ସମ୍ବିଧାନର ୧୦ମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ।

ଭୁବନେଶ୍ୱର,୧୦/୦୨(ପିପିଟି):ମହାରାଷ୍ଟ୍ର ବିଧାନସଭାଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ପ୍ରବର୍ତ୍ତିତ ଧାରା ଅନୁରୂପ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ଦୁଇଦିନିଆ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନରୱକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବିଷଦ ଭାବେ ବ୍ୟାଖ୍ୟା କରିବା ସହ ନାଗାଲାଣ୍ଡର ବାଚସ୍ପତି ସାରିଙ୍ଗେନ୍‌ ଲଙ୍ଗକୁମେର ଏହାର ପ୍ରଭାବ ଓ ଭବିଷ୍ୟତ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ଯୋଗଦେଇ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଦଶମ ଅନୁସୂଚୀ ଯାହାକି ଦଳବଦଳ ନିରୋଧ ଆଇନ ଭାବେ ପରିଗଣିତ । ଏହା ୧୯୮୫ ମସିହାରେ ଆମ ସମ୍ବିଧାନର ୫୨ତମ ସଂଶୋଧନରେ ଲାଗୁ କରାଯାଇଛି । ଏହା ଦ୍ୱାରା ‘ଆୟା ରାମ, ଗୟା ରାମ’ ଭଳି ଏକ ଖରାପ ପରମ୍ପରାକୁ ପ୍ରତିହତ କରାଯାଉଛି । ଏହା ଦ୍ୱାରା ନିର୍ଦ୍ଦିଷ୍ଟ ଦଳ ମଧ୍ୟରେ ଘଟୁଥିବା ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ କ୍ଷେତ୍ରରେ ବହୁମାତ୍ରାରେ ଅଙ୍କୁଶ ଲାଗିପାରୁଛି । ପୂର୍ବରୁ ବିଧାୟକମାନେ ନିଜର ବ୍ୟକ୍ତିଗତ ଲାଭ ପାଇଁ ସମସ୍ତ ନୀତି ଓ ନୈତିକତା ତଥା ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ କୁଠାରାଘାତ କରିଥାଆନ୍ତି । କିନ୍ତୁ ସମ୍ବିଧାନ ସଂଶୋଧନ ଫଳରେ ଏସବୁ କ୍ଷେତ୍ରରେ ଏକ ଲକ୍ଷ୍ମଣରେଖା ରହିପାରୁଛି ।

ଦଶମ ଅନୁସୂଚୀ ଅନୁଯାୟୀ ଦଳ ବଦଳକାରୀ ତଥା ଦଳଡିଆଁ ବିଧାୟକ ଓ ସାଂସଦମାନଙ୍କୁ ନିର୍ଦ୍ଦିଷ୍ଟ ଦଳରୁ ନିଲମ୍ବନ କରିବା ସହ ସଭ୍ୟପଦ ରଦ୍ଦ କରାଯାଇ ପାରୁଛି । ପରବର୍ତ୍ତୀ ସମୟରେ ୨୦୦୩ ମସିହାରେ ୯୧ତମ ସମ୍ବିଧାନ ସଂଶୋଧନରେ ଏହି ବ୍ୟବସ୍ଥାକୁ ଆହୁରି କଠୋର ଓ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
ଏ କ୍ଷେତ୍ରରେ ୨୦୨୩ ମସିହାର ଆମର ସର୍ବୋଚ୍ଚ ନ୍ୟାୟାଳୟ ଦଳବଦଳ କ୍ଷେତ୍ରରେ ବାଚସ୍ପତିଙ୍କୁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି । ଦଳୀୟ ସମ୍ବିଧାନ ଅନୁଯାୟୀ ନିର୍ଦ୍ଦିଷ୍ଟ ଦଳରେ କେଉଁ ବିଭାଜିତ ଗୋଷ୍ଠୀ ସେହି ପ୍ରକୃତ ରାଜନୈତିକ ଗୋଷ୍ଠୀର ନା ନୁହେଁ, କେବଳ ବିଧାନସଭା ଗୃହରେ ବହୁମତଧାରୀ ସଦସ୍ୟ ଭାବେ ପ୍ରକୃତରେ ମୂଳ ଦଳ ନା ନୁହେଁ । ଏ ସମ୍ପର୍କରେ ବାଚସ୍ପତି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ ।

ତେବେ ଏ କ୍ଷେତ୍ରରେ ସମ୍ବିଧାନ ତଥା ଆଇନର ବିଶାରଦମାନଙ୍କୁ ନେଇ କମିଟି ଗଠନ କରାଯାଇ ଏସବୁ ଆହ୍ୱାନର ମୁକାବିଲା ଦିଗରେ ସୁଚିନ୍ତିତ ପରାମର୍ଶ ଓ ପଦକ୍ଷେପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ ଓ ଆଗାମୀ ଦିନରେ ଏହାକୁ କିପରି ଗଣତାନ୍ତ୍ରିକ ପରମ୍ପରାରେ ସୁରକ୍ଷିତ ରଖାଯାଇ ପାରିବ ଏ ଦିଗରେ ଯନିବାନ ହେବା ଆବଶ୍ୟକ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ମତ ଉପସ୍ଥାପନ କରିଛନ୍ତି ।

ପରବର୍ତ୍ତୀ ସମୟରେ ୨୦୨୬ ମସିହା ଅପ୍ରେଲ ମାସ ୨୦ ଓ ୨୧ ତାରିଖରେ ଭୁବନେଶ୍ୱର କିମ୍ବା ପୁରୀଠାରେ କମିଟିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ସହମତି ପ୍ରକାଶ ପାଇଥିବାବେଳେ ଆଗାମୀ ୮ ମାସ ମଧ୍ୟରେ କମିଟିର ରିପୋର୍ଟ ଲୋକସଭାର ବାଚସ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ମହାରାଷ୍ଟ୍ର ବିଧାନସଭାଠାରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବାଚସ୍ପତିଙ୍କ ସହ ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ବିଧାନସଭା ଗବେଷଣା ଶାଖାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଛନ୍ତି ।

Comments (0)
Add Comment