***ସମର୍ପଣ***

ମୁଁ ତଡାଗର କଇଁ
ଆକାଶକୁ ଚାହିଁ
ତୁମେ ଆସବ କି ନାହିଁ
ସମର୍ପିଛି ଦେହ ମନ
ଏକ ହେବା ପାଇଁ…!!
ତୁମେ ଆସିବ ବୋଲି
ଚାହେଁ ପାଖୁଡ଼ା ମେଲି
ସଜାଏ ମୋ ତନୁ ଶ୍ରୀ
ପ୍ରତି ନିଶି ଆଗମନେ
ହୃଦୟ ଖୋଲି….!!
ତୁମେ ନୀଳ ନଭେ ଚାନ୍ଦ
ମୁଁ ଧରଣୀ କୁମୁଦ
ଯୁଗେ ଯୁଗେ ପ୍ରୀତି
ଅଭେଦ : ନାହିଁ ଭେଦାଭେଦ
କୃଷ୍ଣ ପକ୍ଷେ ହଜ କାହିଁ
ହୁଏ ବିରହ ବିଚ୍ଛେଦ…!!
କୃଷ୍ଣ ପକ୍ଷେ ଝୁରେ
ବିରହରେ ମରେ
ଅସ୍ଥିର ଆବେଗ ପ୍ରାଣ
ରୂପ ରଙ୍ଗ ସ୍ମରେ
ସ୍ମୃତି ନିତି ଜାଗେ ନିଶି ନାଶେ
ଆତୁରେ କାତରେ…!!
ଆସେ ଯେବେ ଶୁକ୍ଳ ପକ୍ଷ
ପୁଲକିତ ବକ୍ଷ
ରଜତ ଜ୍ୟୋତ୍ସ୍ନାରେ ଭିଜେ
ସାରା ରାତି
ପ୍ରୀତିର ଆସର
ଆନନ୍ଦେ ନୃତ୍ୟ କରେ
ମନ୍ଦ ମଳୟ ସ୍ପର୍ଶରେ
ସମର୍ପି ଯୌବନ ଧନ
ନକରି କଟାକ୍ଷ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment