ମାଲକାନଗିରି, ୧୦/୦୩(ପିପିଟି):ମାଲକାନଗିରି ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ ଉତ୍ସାହ, ଉଲ୍ଲାସ ଓ ବ୍ୟାପକ ଜନସହଭାଗିତାର ସହିତ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଜନ ହିତକର ଯୋଜନା ତୃଣ ମୂଳ ସ୍ତର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା, ସ୍ୱାସ୍ଥ୍ୟ, ପୋଷଣ,ସ୍ୱଚ୍ଛତା, ଶିକ୍ଷା,ପ୍ରାଣୀସମ୍ପଦ ଓ ସମାଜ କଲ୍ୟାଣ କ୍ଷେତ୍ରରେ ୧୦୦ ପ୍ରତିଶତ ପରିପୂର୍ଣ୍ଣତା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି ।ଏହି ଅବସର ରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ସଫଳ ରୂପାୟନ ନିମନ୍ତେ ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଅଭିଯାନର ଉଦ୍ଘାଟନ କରି ଆକଂକ୍ଷୀ ବ୍ଲକରେ ସ୍ୱାସ୍ଥ୍ୟ, ପୁଷ୍ଟି, କୃଷି ଓ ଶିକ୍ଷା ସୂଚକମାନଙ୍କର ଶତପ୍ରତିଶତ ସମ୍ପୂର୍ଣ୍ଣତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବେ ଗର୍ଭବତୀ ମାଆ ମାନଙ୍କ ସ୍ଵାସ୍ଥ୍ୟ, ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ବାଳିକା ମାନଙ୍କ ପାଇଁ ବ୍ୟବସ୍ଥିତ ଶୌଚାଳୟ ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଗ୍ରାମାଞ୍ଚଳ ଅର୍ଥନୀତି ଗୃହ ପାଳିତ ପଶୁଙ୍କ ଉପରେ ନିର୍ଭର କରିଥାଏ। ତେଣୁ ଗୃହ ପାଳିତ ପଶୁଙ୍କ ଟିକାକରଣକୁ ମଧ୍ଯ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଜିଲ୍ଳାକୁ ଏକ ସୁସ୍ଥ, ସଶକ୍ତ ଏବଂ ସମୃଦ୍ଧ ସମ୍ପ୍ରଦାୟ ଆଡ଼କୁ ଆଗେଇ ନେବା ପାଇଁ ପ୍ରେରଣା ନେଇ ଆମ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଜିଲ୍ଲାପାଳ। ଆଜି ସକାଳ ୯ ଟା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରୁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଜିଲ୍ଲା ଅଧିକାରୀ , ପିରାମଲ ଅନୁଷ୍ଠାନ ର କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀଙ୍କ ଗହଣରେ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସରାବୁ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ
ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ,ଦାୟିତ୍ଵ ଓ ସକରା ତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ଏବଂ ବିଶେଷତଃ ବ୍ଲକ୍ ସ୍ତରରେ କର୍ମଚାରୀଙ୍କ ଅଧିକ ଦାୟିତ୍ଵ ରହିଛି । ଏହି ଅବସରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶପଥ ପାଠ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଅଧିକାରୀ, ଜନପ୍ରତିନିଧି ଓ ଅଂଶଗ୍ରହଣକାରୀ ମାନେ ଅଭିଯାନ ପ୍ରତି ତାଙ୍କର ଦୃଢ଼ ସଙ୍କଳ୍ପ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ସ୍ୱାସ୍ଥ୍ୟ , ଶିକ୍ଷା ଏବଂ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ଅତିଥିମାନେ ଏହି ଷ୍ଟଲ୍ଗୁଡ଼ିକୁ ଉଦଘାଟନ କରି ସାଧାରଣ ଲୋକଙ୍କୁ ମିଳୁଥିବା ସେବା ବିଷୟରେ ଅବଗତ କରାଇଥିଲେ । ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଯୋଜନା ଓ ସଂଯୋଜନା ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ସହଯୋଗରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ତିନି ଆକଂକ୍ଷୀ ବ୍ଲକ୍ ଚିତ୍ରକୋଣ୍ଡା, ମାଥିଲି ଓ ଖଇରପୁଟ ର ବିଭିନ୍ନ ଵିଭାଗର କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଜିଲ୍ଲାର ସାମାଜିକ ଓ ଆର୍ଥିକ ଉନ୍ନତିରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜନ ସାଧାରଣ ମଧ୍ୟରେ ଆଶା ପ୍ରକାଶ ପାଇଛି ।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି )