆଲୋଚନା ହୋଇଥିଲା ।

ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ,ବ୍ରହ୍ମପୁର ମହାନଗର ନିଗମର କମିଶନର, ଉପଜିଲ୍ଲାପାଳ,ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗର ବରିଷ୍ଠ ଯନ୍ତ୍ରୀ,ଅଗ୍ନିଶମ,ସ୍ୱାସ୍ଥ୍ୟ, ମତ୍ସ୍ୟ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇଥିଲେ ।

Comments (0)
Add Comment