ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ଚଢ଼ଉ;ବ୍ୟାପକ ନିଶା ସାମଗ୍ରୀ ଜବତ ।

ସମ୍ବଲପୁର,୦୪/୧୦: ସମ୍ବଲପୁର ସ୍ଥିତ ମଣ୍ଡଳ କାରାଗାରରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି । ୪ ତାରିଖ ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଚଢ଼ଉ ସମୟରେ ବିପୁଳ ମାତ୍ରାରେ ବିଡି, ଖଇନି, ସିଗାରେଟ, ଗୁଟକା, ଭାଙ୍ଗ ଆଦି ସମେତ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ଜବତ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଓ ଅତିରିକ୍ତ ଏସପି ହରେଇ ପାଣ୍ଡେଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉ ଅଭିଯାନରେ ସ୍ଥାନୀୟ ସଦର ଏସଡିପିଓ, ବୁର୍ଲା ଏସଡିପିଓ,ଧନୁପାଲି ଥାନାଧିକାରୀ ଙ୍କ ସମେତ ଆଖପାଖ ଥାନାର ୭ ଜଣ ଥାନାଧିକାରୀ, ୨ ପ୍ଲାଟୁନ ଫୋର୍ସ ଓ ମେଟାଲ ଡିଟେକ୍ଟର ଦଳ ସାମିଲ ରହିଥିଲେ । ସମ୍ବଲପୁର ମଣ୍ଡଳ କାରାଗାରରେ ୨୨ଟି ୱାର୍ଡ ଥିବା ବେଳେ ସେଥି ମଧ୍ୟରୁ ୧୮ଟି ୱାର୍ଡରେ ୫୭୬ ଜଣ କଏଦୀ ରହୁଛନ୍ତି । ଚଢ଼ଉ ସମୟରେ ସମସ୍ତ ଅନ୍ତେବାସୀ ମାନଙ୍କର ଆସବାପତ୍ର ଆଦି ଯାଞ୍ଚ କରାଯିବା ସମୟରେ ଏହି ମାଦକ ଦ୍ରବ୍ୟ ଗୁଡିକ ମିଳିଥିଲା । ଅନ୍ୟ ପକ୍ଷରେ ଏହି ଚଢ଼ଉ ସମୟରେ ଜବତ ହୋଇଥିବା ମାଦକ ଦ୍ରବ୍ୟ ଗୁଡିକ କିଭଳି ରୂପେ ଜେଲର ସୁରକ୍ଷାକୁ ଉଲ୍ଲଂଘନ କରି ପ୍ରବେଶ କରିଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇଛି । ଏ ସମ୍ପର୍କରେ ଅତିରିକ୍ତ ଏସପି ଶ୍ରୀ ପାଣ୍ଡେ କହିଛନ୍ତି ଯେ, ଏହା ଏକ ଅଚାନକ ଚଢ଼ଉ ଥିଲା । ଚଢ଼ଉ ସମୟରେ ମିଳିଥିବା ମାଦକ ଦ୍ରବ୍ୟ ଗୁଡିକ କିଭଳି ରୂପେ ଭିତରକୁ ଗଲା ତାହା ଯାଞ୍ଚ କରାଯିବ । ଜେଲର ସିସିଟିଭି ଓ ମେଟାଲ ଡିଟେକ୍ଟର କାର୍ଯ୍ୟ କରୁଥିବା ବେଳେ କିଭଳି ଭାବରେ ଏହା ଜେଲ ମଧ୍ୟକୁ ଗଲା ତାହା ଯାଞ୍ଚ ପରେ ଜଣାପଡିବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି ।

Comments (0)
Add Comment