ସମସ୍ୟାରେ ବୁଡିଛି କଳିଙ୍ଗ ନଗର, ୧୦ ଦଫା ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ : ପୁର୍ବତନ ମନ୍ତ୍ରୀ ଶରତ ରାଉତ ।

ସମସ୍ୟାରେ ବୁଡିଛି କଳିଙ୍ଗ ନଗର, ୧୦ ଦଫା ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ : ପୁର୍ବତନ ମନ୍ତ୍ରୀ ଶରତ ରାଉତ ।

ଯାଜପୁର,୦୮/୦୨(ପିପିଟି): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି । ଏହି ସବୁ ସମସ୍ୟା ତୁରନ୍ତ ସମାଧାନ କରିବାକୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ ଦଶ ଦଫା ଦାବି ଜଣାଇବା ସହିତ ଏହାର ତୁରନ୍ତ ସମାଧାନ ନ ହେଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଦାବି ଗୁଡିକ ମଧ୍ୟରେ କଳିଙ୍ଗ ନଗର ବିସ୍ଥାପିତ ଓ କ୍ଷତିଗ୍ରସ୍ଥ ପରିବାର ଗୁଡିକୁ ଉପଯୁକ୍ତ କ୍ଷତିପୂରଣ ଦେଇ ଥଇଥାନ କରାଯିବା ସହିତ ବିସ୍ଥାପିତ ମାନଙ୍କୁ ଅନ୍ୟତ୍ର ବଦଳିର ଭୟ ଦେଖାଇ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ବାଧ୍ଯ କରାନଯାଉ ବୋଲି ଦାବି କରାଯାଇଛି । କଳିଙ୍ଗ ନଗର ପ୍ରତିଷ୍ଠା ହେବା ଦିନରୁ କ୍ରମାଗତ ଭାବରେ ଆଦିବାସୀ ମାନଙ୍କ ଉପରେ ନିର୍ଯ୍ୟାତନା ଦିଆ ଯାଉଥିଲା ବେଳେ ତାହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି ହୋଇଛି । ଗତ ମାସ ୨୮ ତାରିଖ ଦିନ ନିଳାଚଳ ଇସ୍ପାତ କାରଖାନା ସମ୍ମୁଖରେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଆଦିବାସୀ ମାନଙ୍କ ଉପରେ ହୋଇଥିବା ଅମାନବୀୟ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହିତ ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଏଭଳି ଅମାନବୀୟ ଘଟଣାରେ ଯେଉଁ ମାନେ ଜଡିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହା ସହିତ ସୁପରଭାଇଜର ଚାକିରି କ୍ଷେତ୍ରରେ କଳିଙ୍ଗନଗର ଅଞ୍ଚଳର ଅଣକୁଶଳୀ, ଅର୍ଦ୍ଧ କୁଶଳୀ,କୁଶଳା,ଉଚ୍ଚକୁଶଳୀଙ୍କୁ ଶ୍ରେଣୀଭୁକ୍ତ କରାଯାଇ ସୁକିନ୍ଦା ଓ ଦାନଗଦା ତହସିଲ ଅଞ୍ଚଳକୁ ପ୍ରାଥମିକତା ଦେବା ସହିତ ଜିଲ୍ଲା ଓ ରାଜ୍ୟକୁ ପ୍ରାଥମିକତା ଦେବାକୁ ଦାବି ହୋଇଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାହାର ଅଞ୍ଚଳ ଲୋକେ ଠିକା କାମ କରୁଥିବାରୁ ସ୍ଥାନୀୟ ଲୋକମାନେ ଠିକାକାମ କରିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି । ତେଣୁ ସ୍ଥାନୀୟ ଭେଣ୍ଡର ସଂଖ୍ୟା ବଢାଇବା ପାଇଁ କାରଖାନା କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହା ସହିତ କଳିଙ୍ଗନଗର ଅଞ୍ଚଳରେ ଏକ ସୁପର ସ୍ପେସିଆଲିଟ ଡାକ୍ତରଖାନା ତୁରନ୍ତ ନିର୍ମାଣ କରାଯିବାକୁ ଦାବି ହୋଇଥିଲା ବେଳେ ପ୍ରତିଷ୍ଠା ପର୍ଯ୍ୟନ୍ତ ଗୋବରଘାଟି ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ସ୍ଥାନୀୟ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି । କଳିଙ୍ଗନଗର ଅଂଚଳରେ ବିସ୍ଥାପିତ, କ୍ଷତିଗ୍ରସ୍ଥ ଓ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ବୈଷୟିକ ତାଲିମ ପାଇଁ ତାଲିମ୍ ଶିକ୍ଷାନୁଷ୍ଠାନ ତୁରନ୍ତ ପ୍ରତିଷ୍ଠା ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଳ,ବାୟୁ ଏବଂ ଟ୍ରାଫିକ୍ ଜନିତ ପ୍ରଦ୍ୟୁଷଣ ରୋକିବା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଦିନକୁ ଦିନ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଉପୁଜୁଥିବା ଟ୍ରାଫିକ୍ ସମସ୍ୟା ଓ ଭାରିଯାନ ଚଳାଚଳ ନିୟନ୍ତ୍ରଣ କରିବା ପାଇଁ ଓ ଦୁର୍ଘଟଣା ଜନିତ ସମସ୍ୟାରୁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ପାଇଁ ଭାରିଯାନ ଚଳାଚଳ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଉ ବୋଲି ମଧ୍ୟ କଂଗ୍ରେସ ଦାବି କରିଛି । ଶିଳ୍ପ ଓ ଖଣିଖାଦାନରେ ଜଳ ଉପଯୋଗକୁ ନିୟନ୍ତ୍ରଣ କରାଯିବା ସହିତ ଭୂତଳ ଜଳ ସଂଗ୍ରକ୍ଷଣ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଶ୍ରୀ ରାଉତ । ଏହି ସାମ୍ବାଦିକ ସମ୍ମିଳନୀରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Comments (0)
Add Comment